ସମ୍ବଲପୁର: ଆଶ୍ଚର୍ଯ୍ୟ ! ଯୁବତୀଙ୍କ ମୁଣ୍ଡ ଭିତରେ ଥିଲା ମେଞ୍ଚାଏ ଛୁଞ୍ଚି । ଅପରେସନ କରି ମୁଣ୍ଡରୁ ଏକାଥରକେ ୭୦ଟି ଛୁଞ୍ଚି ବାହାର କଲେ ଡାକ୍ତର । ସମସ୍ତଙ୍କୁ ହତବାକ୍ କରିଦେବା ଭଳି ଏହି ଘଟଣା ବଲାଙ୍ଗୀରର । ଜଣେ ତାନ୍ତ୍ରିକ ସେହି ଯୁବତୀଙ୍କୁ ସୁସ୍ଥ କରିଦେବାକୁ କହି ତାଙ୍କ ମୁଣ୍ଡରେ ଛୁଞ୍ଚି ଫୋଡିଥିଲା । ଆଜି ବୁର୍ଲା ଭୀମସାରରେ ଝିଅଟିର ସଫଳ ଅପରେସନ କରାଯାଇ ଛୁଞ୍ଚିଗୁଡିକୁ ବାହାର କରାଯାଇଛି । ମୁଣ୍ଡ ଭିତରେ ୭୦ଟି ଛୁଞ୍ଚି ଦେଖି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅଞ୍ଚଳରେ ଜଣେ ଯୁବତୀ ଅନେକ ଦିନରୁ ଅସ୍ୱାଭାବିକ ଆଚରଣ କରୁଥିଲେ । ନିଜେ ନିଜର ହାତଗୋଡକୁ କାଟି ପକାଉଥିଲେ । ବାପାମାଆ ଝିଅକୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ହେଲେ ରୋଗ ଜଣାପଡିବାରୁ ଭୂତ ପ୍ରେତ ସବାର ହୋଇଛି ଭାବି ଝିଅକୁ ଜଣେ ଗୁଣିଆ ପାଖକୁ ନେଇଯାଇଥିଲେ । ଏହାପରେ ଗୁଣିଆ ଜଣକ ଝିଅଟିକୁ ଭଲ କରିଦେବାକୁ କହି ତା\’ ମୁଣ୍ଡରେ ଗୁଡାଏ ଛୁଞ୍ଚି ଫୋଡି ଦେଇଥିଲା । ଏମିତି ଅନେକ ଦିନ ଧରି ଗୁଣିଆ ଚିକିତ୍ସା ନାଁରେ ମୁଣ୍ଡ ଭିତରେ ଛୁଞ୍ଚି ଫୋଡୁଥିଲେ ହେଁ ଝିଅଟିର ଘର ଲୋକେ କେହି ଏକଥା ଜାଣିପାରି ନଥିଲେ । ପରେ ଯୁବତୀଙ୍କ ଅବସ୍ଥା ଗୁରୁତର ହୋଇପଡିଥିଲା । ପରିବାର ଲୋକେ ତାଙ୍କୁ ଗତକାଲି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ ।
ସେଠାରେ ସିଟି ସ୍କାନରୁ ଯୁବତୀଙ୍କ ମୁଣ୍ଡ ଭିତରେ ଏକାଧିକ ଛୁଞ୍ଚି ରହିଥିବା ଜଣାପଡିଥିଲା । ଏହାପରେ ତାଙ୍କୁ କାଲି ରାତିରେ ବୁର୍ଲା ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୧୦ ଜଣିଆ ଡାକ୍ତରୀ ଟିମ୍ ଅସ୍ତ୍ରୋପଚରା କରି ଯୁବତୀଙ୍କ ମୁଣ୍ଡ ଭିତରୁ ୭୦ଟି ଛୁଞ୍ଚି ବାହାର କରିଛନ୍ତି । ଏମିତି ଘଟଣା ଆଗରୁ କେହି କେବେ ନା ଦେଖିଥିବେ ନା ଶୁଣିଥିବେ । ଅନ୍ଧବିଶ୍ୱାସର ପରିଣତି କେତେ ଯେ ଭୟଙ୍କର ହୋଇପାରେ ବଲାଙ୍ଗୀର ଯୁବତୀଙ୍କ ଘଟଣାରୁ ଅନୁମେୟ, ଯାହାକି ସାରା ରାଜ୍ୟରେ ଚାଞ୍ଚଲ୍ୟ ଖେଳାଇଛି । ଏନେଇ ବୁର୍ଲା ଭୀମସାରର ଡାକ୍ତର କହିଛନ୍ତି, ୪ ବର୍ଷ ପୂର୍ବରୁ ଯୁବତୀଙ୍କ ଦେହ ଅସୁସ୍ଥ ହୋଇଥିଲା । ପରିବାର ଲୋକେ ବିଭିନ୍ନ ହସ୍ପିଟାଲରେ ଝିଅକୁ ଦେଖାଇ ନିରାଶ ହେବା ପରେ ତାନ୍ତ୍ରିକ ପାଖକୁ ଯାଇଥିଲେ । ତାନ୍ତ୍ରିକ ଝିଅଟିର ମୁଣ୍ଡରେ ଗୋଟିଏ ଗୋଟିଏ କରି ଛୁଞ୍ଚି ଫୋଡିଥିଲା । ୪ ବର୍ଷ ହେଲାଣି ଏମିତି ଚାଲିଥିଲା । ଯୁବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଅଧିକ ଖରାପ ହେବାରୁ ପରିବାର ଲୋକେ ଭୀମଭୋଇ ମେଡିକାଲକୁ ନେଇଥିଲେ । ସିଟି ସ୍କାନରୁ ମୁଣ୍ଡରେ ଛୁଞ୍ଚିଥିବା ଜଣାପଡିଥିଲା । ଅସ୍ତ୍ରୋପଚାର କରାଯାଇ ୭୦ଟି ଛୁଞ୍ଚି ବାହାର କରାଯାଇଛି । ପ୍ରାୟ ୨ ଘଣ୍ଟା ଧରି ଅସ୍ତ୍ରୋପଚାର ଚାଲିଥିଲା ।