ନୂଆଦିଲ୍ଳୀ: ଚା’ ଓ କଫି କେଉଁଟା ଶରୀର ପାଇଁ ସ୍ୱାସ୍ଥ୍ୟକର ଏହାକୁ ନେଇ ଆପଣ ଅନେକ ସମୟରେ ଦ୍ୱନ୍ଦ୍ୱରେ ପଡ଼ିଥିବେ। ତେବେ ଚା’ ହେଉ ବା କଫି, ଏଥିରୁ ଚିନି ଓ କ୍ଷୀରକୁ ବାଦ୍ ଦେବା ପରେ ତାହା ସ୍ୱାସ୍ଥ୍ୟ ପାଇଁ ହିତକର ହୋଇଥାଏ । ଏହାପରେ ମଧ୍ୟ ଏହି ଦୁଇ ପାନୀୟ ମଧ୍ୟରୁ କେଉଁଟି ସ୍ୱାସ୍ଥ୍ୟକର, ତାହା ଜାଣିବା ନିହାତି ଜରୁରୀ । ଡାଇଟିଂ ବା ଫିଟ୍ନେସ ପ୍ରତି ଅଧିକ ସଚେତନ ବ୍ୟକ୍ତି ବ୍ଲାକ୍ କଫି ପିଇବାକୁ ଅଧିକ ପସନ୍ଦ କରିଥାନ୍ତି। ବିଶ୍ୱାସ ରହିଛି, ଜିମ୍ ପୂର୍ବରୁ ୧ କପ୍ ବ୍ଲାକ୍ କଫି ପିଇବା ଦ୍ୱାରା ଆପଣଙ୍କ ଟାବଲିଜମ୍କୁ ପ୍ରୋତ୍ସାହନ ମିଳିଥାଏ । କଫିରେ ଥିବା ଉଚ୍ଚ ମାତ୍ରାରେ କ୍ୟାଫିନ ବ୍ୟାୟାମ ପାଇଁ ଆବଶ୍ୟକ ଶକ୍ତିକୁ ଯଥେଷ୍ଟ ବଢ଼ାଇଦିଏ ।
ବ୍ଲାକ୍ କଫିରେ ଅନେକ ଆଣ୍ଟିଅକ୍ସିଡାଣ୍ଟ, ମ୍ୟାଗ୍ନେସିୟମ୍ ଓ ପୋଟାସିୟମ୍ ଭରପୂର ମାତ୍ରାରେ ରହିଛି । ଏପିଡେମିଓଲୋଜି ନାମକ ଅନ୍ତର୍ଜାତୀୟ ପତ୍ରିକାରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡ଼ିଛି, ବ୍ଲାକ୍ କଫି ପିଇଥିବା ବ୍ୟକ୍ତିଙ୍କଠାରେ ଟାଇପ୍-୨ ମଧୁମେହ ଓ ମେଦବହୁଳତା ଆଶଙ୍କା କମ୍ ଥିଲା । ୧ କପ୍ ବ୍ଲାକ୍ କଫିରେ ଆଦୌ କ୍ୟାଲୋରି ନାହିଁ । କ୍ୟାଫିନ ମାତ୍ରାକୁ ବାଦ୍ ଦେଇ ବ୍ଲାକ୍ ଟି’ ଓ ବ୍ଲାକ୍ କଫି ସମାନ, କିନ୍ତୁ ବ୍ଲାକ୍ ଟି’ରେ ସାଚୁରେଟେଡ୍ ଫ୍ୟାଟ୍ ନାହିଁ । ଏହା ରୋଗପ୍ରତିରୋଧ
ଶକ୍ତି ବଢ଼ାଇଥାଏ । ୟୁରୋପୀୟ ପତ୍ରିକା ନ୍ୟୁଟ୍ରିସନ୍ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁସାରେ, ଯେଉଁମାନେ ନିୟମିତ ବ୍ଲାକ୍ ଟି’ ପିଇଥିଲେ, ସେମାନଙ୍କର ଅତିରିକ୍ତ ଓଜନ ହ୍ରାସ ପାଇଥିଲା । ୧ କପ୍ ବ୍ଲାକ୍ ଟି’ରେ ୨ ପ୍ରତିଶତ କ୍ୟାଲୋରି ରହିଛି ।ତଥାପି ଦୁଇଟିଯାକ ପାନୀୟ ସ୍ୱାସ୍ଥ୍ୟକର ଏବଂ ଏହା ସମ୍ପୂର୍ଣ୍ଣ ରୂପେ ଆପଣ ପାଇଥିବା ସୁଫଳ ଉପରେ ନିର୍ଭର କରେ । ଯଦି ଆପଣ ସକାଳେ ବ୍ୟାୟାମ କରୁଛନ୍ତି, ତେବେ ବ୍ଲାକ୍ କଫି ଆପଣଙ୍କ ମେଟାବଲିଜମ୍ ପାଇଁ ଏକ ଭଲ ବିକଳ୍ପ ।
କିନ୍ତୁ ଯଦି ମାତ୍ରାଧିକ କ୍ୟାଫିନ୍ ଗ୍ରହଣ କରିବାକୁ ଚାହୁଁନାହାନ୍ତି, ତେବେ ବ୍ଲାକ୍ ଟି’ ଭଲ । ଉଦ୍ବେଗ ଓ ଉଚ୍ଚ ରକ୍ତଚାପଠୁ ଦୂରରେ ରହିବାକୁ ଚାହୁଁଥିଲେ, ବ୍ଲାକ୍ କଫିଠୁ ଦୂରରେ ରହିବା ଉଚିତ । ବିଳମ୍ବିତ ରାତିରେ ବ୍ଲାକ୍ କଫି ପିଇବା ଆଦୌ ଉଚିତ ନୁହେଁ ବୋଲି ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଛନ୍ତି । କାରଣ ଏହା ଆପଣଙ୍କ ନିଦରେ ବ୍ୟାଘାତ ସୃଷ୍ଟି କରେ