ଇସଲାମାବାଦ: ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶର ବିଦ୍ରୋହୀ ଗୋଷ୍ଠୀ ବଲୋଚ ଲିବରେସନ ଆର୍ମି(ବିଏଲ୍ଏ) ଜାଫର ଏକ୍ସପ୍ରେସକୁ ଅପହରଣ କରିନେବା ଘଟଣାରେ ପାକିସ୍ତାନ ଏବେ ଭାରତ ଉପରେ ଦୋଷ ଲଦିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ୍ଙ୍କ ମୁଖ୍ୟ ପରାମର୍ଶଦାତା ରାଣା ସନାଉଲ୍ଲାହ ଏକ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍କୁ ସାକ୍ଷାତକାର ଦେଇ କହିଛନ୍ତି ଯେ, ବିଏଲଏ ଜାଫର ଏକ୍ସପ୍ରେସକୁ ଅପହରଣ କରିବା ପଛରେ ଭାରତର ସମ୍ପୃକ୍ତି ରହିଥିବା ସେ ଜାଣିବାକୁ ପାଇଛନ୍ତି। ସନାଉଲ୍ଲାହ କହିଛନ୍ତି, ଆଫଗାନିସ୍ତାନରେ ରହୁଥିବା ତେହରିକ ଏ ତାଲିବାନ ପାକିସ୍ତାନ(ଟିଟିପି)ଠାରୁ ବିଏଲଏକୁ ପର୍ଯ୍ୟାପ୍ତ ସହାୟତା ମିଳୁଛି। ସେମାନଙ୍କ ମଧ୍ୟରେ ସମ୍ପର୍କ ରହିଛି। ଏସବୁ ଭାରତ କରୁଛି। ଏଥିରେ କୌଣସି ସନ୍ଦେହ ନାହିଁ। ଭାରତ ସହଯୋଗରେ ସେମାନଙ୍କୁ ଆଫଗାନିସ୍ତାନରେ ସୁରକ୍ଷିତ ଆଶ୍ରୟ ମିଳୁଛି। ସେଠାରେ ବସି ସେମାନେ ସବୁ ପ୍ରକାର ଯୋଜନା କରୁଛନ୍ତି। ଏମାନେ ପାକିସ୍ତାନର ଶତ୍ରୁ। ଏମାନଙ୍କର କୌଣସି ରାଜନୈତିକ ଏଜେଣ୍ଡା ନାହିଁ। ସେମାନଙ୍କର କେବଳ ଗୋଟିଏ ଉଦ୍ଦେଶ୍ୟ ରହିଛି। ତାହା ହେଉଛି କେବଳ ଲୋକଙ୍କୁ ହତ୍ୟା କରିବା ଏବଂ ଲୁଟ୍ କରିବା। ତେବେ ପାକିସ୍ତାନର ଏପରି ଭିତ୍ତିହୀନ ଅଭିଯୋଗ ସମ୍ପର୍କରେ ଭାତର ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ତେବେ ସେ କେଉଁ ପ୍ରମାଣ ଆଧାରରେ ଭାରତ ବିରୋଧରେ ଏପ୍ରକାର ସଂଗୀନ ଅଭିଯୋଗ ଆଣୁଛନ୍ତି ସେନେଇ ତାଙ୍କୁ ପ୍ରଶ୍ନ କରାଯିବାରୁ ସେ ଏହାକୁ ଏଡାଇ ଯାଇଛନ୍ତି। ଅନ୍ୟପକ୍ଷେ ବିଦ୍ରୋହୀମାନଙ୍କ ଦ୍ୱାରା ଟ୍ରେନ ଅପହରଣ ହୋଇଯିବା ପରେ ନିଜର ଅପାରଗତା ଲୁଚାଇବା ଲାଗି ପାକିସ୍ତାନ ସରକାର ଏବେ ବିନା କୌଣସି ପ୍ରମାଣରେ ବଲୋଚ ବିଦ୍ରୋହୀମାନଙ୍କୁ ଭାରତ ସମର୍ଥନ କରୁଥିବା ତଥା ଏପ୍ରକାର ଟ୍ରେନ୍ ହାଇଜ୍ୟାକ୍ ପଛରେ ଭାରତର ସମ୍ପୃକ୍ତି ଥିବା ଅଭିଯୋଗ କରିବା ଆରମ୍ଭ କରିଛି ବୋଲି ପାକିସ୍ତାନ ସର୍ବସାଧାରଣରେ ମତପ୍ରକାଶ ପାଇଛି।
ଦିନକ ପୂର୍ବେ ବିଏଲଏ ଅପହରଣ କରିଥିବା ଜାଫର ଏକ୍ସପ୍ରେସ୍ ଟ୍ରେନରେ ୪୦୦ରୁ ଅଧିକ ଯାତ୍ରୀ ଥିଲେ, ଯେଉଁଥିରେ ଅନେକ ପାକିସ୍ତାନୀ ସୈନ୍ୟ ଏବଂ ଆଇଏସ୍ଆଇ କର୍ମଚାରୀମାନେ ରହିଥିଲେ। ତେବେ ପରବର୍ତ୍ତୀ ସମୟରେ ବିଏଲଏ ଟ୍ରେନ୍ରେ ଥିବା ମହିଳା, ଶିଶୁଙ୍କ ସମେତ ବଲୁଚ ନାଗରିକମାନଙ୍କୁ ମୁକ୍ତ କରିଦେଇଥିଲା। କିନ୍ତୁ ସେମାନଙ୍କୁ ରୋକିବାକୁ ଚେଷ୍ଟା କରିଥିବା ପାକ୍ ସୈନ୍ୟଙ୍କ ମଧ୍ୟରୁ ୩୦ଜଣଙ୍କୁ ଗୁଳି କରି ହତ୍ୟା କରିଥିଲା ବିଏଲଏ। ତେବେ ଏହି ଘଟଣାର ଦିନକ ପରେ ଅର୍ଥାତ୍ ବୁଧବାର ମଧ୍ୟ କିଛି ଲୋକଙ୍କୁ ବିଏଲ୍ଏ ମୁକ୍ତ କରିଛି। ରିପୋର୍ଟ ଲେଖାହେବା ସୁଦ୍ଧା ବିଏଲଏ କବ୍ଜାରେ ଟ୍ରେନ୍ ସହ ୧୫୦ରୁ ଊର୍ଦ୍ଧ୍ୱ ପାକ୍ ସୈନିକ ମୁଣ୍ଡଜାମିନ୍ ଅଛନ୍ତି। ବିଏଲଏ ଏବେ ଏମାନଙ୍କ ମୁକ୍ତି ପାଇଁ ପାକିସ୍ତାନ ଜେଲ୍ରେ ବନ୍ଦୀ ଥିବା ବିଏଲଏ ସଦସ୍ୟଙ୍କୁ ତୁରନ୍ତ ମୁକ୍ତ କରାଯିବା ନେଇ ଦାବି କରିଛି। ଗୋଟିଏ ପଟେ ପାକିସ୍ତାନ ସେନା ଏବେ ଉଦ୍ଧାରକାର୍ଯ୍ୟ ଚଳାଇଥିବା ବେଳେ ବିଏଲଏ ପକ୍ଷରୁ ମଧ୍ୟ ବର୍ତ୍ତମାନ ସୁଦ୍ଧା ପ୍ରାୟ ୨୭ ଜଣ ନିହତ ହୋଇଥିବା ଜଣାପଡିଛି। ତେବେ ବର୍ତ୍ତମାନ ସୁଦ୍ଧା ଏବେ ସୁଦ୍ଧା ୨୦୦ରୁ ଊର୍ଦ୍ଧ୍ୱ ଯାତ୍ରୀଙ୍କୁ ଉଦ୍ଧାର କରାଯାଇସାରିଛି। ଏସବୁ ମଧ୍ୟରେ ବିଏଲଏ ପକ୍ଷରୁ ଏକ ଅଡିଓ ଜାରି କରାଯାଇ ଟ୍ରେନ୍ ହାଇଜ୍ୟାକ୍ କରାଯିବାର କାରଣ ସମ୍ପର୍କରେ କୁହାଯାଇଛି। ସେହିପରି ପାକିସ୍ତାନ ସରକାର ମଧ୍ୟ ବଲୁଚିସ୍ତାନ ପ୍ରଦେଶକୁ ପ୍ରାୟ ୨୦୦ କଫିନ୍ (ବିଏଲଏ ସଦସ୍ୟଙ୍କୁ ହତ୍ୟା ଉଦ୍ଦେଶ୍ୟରେ) ପଠାଇଥିବା ଜଣାପଡିଛି।