26.1 C
Bhubaneswar
Tuesday, September 17, 2024
Homeଓଡିଶାଆସନ୍ତା କାଲି ୩ରେ ପ୍ରତ୍ୟେକ ଥାନାରେ ଏତାଲା ଓ ୪ରେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ଆସନ୍ତା କାଲି ୩ରେ ପ୍ରତ୍ୟେକ ଥାନାରେ ଏତାଲା ଓ ୪ରେ ଏସପି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବିଜେପି : ପୃଥ୍ୱୀରାଜ ହରିଚନ୍ଦନ

 ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ଏକ ଭୟଙ୍କର ରୂପ ନେଇଛି

 ଏଫଆଇଆର ଗ୍ରହଣ ନକରାଗଲେ ଫଟୋ, ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ସହ ବିଜେପି ନ୍ୟାୟାଳୟର ଦ୍ୱାରସ୍ଥ ହେବ
 ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ ଅତୀତରେ କୌଣସି ସରକାର କିମ୍ବା ପୋଲିସ ପ୍ରଶାସନ ଏଭଳି ଦମନମୂଳକ କାର୍ଯ୍ୟ କରିନଥିଲେ

ଭୁବନେଶ୍ୱର : ରାଜ୍ୟ ସରକାର ଗଣତାନ୍ତ୍ରିକ ପକ୍ରିୟାକୁ ହତ୍ୟା କରିବାର ଅପଚେଷ୍ଟା କରୁଛନ୍ତି । ଓଡ଼ିଶା ସରକାର ଅହଂକାରର ଚରମସୀମାରେ ପଂହଚିଛି । କ୍ଷମତାର ଭୂତ ରାଜ୍ୟ ସରକାରଙ୍କ ମୁଣ୍ଡରେ ଶବାର ହୋଇଛି । ଗଣତାନ୍ତ୍ରୀକ ପଦ୍ଧତିରେ ଦାୟୀତ୍ୱ ସଂପନ୍ନ କରୁଥିବା ବିରୋଧୀ ଦଳର କାର୍ଯ୍ୟରେ ବାଧା ସୃଷ୍ଟି କରିବା ଓ ଭୟର ବାତାବରଣ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଚେଷ୍ଟା କରୁଛନ୍ତି । ବିରୋଧୀ ଦଳର କାର୍ଯ୍ୟକର୍ତାଙ୍କ ଉପରେ ବିଜେଡି ସରକାରର ହିଂସାତ୍ମକ ଆଭିମୁଖ୍ୟ ଓ ଆଚରଣ ଗଣତନ୍ତ୍ର ପ୍ରତି ବିପଦ । ରାଜ୍ୟବାସୀଙ୍କୁ ସୁରକ୍ଷା ପ୍ରଦାନ ଓ ତାଙ୍କ ସମସ୍ୟାର ସମାଧାନ ପରିବର୍ତେ ବିଜେଡି ସରକାର ଅରାଜକତା ସୃଷ୍ଟି କରୁଛି । ଓଡ଼ିଶାର ଆଇନଶୃଙ୍ଖଳା ପରିସ୍ଥିତି ଏକ ଭୟଙ୍କର ରୂପ ନେଇଛି ବୋଲି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ।
ଆଜି ରାଜ୍ୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶାରେ ଏକଛତ୍ରବାଦୀ ଶାସନ ଚାଲିଛି । ବିଭିନ୍ନ ସମ୍ବେଦନଶୀଳ ପ୍ରସଙ୍ଗରେ କାଠ ଗଡାରେ ଛିଡା ହୋଇଥିବା ରାଜ୍ୟ ସରକାର ବାରମ୍ବାର ନିଜ ଷ୍ଟେଟମେଂଟ ଓ ଆଭିମୁଖ୍ୟ ପରିବର୍ତନ କରୁଛନ୍ତି । ଅତୀତରେ ବହୁ ଆନ୍ଦୋଳନ, ବିକ୍ଷୋଭ, ପ୍ରତିବାଦକୁ ସାମ୍ନା କରୁଥିବା ରାଜ୍ୟ ସରକାରମାନେ ଭଲ ଏବଂ ଶାନ୍ତିପୂର୍ଣ୍ଣ ଭାବେ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି । ମାତ୍ର ଗତ ୨୮ ତାରିଖରେ ଯୁବମୋର୍ଚ୍ଚାର ଆନ୍ଦୋଳନକୁ ରାଜ୍ୟ ସରକାର ଯେଉଁ ଭଳି ଷଡଯନ୍ତ୍ର କରି ଆକ୍ରୋଶମୂଳକ ଭାବେ ଯୁବକମାନଙ୍କ ସ୍ୱରକୁ ଦମନ କରିବା ପାଇଁ ପ୍ରୟାସ କରିଛନ୍ତି ତାହା ଓଡିଶା ଇତିହାସରେ ପ୍ରଥମ । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ କିଛି ନିର୍ଦ୍ଧିଷ୍ଟ ପୋଲିସବାବୁ ମାନେ ଯୁବମୋର୍ଚ୍ଚାଙ୍କୁ ଗୋଇଠା, ବିଧାମାରି ଗୁରୁତର ଆହତ କରିବା ସହ ତାଙ୍କ ନାଁରେ ୩୦୭ ଭଳି ଦଫା ସଂଗୀନ ଲଗାଇ ଜେଲ୍‌ରେ ଭର୍ତି କରାଗଲା । ବିରୋଧୀଙ୍କ ସ୍ୱରକୁ ଚାପି ଦେବା ପାଇଁ ଅତୀତରେ କୌଣସି ସରକାର କିମ୍ବା ପୋଲିସ ପ୍ରଶାସନ ଏଭଳି ହୀନ କାର୍ଯ୍ୟ କରିନଥିଲେ ।
ରାଜ୍ୟର ବିଭିନ୍ନ ଅଂଚଳରେ ଡ୍ରଗ୍ସ, ଖଣିମାଫିଆ ଓ ଗୋରୁ ଚୋରା ଚାଲାଣକାରୀଙ୍କ ନିର୍ଦ୍ଦେଶରେ ଥାନା ଚାଲୁଛି । ରାଜ୍ୟ ସରକାରଙ୍କ ମନ୍ତ୍ରୀ ନବ ଦାସଙ୍କ ଦିବାଲୋକରେ ଜଣେ ପୋଲିସ କର୍ମଚାରୀ ହତ୍ୟା କରିବାର ମାସେ ବିତିଯାଇଥିଲେ ଏଯାବତ୍ କୌଣସି ତଥ୍ୟ ସାମ୍ନାକୁ ଆସିଲା ନାହିଁ । ହତ୍ୟା ପଛରେ ଷଡଯନ୍ତ୍ରକାରୀଙ୍କ ନାଁକୁ ପ୍ରକାଶ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ ନୁହନ୍ତି କି ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ । ରାଜ୍ୟ ସରକାରଙ୍କ ଏଭଳି ସମ୍ବେଦନଶୀଳ ଘଟଣାର ସମାଧାନ ପାଇଁ କୌଣସି ନିଘା ନାହିଁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ରାଜ୍ୟର ବିପର୍ଯ୍ୟସ୍ତ ଆଇନଶୃଙ୍ଖଳାକୁ ନେଇ ଭାରତୀୟ ଜନତା ପାର୍ଟି ବାରମ୍ବାର ଆନ୍ଦୋଳନ କରିଆସୁଛି । କିନ୍ତୁ ବେଖାତିର ରାଜ୍ୟ ସରକାରଙ୍କୁ କିଛି ଦେଖାଗଲା ନାହିଁ କି କିଛି ଶୁଣାଗଲା ନାହିଁ । ସବୁ ସୀମା ଅତିକ୍ରମ ପରେ ରାଜ୍ୟ ସରକାରଙ୍କ ନିକଟରୁ ଜବାବ୍ ମାଗିବା ଦାବୀରେ ଯୁବମୋର୍ଚ୍ଚା ପକ୍ଷରୁ ଆନ୍ଦୋଳନ କରାଯିବାରୁ ରାଜ୍ୟ ସରକାରଙ୍କ ମୁଣ୍ଡିଆଳମାନେ ଯୋଜନାବଦ୍ଧ ଓ ଷଡଯନ୍ତ୍ର କରି ପୋଲିସ ବିଭାଗ ସହ ହାତ ମିଶାଇ ମାଡମାରିବା ସହ ନିରୀହ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କୁ ମିଛ କେସ୍ କରି ଜେଲ୍‌ରେ ଭର୍ତି କରିଛନ୍ତି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି ।
ଓଡିଶାରେ ପୋଲିସଙ୍କର ଅମନଯୋଗିତା, ଅସହାୟ ଓ ଅକ୍ଷମତା କାରଣରୁ ଅନେକ ମାମଲା ଥାନାରେ ରୁଜୁ ହୋଇପାରୁନାହିଁ । ଏହାର ଆଉ ଏକ ଜ୍ୱଳନ୍ତ ଉଦାହରଣ ମଧ୍ୟ ରାଜଧାନୀରେ ଦେଖିବାକୁ ମିଳିଛି । ପୋଲିସ ଆକ୍ରମଣରେ ଯୁବମୋର୍ଚ୍ଚାର ୧୦୦ରୁ ଅଧିକ ଆହତ ହୋଇଛନ୍ତି । ଏଭଳି ଅମାନୁଷିକ ଆକ୍ରମଣକୁ ବିରୋଧ କରି ସଂପୃକ୍ତ ଥିବା ସମସ୍ତ ପୋଲିସ ଅଧିକାରୀ, ସାଧା ପୋଷାକରେ ଥିବା ବିଜେଡି ଗୁଣ୍ଡାମାଙ୍କ ବିରୋଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ କ୍ୟାପିଟାଲ ଥାନାରେ ଦିଆଯାଇଥିବା ଏଫଆଇଆରକୁ ପଂଜିକୃତ କରାନଯିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଏବଂ ସୁସ୍ଥ ଗଣତନ୍ତ୍ର ପ୍ରତି ବିପଦ । ଏହା ପ୍ରତିବାଦରେ ଆସନ୍ତାକାଲି ବିଜେପି ତରଫରୁ ରାଜ୍ୟର ସମସ୍ତ ଥାନାରେ ପୋଲିସ ଡିଜି, ଭୁବନେଶ୍ୱର-କଟକ ପୋଲିସ କମିଶନର ଏବଂ ଡିସିପିଙ୍କ ବିରୋଧରେ ଏତାଲା ଦରଜ କରାଯିବା ସେହିପରି ୪ତାରିଖରେ ରାଜ୍ୟର ପ୍ରତ୍ୟେକ ଏସପି ଅଫିସ ଆଗରେ ବିଜେପି ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ବିକ୍ଷୋଭ ପ୍ରଦର୍ଶନ କରିବେ । ଏହା ସତ୍ୱେ ଏଫଆଇଆର ଗ୍ରହଣ ନକରାଗଲେ ଏଥି ସକାଶେ ପୋଲିସକୁ ଅଦାଲତି ନିର୍ଦ୍ଦେଶ ପାଇଁ ଫଟୋ, ଭିଡିଓ ଓ ଅନ୍ୟାନ୍ୟ ପ୍ରମାଣ ସହ ବିଜେପି ନ୍ୟାୟାଳୟର ଦ୍ୱାରସ୍ଥ ହେବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ଶ୍ରୀ ଧୀରେନ ସେନାପତି, ଶ୍ରୀ ମୋନଜ ମହାପାତ୍ର ଓ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking