27.2 C
Bhubaneswar
Saturday, May 17, 2025
Homeଓଡିଶାଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣରୁ ବଂଚିତ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର କରିଛନ୍ତି: ସୁରଥ ବିଶ୍ୱାଳ

ଛାତ୍ରଛାତ୍ରୀମାନଙ୍କୁ ସଂରକ୍ଷଣରୁ ବଂଚିତ କରିବାକୁ ରାଜ୍ୟ ସରକାର ଭୟଙ୍କର ଷଡଯନ୍ତ୍ର କରିଛନ୍ତି: ସୁରଥ ବିଶ୍ୱାଳ

 ଚଳିତ ଶିକ୍ଷାବର୍ଷରେ ନାମଲେଖାରେ ପଛୁଆବର୍ଗ ସଂରକ୍ଷଣ ଦେବେ ନା ନାହିଁ ସରକାର ସ୍ପଷ୍ଟ କରନ୍ତୁ

 ପଛୁଆବର୍ଗ ସର୍ଭେ ପ୍ରତି ଜନସାଧାରଣଙ୍କ ବିଶ୍ୱାସ ନାହିଁ, ସାମିଲ ହେଉନାହାନ୍ତି
 ଅନେକ ଜାତିବର୍ଗଙ୍କୁ ସର୍ଭେରେ ଅନ୍ତର୍ଭୁକ୍ତ କରାଯାଇନାହିଁ
 ଅଢ଼େଇ କୋଟି ବିଶିଷ୍ଟ ଜନସଂଖ୍ୟାକୁ କମ୍ ଦେଖାଇ ସଂରକ୍ଷଣ ଦାବିକୁ ର୍ଦୁବଳ କରିବାକୁ ଚକ୍ରାନ୍ତ

ଭୁବନେଶ୍ୱର : ରାଜ୍ୟର ସଂପ୍ରତି ଚାଲିଥିବା ବହୁ ପ୍ରଚାରିତ ପଛୁଆବର୍ଗ ସର୍ଭେ ପଛରେ ଥିବା ରାଜ୍ୟ ସରକାରଙ୍କ ଭିତିରି ଉଦ୍ଦେଶ୍ୟ ସ୍ପଷ୍ଟ ହୋଇଛି । ରାଜ୍ୟର ପଛୁଆବର୍ଗଙ୍କ ସଂଖ୍ୟାକୁ କମ୍ ଦେଖାଇ ୫୪ ପ୍ରତିଶତ ଏସଇବିସି ବର୍ଗଙ୍କୁ ସଂରକ୍ଷଣ ନଦେବା ପାଇଁ ଏପରି ନାଟକବାଜି କରୁଛନ୍ତି ରାଜ୍ୟ ସରକାର । ସଂପୂର୍ଣ୍ଣ ଶାସନ କଳ ସବୁ ବିଦ୍ୟାବୁଦ୍ଧି ଖଟାଇ ଏସଇବିସି ବର୍ଗଙ୍କୁ କିପରି ସେମାନଙ୍କ ସାମ୍ବିଧାନିକ ଅଧିକାରରୁ ବଂଚିତ କରାଯାଇପାରିବ ସେହି କାର୍ଯ୍ୟରେ ନିୟୋଜିତ ଅଛନ୍ତି । ରାଜ୍ୟ ସରକାରଙ୍କର ଏହି ଓବିସି ବିରୋଧୀ ଅଭିଯାନକୁ ସଫଳ ହେବାକୁ ଦିଆଯିବନି ବୋଲି ଆଜି ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀର ଚରମବାଣୀ ଶୁଣାଇଛନ୍ତି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ।
୧୯୩୧ ମସିହାର ଜନଗଣନା ଆଧାରରେ ୫୪ପ୍ରତିଶତ ସଂଖ୍ୟାଗରିଷ୍ଠ ପଛୁଆବର୍ଗଙ୍କୁ ସମଗ୍ର ଦେଶର ୨୭ପ୍ରତିଶତ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଯୋଗାଇ ଦିଆଯାଉଥିବା ବେଳେ କେବଳ ମାତ୍ର ଓଡ଼ିଶା ସରକାର ଏହାକୁ କାର୍ଯ୍ୟକାରୀ କରାଇନଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ସର୍ଭେ ବାହାନାରେ କେବଳ ପ୍ରଚାର ଚଳାଇଛନ୍ତି ରାଜ୍ୟ ସରକାର । ସଂରକ୍ଷଣ ମିଳୁନଥିବାରୁ ଜନସାଧାରଣଙ୍କର କୌଣସି ଆଗ୍ରହ ନାହିଁ ଏଥିରେ । ୨୦ଲକ୍ଷରୁ ଉର୍ଦ୍ଧ୍ୱ ପରିବାର ଦାଦନ ଖଟିବାକୁ ବାହାରକୁ ଯାଇଛନ୍ତି । ଏବେ ବି କେଉଁ କେଉଁ ଜାତିବର୍ଗର ସର୍ଭେ ହେବ ତାହା ଚୁଡାନ୍ତ ନୁହେଁ । ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ଜାତି କୋର୍ଡ ନମ୍ବର ତାଲିକାରେ ୨୧୦ଜାତିବର୍ଗ ନାମ ଉଲ୍ଲେଖ ଅଛି । ନୂତନ ଭାବେ ଅଧ୍ୟାଦେଶ ବଳରେ ଯୋଡାଯାଇଥିବା ଜାତିବର୍ଗ ତାଲିକା ଗଲା କୁଆଡେ? କେନ୍ଦ୍ର ଓବିସି ତାଲିକାରେ ଥିବା ଜାତିମାନେ କ’ଣ ଏଥିରୁ ବଂଚିତ କି?
ଆଜି କେତେକ ଗଣମାଧ୍ୟମରେ ରାଜ୍ୟରେ ପଛୁଆବର୍ଗଙ୍କ ଆପାତତଃ ସଂଖ୍ୟା ପ୍ରକାଶ ପାଇଛି ଏବଂ ଏହି ସଂଖ୍ୟା ବାସ୍ତବତାଠାରୁ ବହୁତ କମ୍ । କେଉଁ ସରକାରୀ ଅଧିକାରୀ ଏଭଳି ତଥ୍ୟ ଗଣମାଧ୍ୟମକୁ ଦେଇଛନ୍ତି ତାହା ରାଜ୍ୟବାସୀଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆରମ୍ଭରୁ ଆମ୍ଭେ ଏହି ସର୍ଭେର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଶଙ୍କା ପ୍ରକଟ କରିଆସିଛୁ । ସତରେ ଯଦି ମୁଖ୍ୟମନ୍ତ୍ରୀ ପଛୁଆବର୍ଗଙ୍କୁ ସେମାନଙ୍କ ସାମ୍ବିଧାନିକ ଅଧିକାର ଦେବା ପାଇଁ ଚାହୁଁଛନ୍ତି ତେବେ ରାଜ୍ୟ ସରକାରଙ୍କ ପାଖରେ ଉପଲବ୍ଧ ପଛୁଆବର୍ଗ ତାଲିକା ଏବଂ ଅନ୍ୟ ରାଜ୍ୟମାନଙ୍କର ଯେଉଁ ମାପଦଣ୍ଡ ଅନୁଯାୟୀ ସଂରକ୍ଷଣ ଯୋଗାଇ ଦିଆଯାଉଛି ସେହି ଆଧାରରେ ସଂରକ୍ଷଣ ଯୋଗାଇ ଦେଇପାରନ୍ତେ । କିନ୍ତୁ ସେପରି ନକରି ମୁଷ୍ଟିମେୟ ପଛୁଆବର୍ଗ ବିରୋଧୀ ଷଡଯନ୍ତ୍ରକାରୀ ଗୋଷ୍ଠୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସଂଖ୍ୟାଗରିଷ୍ଠ ବର୍ଗଙ୍କୁ ସେମାନଙ୍କ ଅଧିକାରରୁ ବଂଚିତ କରୁଛନ୍ତି ବୋଲି ଶ୍ରୀ ବିଶ୍ୱାଳ ଅଭିଯୋଗ କରିଛନ୍ତି ।
ନାମଲେଖା ସମୟ ଅବଧି ସମାପ୍ତି ପୂର୍ବରୁ ରାଜ୍ୟ ସରକାର ପଛୁଆବର୍ଗ ଛାତ୍ରଛାତ୍ରୀଙ୍କ ପାଇଁ ତୁରନ୍ତ ୨୭ପ୍ରତିଶତ ସଂରକ୍ଷଣ ଘୋଷଣା କରିବା ପାଇଁ ରାଜ୍ୟ ମୁଖପାତ୍ର ଶ୍ରୀ ଅନିଲ ବିଶ୍ୱାଳ ଦାବି କରିଛନ୍ତି ।
ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଓବିସି ମୋର୍ଚ୍ଚା ସଂଯୋଜକ ବିବେକାନନ୍ଦ ଜେନା ଓ ରାଜ୍ୟ କୃଷକମୋର୍ଚ୍ଚା ଉପସଭାପତି ଶ୍ରୀରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking