ପଂଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ
ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ନିର୍ବାଚନ ପରିପ୍ରେକ୍ଷୀରେ ଏହାର ତଦାରଖ କରି ବିହୀତ ପଦକ୍ଷେପ ନେବାର ଦାୟୀତ୍ୱ ହେଉଛି ରାଜ୍ୟ ନିର୍ବାଚନ କମିଶନଙ୍କର
ସିମେଂଟ ଓ ଲୁହା ପାଇପରେ ସ୍ଥାୟୀ ଭାବେ ନିର୍ମିତ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଥିବା ବଡ ବଡ ବିଜ୍ଞାପନକୁ ଉଚ୍ଛେଦ କରାଯାଉ
ପଂଚାୟତ କାର୍ଯ୍ୟାଳୟଗୁଡିକରେ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ଥିବା ଶାସକ ବିଜେଡିର ବ୍ୟାନର ଓ ହୋର୍ଡିଂ ପ୍ରଦର୍ଶିତ କରାଯାଇ ଭୋଟରମାନଙ୍କୁ ପ୍ରଭାବିତ କରାଯାଉଛି
ବେଆଇନ ଓ ନିର୍ବାଚର ଆଚରଣ ବିଧିକୁ ଉଲ୍ଲଂଘନ କରି ବିଡିଓ, ତହସିଲଦାର, ବ୍ଲକ ପଂଚାୟତ ଅଫିସରମାନେ ଶାସକ ବିଜେଡି ସପକ୍ଷରେ ପ୍ରଚାର କରୁଛନ୍ତି
ନିଜ କ୍ଷମତାର ଅପବ୍ୟବହାର କରି ବେଆଇନ ଓ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କାର୍ଯ୍ୟ କରିଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ
ଭୂବନେଶ୍ୱର,: ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଆଦର୍ଶ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇଛି । ଆଇନ ସମସ୍ତଙ୍କ ପାଇଁ ସମାନ ଏବଂ ନିର୍ବାଚନ ପରିପ୍ରେକ୍ଷୀରେ ଏହାର ତଦାରଖ କରି ବିହୀତ ପଦକ୍ଷେପ ନେବାର ଦାୟୀତ୍ୱ ହେଉଛି ରାଜ୍ୟ ନିର୍ବାଚନ କମିଶନଙ୍କର । ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶନାମା ଅନୁଯାୟୀ ସମସ୍ତ ସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ଛକ ଏବଂ ପ୍ରମୁଖ ସ୍ଥାନମାନଙ୍କରେ ବିଜ୍ଞାପନ ହୋର୍ଡିଂ, ପୋଷ୍ଟର ଓ ବ୍ୟାନର ଉଚ୍ଛେଦ ହେବା ଉଚିତ୍ । ଏପରିକି ସିମେଂଟ ଓ ଲୁହା ପାଇପରେ ସ୍ଥାୟୀ ଭାବେ ନିର୍ମିତ ମୁଖ୍ୟମନ୍ତ୍ରୀଙ୍କ ଫଟୋଚିତ୍ର ଥିବା ବଡ ବଡ ବିଜ୍ଞାପନ ପ୍ରଦର୍ଶିତ ହେଉଛି । ମାତ୍ର ଦୁର୍ଭାଗ୍ୟର ବିଷୟ ଯେ, ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ପରେ ମଧ୍ୟ ବିଭିନ୍ନ ସରକାରୀ କାର୍ଯ୍ୟାଳୟ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଡାକ୍ତରଖାନା, ବିଦ୍ୟାଳୟ ପରିସର ସମେତ ରାଜ୍ୟର ବିଭିନ୍ନ ସ୍ଥାନମାନଙ୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ଥିବା ଜାଗା ମିଶନ, ଜଳଶକ୍ତି ମିଶନ, ମିଶନ ଶକ୍ତି, ପୂର୍ତ ବିଭାଗ, ବିଜୁଳି ବୋର୍ଡ ଆଦିରେ ବଡ ବଡ ହୋର୍ଡିଂ, ପୋଷ୍ଟର ଓ ବ୍ୟାନର ସର୍ବସାଧାରଣରେ ପ୍ରଦର୍ଶିତ ହେଉଛି ଓ ଏହାର ଉଚ୍ଛେଦ ପାଇଁ କୈାଣସି ପଦକ୍ଷେପ ବର୍ତମାନ ସୁଦ୍ଧା ନିଆଯାଇନାହିଁ । ସରକାରୀ ଅର୍ଥରେ ଦଳୀୟ ନେତାମାନଙ୍କ ଫଟୋ ଥିବା କାରଣରୁ ଏହା ଭୋଟରମାନଙ୍କୁ ପ୍ରଭାବିତ କରିବ । ଏହା କାରଣରୁ ଆଗାମୀ ପଂଚାୟତ ନିର୍ବାଚନ ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ ଅନୁଷ୍ଠିତ ହେବାକୁ ନେଇ ବହୁ ସନ୍ଦେହ ସୃଷ୍ଟି ହୋଇଛି । ଏ ସମସ୍ତ ବିଜ୍ଞାପନକୁ ତୁରନ୍ତ ହଟାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନ ବିହୀତ ପଦକ୍ଷେପ ନେବାକୁ ବିଜେପି ତରଫରୁ ଦାବୀ କରାଯାଇଛି ।
ପଂଚାୟତ କାର୍ଯ୍ୟାଳୟଗୁଡିକରେ ନବୀନ ପଟ୍ଟନାୟକଙ୍କ ଫଟୋଚିତ୍ର ଥିବା ଶାସକ ବିଜେଡିର ବ୍ୟାନର ଓ ହୋର୍ଡିଂ ପ୍ରଦର୍ଶିତ କରାଯାଇ ଭୋଟରମାନଙ୍କୁ ପ୍ରଭାବିତ କରାଯାଉଛି । ଏ ସମସ୍ତ ବେଆଇନ ଓ ନିର୍ବାଚନର ଆଚରଣ ବିଧିକୁ ଉଲ୍ଲଂଘନ କରି ବିଡିଓ, ତହସିଲଦାର, ବ୍ଲକ ପଂଚାୟତ ଅଫିସରମାନେ ଶାସକ ବିଜେଡିର ପ୍ରଚାର କାର୍ଯ୍ୟରେ ଲାଗିପଡିଛନ୍ତି । ଗତ ୧୩ ତାରିଖରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଗୋପିନାଥପୁର ଗ୍ରାମ ପଂଚାୟତରେ ସ୍ଥାନୀୟ ଜିଆରଏସ (ଗ୍ରାମ ରୋଜଗାର ସେବକ) ଶ୍ରୀ ପୁରୁଷୋତମ ବାରିକ ଏବଂ ପଂଚାୟତ ସଂପାଦକ ପଂଚାୟତ ନିର୍ବାଚନ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରି ଶାସକ ଦଳ ପ୍ରାର୍ଥୀଙ୍କ ସପକ୍ଷରେ ମିଶ୍ରଣ ପର୍ବ ଆୟୋଜନ କରିଥିଲେ । ଏହି କାର୍ଯ୍ୟକୁ ବିରୋଧ କରୁଥିବା ଜଣେ ସ୍ଥାନୀୟ ବାସିନ୍ଦାଙ୍କୁ ବିଜେଡି କର୍ମୀମାନେ ଧମକ ଦେବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି ଏବଂ ଏହା ଏକ ଧର୍ତବ୍ୟ ଅପରାଧ । ନିଜ କ୍ଷମତାର ଅପବ୍ୟବହାର କରି ଏଭଳି ବେଆଇନ କାର୍ଯ୍ୟ କରିଥିବାରୁ ସଂପୃକ୍ତ ଜିଆରଏସ ଏବଂ ପଂଚାତୟ ସଂପାଦକଙ୍କ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରାଯାଇଛି ।
ରାଜ୍ୟ ନିର୍ବାଚନ କମିଶନଙ୍କ ପ୍ରତିନିଧି ଭାବେ ବିଡିଓ ଓ ଜିଲ୍ଲାପାଳମାନେ ନିଜ କ୍ଷମତାର ଅପବ୍ୟବହାର କରି ଶାସକ ଦଳ ସପକ୍ଷରେ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ବେନିୟମ କାର୍ଯ୍ୟ କରିବା ସହ ସଂରକ୍ଷଣ କ୍ଷେତ୍ରରେ ଶାସକ ବିଜେଡି ପ୍ରତି ଅନୁକମ୍ପା ଦେଖାଇ ଚଚଂକତା କରିଛନ୍ତି । ଭୋଟର ତାଲିକାରୁ ବେନିୟମ ଭାବେ ବହୁ ସଂଖ୍ୟାରେ ଭୋଟରଙ୍କୁ ବାଦ୍ ଦିଆଯିବା କାରଣରୁ ଆଜି ବହୁ ଆଶାୟୀ ପ୍ରାର୍ଥୀ ନିର୍ବାଚନରେ ଭାଗ ନେବାରୁ ବଂଚିତ ହୋଇଛନ୍ତି । ଏହା ପଂଚାୟତରାଜ ବ୍ୟବସ୍ଥା ପ୍ରତି ଅସମ୍ମାନ ବୋଲି ଡ.ଲେଖାଶ୍ରୀ କହିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା ଓ ପଂଚାନନ ନାଏକ, ବିଜେପି ସମବାୟ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ପବିତ୍ର ଦାଶ୍, ଗଣମାଧ୍ୟମ ସହ ସଂଯୋଜକ ସୁଜିତ ଦାସ୍, ବିଜେପି ସାମାଜିକ ସଙ୍ଗଠନ ରାଜ୍ୟ ସଂଯୋଜକ ରଶ୍ମି ରଞ୍ଜନ କାନୁନଗୋ ପ୍ରମୁଖ ଉପସ୍ଥିତ ଥିଲେ ।