ପିଏମ-କିସାନ ସମ୍ମାନ ନିଧି ଯୋଜନା
ପିଏମ-କିସାନ ସମ୍ମାନ ନିଧି ଯୋଜନାର ସୁଫଳରୁ ଚାଷୀଙ୍କୁ ବଂଚିତ କରିବାରେ ରାଜ୍ୟ ସରକାର କିଏ ?
ୟୁପିଏ ସରକାରରେ ୨୦୦୯ ରୁ ୨୦୧୪ ମସିହା ଅବଧିରେ କୃଷି ବଜେଟରେ ମାତ୍ର ୮.୫ ପ୍ରତିଶତର ଅଭିବୃ୍ଦ୍ଧି ହୋଇଥିବାବେଳେ ମୋଦି ସରକାର ଅମଳରେ ୨୦୧୪ ରୁ ୨୦୧୯ ମସିହା ଭିତରେ ୩୮ ପ୍ରତିଶତ ବୃଦ୍ଧି ପାଇଛି
ଓଡିଶାର ପଂଜିକୃତ ୪୦.୫୪ ଲକ୍ଷ ଚାଷୀ ପିଏମ-କିସାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାଖାପାଖି ୫୫୫୦ କୋଟି ଟଙ୍କା ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର ହୋଇଛି
କାଳିଆ ଯୋଜନା ତାଲିକାରୁ ବାଦ୍ ପଡିଥିବା ହିତାଧିକାରୀ ପିଏମ-କିସାନ ଯୋଜନାରୁ ବଂଚିତ କରାଯାଇଛି କାହିଁକି ?
‘କାଳିଆ’, ‘ବଳରାମ’ ଭଳି ମିଛ ଯୋଜନା ଜରିଆରେ ଚାଷୀଙ୍କୁ କେବଳ ଭୁଆଁ ବୁଲାଯାଉଛି
ଯଥାଶୀଘ୍ର ସଠିକ ଓ ନିର୍ଭୁଲ ଚାଷୀ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରନ୍ତୁ ରାଜ୍ୟ ସରକାର
‘ଲେମ୍ବୁ ଉତ୍ପାଦନରେ ଓଡିଶା ୧ ନମ୍ବର, କିନ୍ତୁ ଗୋଟିଏର ମୂଲ୍ୟ ୧୦ ଟଙ୍କା’ – ରାଜ୍ୟ ସରକାରଙ୍କ ବିଫଳତାର ନଗ୍ନ ଉଦାହରଣ
ଭୁବନେଶ୍ୱର : ଦେଶର ଅର୍ଥବ୍ୟବସ୍ଥାରେ କୃଷି ହେଉଛି ମେରୁଦଣ୍ଡ । ଦେଶର କୃଷକମାନଙ୍କ ଆୟକୁ ଦ୍ୱିଗୁଢଣିତ କରିବା ପାଇଁ ସଂକଳ୍ପବଦ୍ଧ ଏବଂ ଏଥି ପାଇଁ କାର୍ଯ୍ୟ କରିଆସୁଛନ୍ତି । ଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟକୁ କ୍ରମାଗତ ଭାବେ ବୃଦ୍ଧି କରିବା, “ଏକ୍ ଦେଶ – ଏକ୍ ବଜାର”, ଆତ୍ମନିର୍ଭର କୃଷକ, ୨.୯୪ କୋଟି କୃଷକଙ୍କୁ ୩.୨୨ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ କ୍ରେଡିଟ୍ ସୀମା, କିସାନ କ୍ରେଡିଟ କାର୍ଡ, ଫସଲ ବୀମା ଯୋଜନା, “କିସାନ ମାନ ଧନ ଯୋଜନାରେ”, “ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ”, “ହର୍ କ୍ଷେତକୋ ପାନୀ”, ୨୩ କୋଟି କୃଷକଙ୍କୁ ସଏଲ ହେଲ୍ଥ କାର୍ଡ ପ୍ରଦାନ, କିସାନ ରେଲ୍, କିସାନ ଉଡାନ୍, କିସାନ ଟିଭି ଚ୍ୟାନେଲ ଭଳି ଅନେକ କୃଷି ଓ କୃଷକ ଉପେଯାଗୀ କଲ୍ୟାଣକାରୀ ଯୋଜନାର ଶୁଭାରମ୍ଭ କରିଛନ୍ତି । କୃଷି ଭିତିଭୁମି ବିକାଶ ପାଇଁ ୧ ଲକ୍ଷ କୋଟି ଟଙ୍କାର ଋଣ ସୁବିଧା କରାଇଛନ୍ତି । ୧୧୬୩୨ ପ୍ରକଳ୍ପ ପାଇଁ ୮୫୮୫ କୋଟି ଟଙ୍କାର ଋଣ ମଂଜୁର କରିଛନ୍ତି । ସାରା ଦେଶରେ ମଣ୍ଡିଗୁଡିକର ଡିଜିଟାଲ ଏକତ୍ରୀକରଣ କରାଯାଇଛି । “ଇ-ନାମ ପ୍ଲାଟଫର୍ମରେ ୧.୮୭ ଲକ୍ଷ କୋଟି ଟଙ୍କାର କାରବାର ହୋଇଛି । ଏହା ବାଦ୍ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଜରିଆରେ କୃଷକମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ବର୍ତମାନ ସୁଦ୍ଧା ୧୦ଟି କିସ୍ତିରେ ୧୧.୭୮ କୋଟି କୃଷକଙ୍କୁ ୧.୮୨ ଲକ୍ଷ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିସାରିଛନ୍ତି । ଏ ସମସ୍ତ ସିଧାସଳଖ କୃଷକଙ୍କ ବ୍ୟାଂକ ଆକାଉଂଟରେ ଜମା କରାଯାଉଛି । ୟୁପିଏ ସରକାରରେ ୨୦୦୯ ରୁ ୨୦୧୪ ମସିହା ଅବଧିରେ କୃଷି ବଜେଟରେ ମାତ୍ର ୮.୫ ପ୍ରତିଶତର ଅଭିବୃ୍ଦ୍ଧି ହୋଇଥିବାବେଳେ ମୋଦି ସରକାର ଅମଳରେ ୨୦୧୪ ରୁ ୨୦୧୯ ମସିହା ଭିତରେ ୩୮ ପ୍ରତିଶତ ବୃଦ୍ଧି ପାଇଛି । ଚଳିତ ୨୦୨୨-୨୩ ଆର୍ଥିକ ବର୍ଷରେ ୧,୨.୯୬୦.୭୫ କୋଟି ଟଙ୍କାର କୃଷି ବଜେଟ ଉପସ୍ଥାପନ କରିଛନ୍ତି । ମୋଦି ସରକାରଙ୍କ ଆନ୍ତରିକତା କାରଣରୁ କୃଷକଙ୍କ ଅର୍ଥନୈତିକ ସ୍ଥିତି ସୁଦୃଢ ହେବାରେ ଲାଗିଛି ବୋଲି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଡ.ବିଭୁ ପ୍ରସାଦ ତରାଇ ଆଜି ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
ଅନ୍ୟ ପଟେ ରାଜ୍ୟ ସରକାର ସଂପୂର୍ଣ୍ଣ ଚାଷୀବିରୋଧୀ ଏବଂ ଅପାରଗତା ଓ ଆନ୍ତରିକତା ଅଭାବ କାରଣରୁ ରାଜ୍ୟର ଚାଷୀକୁଳ ବିଭିନ୍ନ ସୁବିଧା ସୁଯୋଗ ପାଇବାରୁ ବଂଚିତ ହୋଇଛନ୍ତି । ପିଏମ-କିସାନରେ ରାଜ୍ୟର କୃଷକମାନେ ଆର୍ଥିକ ସହାୟତା ପାଇବାରେ ମୁଖ୍ୟ ବାଧକ ସାଜିଛନ୍ତି ରାଜ୍ୟ ସରକାର । ୨୦୧୯ ମସିହା ନିର୍ବାଚନ ସମୟରେ ୭୫ ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ, ମାତ୍ର ୫୭ ଲକ୍ଷ ଚାଷୀଙ୍କ ତାଲିକା ରାଜ୍ୟ ସରକାରଙ୍କ ନିକଟରେ ଅଛି ବୋଲି ବିଧାନସଭାରେ ସ୍ୱୀକାର କରିଛନ୍ତି । ତାହେଲେ ବଳକା ୧୮ ଲକ୍ଷ ଚାଷୀ କୁଆଡେ ଗଲେ ? ଚାଷୀଙ୍କ ଆଶା ଦେଇ ନିରାଶ କରିବା ସହିତ ପ୍ରତାରଣ କରିଛନ୍ତି ବାଲି ଶ୍ରୀ ତରାଇ କହିଛନ୍ତି ।
ଓଡିଶାର ପଂଜିକୃତ ୪୦.୫୪ ଲକ୍ଷ ଚାଷୀ ପିଏମ-କିସାନ ଯୋଜନାରେ ଅନ୍ତର୍ଭୁକ୍ତ ହୋଇ ପାଖାପାଖି ୫୫୫୦ କୋଟି ଟଙ୍କା ବ୍ୟାଙ୍କ ଖାତାକୁ ଟ୍ରାନ୍ସଫର କରାଯାଇଛି । ତାହେଲେ କାଳିଆ ଯୋଜନରେ ଥିବା ୫୭ ଲକ୍ଷ ହିତାଧିକାରୀଙ୍କ ମଧ୍ୟରୁ କାହିଁକି ବଳକା ୧୬.୪୬ ଲକ୍ଷ ହିତାଧିକାରୀ ପିଏମ-କିସାନ ଯୋଜନାରୁ ବଂଚିତ ହୋଇଛନ୍ତି । ଚାଷୀଙ୍କ ଅଲଗା ଅଲଗା ତାଲିକା ଦେଉଛନ୍ତି ରାଜ୍ୟ ସରକାର । ଓଡିଶା ଚାଷୀ ଉପକୃତ ହେଲେ ରାଜ୍ୟ ସରକାରଙ୍କ କେଉଁଠି ଅସୁବିଧା ରହିଯାଉଛି ? ବାରମ୍ବାର କହିବା ସତ୍ୱେ ରାଜ୍ୟ ସରକାର କାହିଁକି ଚାଷୀତାଲିକା କେନ୍ଦ୍ର ସରକାରକୁ ଦେଉନାହାନ୍ତି, ତାହା ସାଧାରଣରେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିବା ସହ ଶାସକ ବିଜେଡିର ଚାଷୀମାରଣ ନୀତି ସ୍ପଷ୍ଟ ହୋଇଛି । ପିଏମ-କିସାନ ସମ୍ମାନ ଏବଂ କାଳିଆ ଯୋଜନାରେ ଭିନ୍ନ ଭିନ୍ନ ସଂଖ୍ୟାରେ ହିତାଧିକାରୀ ଥିବା, ବାରମ୍ବାର ମାଗିବା ସତ୍ୱେ ରାଜ୍ୟ ସରକାର କେନ୍ଦ୍ରକୁ ସଠିକ ଚାଷୀତାଲିକା ପ୍ରଦାନ ନକରିବା, କାଳିଆ ଯୋଜନାରେ ପିଏମ-କିସାନ ଯୋଜନାର ସହାୟତା ରାଶି ବଂଟନ କରି ଦ୍ୱନ୍ଦ ସୃଷ୍ଟି କରିବା ଭଳି ଅନେକ ସନ୍ଦେହଜନକ କାର୍ଯ୍ୟ କାରଣରୁ ଓଡିଶାର ଚାଷୀକୁଳ ଆଜି ଗୋଲକ ଧନ୍ଦା ଭିତରେ ରହି ଅଯଥାରେ ହନ୍ତସନ୍ତ ହେଉଛନ୍ତି ଶ୍ରୀ ତରାଇ କହିଛନ୍ତି ।
‘କାଳିଆ’, ‘ବଳରାମ’ ଭଳି ମିଛ ଯୋଜନା ଜରିଆରେ ଚାଷୀଙ୍କୁ କେବଳ ଭୁଆଁ ବୁଲାଯାଉଛି । ଓଡ଼ିଶାରେ କିପରି ଚାଷର ଉନ୍ନତି ହେବ ଓ ଅଧିକ ଉତ୍ପାଦନ ହୋଇପାରିବ ଏନେଇ କେନ୍ଦ୍ର ସରକାର ବାରମ୍ବାର ତାଲିକା ମାଗିଲା ପରେ ରାଜ୍ୟ ସରକାର ୯ଲକ୍ଷ ତାଲିକା ଦେଇଛନ୍ତି । ଏଥି ମଧ୍ୟରୁ ୯ହଜାର ଅଯୋଗ୍ୟ ସାମିଲ ଥିବାର ପ୍ରାଥମିକ ସ୍ତରରେ ଧରାପଡିଛି ଏବଂ ଏ ସମସ୍ତ ଅଯୋଗ୍ୟ ହିତାଧିକାରୀମାନେ ଶାସକ ବିଜେଡିର କର୍ମୀ ଥିବାର ପ୍ରମାଣିତ ହୋଇଛି । ପିଏମ-କିସାନ ଯୋଜନାରେ ଓଡିଶାର ଚାଷୀମାନେ ଲାଭାନ୍ୱିତ ହେଲେ କାଳେ ମୋଦି ସରକାର ନାମ ନେଇଥିବେ ସେହି ଭୟରେ ଓଡିଶା ସରକାର ସଠିକ ତାଲିକା କେନ୍ଦ୍ର ସରକାରଙ୍କୁ ପ୍ରଦାନ କରୁନାହାନ୍ତି ବୋଲି ଶ୍ରୀ ତରାଇ କହିଛନ୍ତି ।
ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ଥିବା ଶାସକ ବିଜେଡି ୩୫ ପ୍ରତିଶତ ଜମିକୁ ଜଳସେଚନ ପାଇଁ ଦେଇଥିବା ପ୍ରତିଶୃତି ଆଜି ପାଣିରେ ଗାର ସଦୃଶ ହୋଇପଡିଛି । ରାଜ୍ୟରେ ଉତ୍କଟ ଧାନ ମଣ୍ଡି ସମସ୍ୟାର ସମାଧାନ ପରିବର୍ତେ ଏହା କ୍ରମାଗତ ବୃଦ୍ଧି ପାଇଚାଲିଛି । ଆବଶ୍ୟକ କୃଷି ଭିତିଭୁମିର ଅଭାବ କାରଣରୁ ଚାଷୀର ଆୟ ବୃଦ୍ଧି ପରିବର୍ତେ ହ୍ରାସ ପାଇଚାଲିଛି ଏବଂ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ । ସମଗ୍ର ଦେଶରେ ଲେମ୍ବୁ ଉତ୍ପାଦନରେ ଏକ ନମ୍ବର ରାଜ୍ୟ ବୋଲିି ସଦ୍ୟ ସମାପ୍ତ ବିଧାନସଭା ଅଧିବେସନରେ କୃଷିମନ୍ତ୍ରୀଙ୍କ ବକ୍ତବ୍ୟ ପରେ ଆଜି ରାଜ୍ୟରେ ଗୋଟିଏ ଲେମ୍ବୁର ମୂଲ୍ୟ ୧୦ ଟଙ୍କାରେ ପହଂଚିଛି । ତେଣୁ ରାଜ୍ୟ ସରକାର ନିଜ ଚାଷୀମାରଣ ନୀତି ମାନସିକତାକୁ ପରିତ୍ୟାଗ କରି ଚାଷୀକୁଳର ହିତ ପାଇଁ କେନ୍ଦ୍ରୀୟ ଯୋଜନାର ସଫଳ ଭାବେ କାର୍ଯ୍ୟାନ୍ୱୟନ କରନ୍ତୁ । କାଳବିଳମ୍ବ ନକରି ଯଥାଶୀଘ୍ର ସଠିକ ଓ ନିର୍ଭୁଲ ଚାଷୀ ତାଲିକା କେନ୍ଦ୍ର ସରକାରଙ୍କ ନିକଟରେ ପ୍ରଦାନ କରିବା ପାଇଁ ରାଜ୍ୟ ସରକାରଙ୍କୁ ଶ୍ରୀ ତରାଇ ପରାମର୍ଶ ଦେଇଛନ୍ତି ।
ଏହି ସାମ୍ବାଦିକ ସମ୍ମଳନୀରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ବିଜେପି ସମବାୟ ସେଲ ରାଜ୍ୟ ସଂଯୋଜକ ପବିତ୍ର ଦାଶ ଏବଂ ରାଜ୍ୟ ଗଣମାଧ୍ୟମ ସହମୁଖ୍ୟ ସୁଜିତ୍ କୁମାର୍ ଦାସ୍ ପ୍ରମୁଖ ଉପସ୍ଥିତ ଥିଲେ ।