27.1 C
Bhubaneswar
Saturday, October 19, 2024
Homeଓଡିଶାସରକାରଙ୍କ ପାଇଁ ଆଜି ୪୦ ଲକ୍ଷ ଛାତ୍ରଛାତ୍ରୀ ପଢାରୁ ବଂଚିତ ହେଲେ : ଅନିଲ ବିଶ୍ୱାଳ

ସରକାରଙ୍କ ପାଇଁ ଆଜି ୪୦ ଲକ୍ଷ ଛାତ୍ରଛାତ୍ରୀ ପଢାରୁ ବଂଚିତ ହେଲେ : ଅନିଲ ବିଶ୍ୱାଳ

 ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା-“ସରକାର ପ୍ରାୟୋଜିତ ବିପର୍ଯ୍ୟୟ”

 ଶିକ୍ଷାମନ୍ତ୍ରୀ ବିଜେଡି କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ତାଲିମ ଦେବା ପାଇଁ ସମୟ ପାଉଛନ୍ତି କିନ୍ତୁ ଶିକ୍ଷକମାନଙ୍କ ସହିତ ଆଲୋଚନା ପାଇଁ ନୁହେଁ
 ସ୍କୁଲର କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ୩,୪୧୦କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ସରକାରଙ୍କ ପାଖରେ ଟଙ୍କା ଅଛି କିନ୍ତୁ ଶିକ୍ଷକମାନଙ୍କ ଦରମା ଦେବା ପାଇଁ ଅର୍ଥ ନାହିଁ
 ସଚିବଙ୍କ ଗସ୍ତରେ ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ସରକାରଙ୍କ ପାଖରେ ଅର୍ଥ ଅଛି ତାହେଲେ ୪୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପାଠପଢା ବାବଦରେ ଖର୍ଚ୍ଚ କରିବା ପାଇଁ କାହିଁକି ଅର୍ଥ ନାହିଁ ?
 ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶାରୁ ଠିକା ନିଯୁକ୍ତି ହଟିଗଲା ବୋଲି ଘୋଷଣା କରିଥିଲେ

ଭୁବନେଶ୍ୱର, ତା.୧୩/୦୯: ଓଡ଼ିଶାର ଶିକ୍ଷା ବ୍ୟବସ୍ଥାର ଆଜି ଏକ କଳାଦିନ । ରାଜ୍ୟରେ ୫ଦିନ ଧରି ଚାଲିଥିବା ଶିକ୍ଷକ ଆନ୍ଦୋଳନକୁ ରାଜ୍ୟ ସରକାର ସାମାଧାନ କରିପାରିଲେ ନାହିଁ । ଯାହା ଫଳରେ ଆଜି ରାଜ୍ୟର ୫୦ହଜାର ସ୍କୁଲରେ ତାଲା ପଡିବାକୁ ଯାଉଛି । ୧ଲକ୍ଷ ୩୦ହଜାର ଶିକ୍ଷକ ଆଜି ରାଜରାସ୍ତାରେ ନିଜ ଅଧିକାର ପାଇଁ ଳଢ଼ାଇ କରୁଛନ୍ତି । ଯାହା ଫଳରେ ରାଜ୍ୟର ୪୦ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି । ଏହା ଏକ ସରକାରୀ ପ୍ରାୟୋଜିତ ବିପର୍ଯ୍ୟୟ । ୮ତାରିଖରୁ ହୋଇଥିବା ଏହି ଆନ୍ଦୋଳନ ଆଜି ୫ଦିନ ପୂରିଲାଣି । ଏହି ୫ଦିନରେ ସରକାର କଲେ କ’ଣ । ଶିକ୍ଷାମନ୍ତ୍ରୀ ବିଜୁ ଜନତା ଦଳର କାର୍ଯ୍ୟାଳୟରେ ଦଳୀୟ କର୍ମୀଙ୍କୁ ତାଲିମ ଦେବା ପାଇଁ ସମୟ ପାଉଛନ୍ତି । ବିଜୁ ଜନତା ଦଳ ବିଧାୟକ, ମନ୍ତ୍ରୀ, ସାଂସଦମାନେ ତାଙ୍କର ଦଳର ଜଣେ ବିଧାୟକଙ୍କ ବିରୋଧରେ ଗଣମାଧ୍ୟମରେ ପ୍ରତିଦିନ ବୟାନବାଜି କରିବାକୁ ସମୟ ଅଛି । ମୟୂରଭଞ୍ଜ ଜିଲ୍ଲାପାଳ ବିଜୁ ଜନତା ଦଳର ସଭାରେ ଯୋଗ ଦେବା ପାଇଁ ସମୟ ଅଛି । କିନ୍ତୁ ସରକାରୀ ଦଳର ମନ୍ତ୍ରୀ, ବିଧାୟକ, ସାଂସଦ, ଅଧିକାରୀମାନଙ୍କୁ ଶିକ୍ଷକମାନଙ୍କ ଆନ୍ଦୋଳନ ସମସ୍ୟା ସମାଧାନ କରିବା, ଆନ୍ଦୋଳନସ୍ଥାନକୁ ଯିବା ପାଇଁ ସମୟ ହେଲାନାହିଁ । ଆତ୍ମବିଭୋର ପ୍ରଶାସକ ଓ ଅସହାୟ ରାଜନେତାମାନଙ୍କ ପାଇଁ ଓଡ଼ିଶାର ୪୦ଲକ୍ଷ ଛାତ୍ରଛାତ୍ରୀମାନଙ୍କ ପାଠ ପଢ଼ା ଆଜି ପ୍ରଭାବିତ ବୋଲି ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ କହିଛନ୍ତି ।
ବିଜୁ ଜନତା ଦଳ ସରକାରରେ ମାଲିକ ସାଜିଥିବା ଅଣଓଡ଼ିଆ ଅଧିକାରୀମାନେ ଓଡ଼ିଶାରେ ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରିବା ପାଇଁ ଯେଉଁ ଷଡଯନ୍ତ୍ର ରଚିଛନ୍ତି ଏହା ହେଉଛି ତାହାର ପ୍ରମାଣ । ୫-ଟି ଟ୍ରାନ୍ସିମିସନ ନାଁରେ ସ୍କୁଲର କାନ୍ଥ, ବାଡକୁ ସବୁଜ ରଙ୍ଗ କରିବାରେ ଯଦି ୩,୪୧୦କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ସରକାରଙ୍କ ପାଖରେ ଟଙ୍କା ଅଛି ତାହାଲେ ଶିକ୍ଷକମାନଙ୍କ ଦରମା ଦେବା ପାଇଁ କାହିଁକି ଅର୍ଥର ଅଭାବ ପଡୁଛି । ଯଦି ଜଣେ ସଚିବଙ୍କ ଗସ୍ତରେ ପାଇଁ ୫୦୦ କୋଟି ଟଙ୍କା ଖର୍ଚ୍ଚ କରିବା ପାଇଁ ସରକାରଙ୍କ ପାଖରେ ଅର୍ଥ ଅଛି ତାହେଲେ ୪୦ ଲକ୍ଷ ପିଲାଙ୍କ ପାଠପଢା ବାବଦରେ ଖର୍ଚ୍ଚ କରିବା ପାଇଁ କାହିଁକି ଅର୍ଥ ନାହିଁ । ଅକ୍ଟୋବର ୨୦୨୨ରେ ମୁଖ୍ୟମନ୍ତ୍ରୀ ନିଜେ ଓଡ଼ିଶାରୁ ଠିକା ନିଯୁକ୍ତି ହଟିଗଲା ବୋଲି ଘୋଷଣା କରିଥିଲେ । ପୁନଃ ଏପ୍ରିଲ ୨୦୨୩ରେ ଆଉ ଥରେ ଘୋଷଣା କଲେ ଯେ, ଓଡ଼ିଶାରେ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ଆଉ କେହି ଠିକା ଶିକ୍ଷକ ରହିବେ ନାହିଁ । ସରକାର ଯେଉଁ କଥା ନିଜେ ଘୋଷଣା କରୁଛନ୍ତି ସେହି କଥାକୁ କାହିଁକି ମାନୁନାହାନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମିଛ ଘୋଷଣା ପ୍ରତିଶ୍ରୁତି ଦେବାରେ ରେକର୍ଡ କରିଛି । ଆଜି ଶିକ୍ଷକମାନଙ୍କର ଦରମା, ନିଯୁକ୍ତି, ପଦୋନ୍ନତିକୁ ନେଇ ଯେଉଁ ସମସ୍ୟା ଉପୁଜିଛି ସେଥିପାଇଁ ସରକାର ନିଜେ ଦାୟୀ । ଓଡ଼ିଶାରେ ଶିକ୍ଷକମାନଙ୍କୁ କାହିଁକି ଏତେ କ୍ୟାଟାଗୋରିରେ ବିଭକ୍ତ କରାଯାଇଛି ? ମଇ ୬, ୨୦୨୧ରେ ମାନ୍ୟବର ହାଇକୋର୍ଟ ଏନେଇ ଓଡ଼ିଶା ସରକାରଙ୍କୁ ଏନେଇ ପ୍ରଶ୍ନ କରିଥିଲେ । ଏକଥା ମଧ୍ୟ କହିଥିଲେ ଯେ, ସରକାର ପ୍ରାଥମିକ ଶିକ୍ଷାକୁ ନେଇ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି । ହାଇକୋର୍ଟଙ୍କ ସେହି କଥା ଉପରେ ରାଜ୍ୟ ସରକାର କଣ ପଦକ୍ଷେପ ନେଲେ ? କାହିଁକି ମାନ୍ୟବର ସୁପ୍ରିମକୋର୍ଟର୍ଙ୍କ ସମାନ କାମକୁ ସମାନ ଦରମା ନିୟମକୁ ରାଜ୍ୟ ସରକାର ମାନୁନାହାନ୍ତି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।
ସାରା ଦେଶରେ ସ୍କୁଲ ଶିକ୍ଷାର ଗୁଣାତ୍ମକ ମାନକୁ ନେଇ ହୋଇଥିବା “ଫର୍‌ଫର୍‌ମାନ୍ସ ଇଣ୍ଡେକ୍ସ”ରେ ଓଡ଼ିଶାର ସ୍କୁଲ ଖରାପ ସୂଚକାଙ୍କରେ ଆସୁଛି । ରାଜ୍ୟରେ ସବୁ ସମୟରେ ଶିକ୍ଷକମାନେ ସେମାନଙ୍କର ସର୍ବନିମ୍ନ ଅଧିକାରକୁ ନେଇ ଆନ୍ଦୋଳନ କରିବା ପାଇଁ ବାଧ୍ୟ ହେଉଛନ୍ତି । ହେଲେ ସରକାର ମାତିଛନ୍ତି ପିଲାମାନଙ୍କ ପୋଷାକ ଓ ସ୍କୁଲ କାନ୍ଥ, ବାଡକୁ ଦଳୀୟ ରଙ୍ଗ କରିବାରେ । ୨୦୧୯ ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତାର ବିଧାନସଭା ନିର୍ବାଚନୀ ସଙ୍କଳ୍ପନାମାରେ ଶିକ୍ଷକମାନଙ୍କ ଦରମା, ସେମାନଙ୍କର ଦାବି, ଅଧିକାରକୁ ପୂରଣ କରିବା ପାଇଁ ଘୋଷଣା କରିଥିଲା । ଆଜି ସାରା ରାଜ୍ୟରେ ଯେଉଁ ଶିକ୍ଷକ ଆନ୍ଦୋଳନ ଚାଲିଛି ଭାରତୀୟ ଜନତା ପାର୍ଟି ସେମାନଙ୍କ ସହିତ ଅଛି ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି ।

 

(ବିଜେପି ମିଡିଆ ସେଲ୍‌)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking