ଭୁବନେଶ୍ୱର: ବିଜୁ ଜନତା ଦଳର ସାଙ୍ଗଠନିକ ନିର୍ବାଚନ ଓଡ଼ିଆ ନବବର୍ଷ ପୂର୍ବରୁ ଶେଷ ହେବ ବୋଲି ଆଜି ଦଳ ତରଫରୁ କୁହାଯାଇଛି। ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ଦଳର ସାଙ୍ଗଠନିକ ନିର୍ବାଚନ ସମ୍ୱନ୍ଧରେ ଚୂଡାନ୍ତ ନିଷ୍ପତ୍ତି ନେବା ପାଇଁ ଆଜି ଶଙ୍ଖ ଭବନ ଠାରେ ଦଳର ସମନ୍ୱୟ କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଶ୍ରୀ ଦେବୀପ୍ରସାଦ ମିଶ୍ର ଅଧ୍ୟକ୍ଷତା କରିଥିଲେ।
ସମନ୍ୱୟ କମିଟିର ଅନ୍ୟତମ ସଦସ୍ୟ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଦୀପ ଅମାତ ଏକ ସାମ୍ୱାଦିକ ସମ୍ମିଳନୀରେ ଏହି ବୈଠକ ଓ ଦଳର ସାଙ୍ଗଠନିକ ନିର୍ବାଚନ ସମ୍ବନ୍ଧରେ ସୂଚନା ଦେଇଥିଲେ। ଦଳର ସାଙ୍ଗଠନିକ ନିର୍ବାଚନ ପାଇଁ ରାଜ୍ୟ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଥିବା ଦଳର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରତାପ ଦେବ ଏହି ବୈଠକରେ ଯୋଗଦେଇ ନିର୍ବାଚନର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ। ଫେବୃଆରୀ ମାସ ପ୍ରଥମ ସପ୍ତାହରେ ଜିଲ୍ଲା ନିର୍ବାଚନ ଅଧିକାରୀ ମାନଙ୍କୁ ନିଯୁକ୍ତି ଦିଆଯିବ। ନିର୍ବାଚନ ପ୍ରକ୍ରିୟା ଓଡ଼ିଆ ନବବର୍ଷ ପୂର୍ବରୁ ଶେଷ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଏଥିରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ଷ୍ଟେଟ୍ କାଉନ୍ସିଲ ସଦସ୍ୟଙ୍କ ସହିତ ସଭାପତିଙ୍କ ନିର୍ବାଚନ ହେବ । ବରିଷ୍ଠ, ମହିଳା, ଯୁବ ଓ ଛାତ୍ର ସଂଗଠନର ସହଯୋଗରେ ଏହି ନିର୍ବାଚନ ହେବ ବୋଲି ଶ୍ରୀ ଅମାତ କହିଥିଲେ।