ଭୁବନେଶ୍ୱର: ବିଜେଡି ଭାଡି ଖାଲି ହେଉଛି କହିଲେ ଦେବାଶିଷ ସାମନ୍ତରାୟ । ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ପରେ ଦେବାଶିଷ ପ୍ରତିକ୍ରିୟା ରଖି କହିଛନ୍ତି, ବିଜେଡି ଭାଡି ଖାଲି ହେଉଛି, ଆଗାମୀ ଦିନରେ କଣ ହେଉଛି ଦେଖନ୍ତୁ । ଅଧିକରୁ ଅଧିକ ନେତା ବିଜେପିକୁ ଆସିବେ । ଏଠି ଅଧିକ ସୁଯୋଗ ଅଛି । ଲୋକଙ୍କୁ ସେବା କରିବାର ସୁଯୋଗ ବିଜେପିରେ ଅଧିକ ଅଛି । ଡବଲ ଇଞଅଜିନ ସରକାର ଥିବାରୁ ଏଠାରେ ଅଧିକ କାମ କରିପାରିବି । ରାଜ୍ୟସଭା ଉପନିର୍ବାଚନ ପାଇଁ ବିଜେପି ପ୍ରାର୍ଥୀଭାବେ ଦେବାଶିଷ ସାମନ୍ତରାୟ ଶୁକ୍ରବାର ନାମାଙ୍କନ ଭରିଛନ୍ତି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଶ୍ରୀ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ବିଧାନସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ସାମନ୍ତରାୟ ନାମାଙ୍କନ ଭରିଛନ୍ତି । ଓଡ଼ିଶା ପାଇଁ ହେବାକୁ ଥିବା ରାଜ୍ୟସଭା ଉପନିର୍ବାଚନ ସକାଶେ ଦେବାଶିଷଙ୍କୁ ପ୍ରାର୍ଥୀ କରିଛି ବିଜେପି। ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧ ଭାବେ ତାଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ଦେବାଶିଷ ବିଜେଡି ଛାଡ଼ିବା ସହିତ ରାଜ୍ୟସଭା ପଦରୁ ଇସ୍ତଫା ଦେବା ପରେ ଏହି ଆସନ ଖାଲିପଡ଼ିଛି। ୨୦୨୪ ଏପ୍ରିଲରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଦେବାଶିଷ ସାମନ୍ତରାୟ। ତାଙ୍କ କାର୍ୟ୍ୟକାଳ ୨୦୩୦ ଏପ୍ରିଲ ୩ ତାରିଖରେ ଶେଷ ହୋଇଥା’ନ୍ତା। ତା’ ପୂର୍ବରୁ ୨୦୨୬ ମେ’ ୨୫ ତାରିଖରେ ସେ ଏହି ପଦରୁ ଇସ୍ତଫା ଦେଇଥିଲେ।ଦେବାଶିଷ ବିଜେଡି ଟିକେଟରେ ରାଜ୍ୟସଭାକୁ ଯାଇଥିଲେ। ମେ’ ୨୫ରେ ସେ ବିଜେଡିରୁ ଇସ୍ତଫା ଦେବା ସହିତ ରାଜ୍ୟସଭା ସାଂସଦ ପଦ ମଧ୍ୟ ଛାଡ଼ି ଦେଇଥିଲେ। ମେ’ ୨୬ରେ ସେ ବିଜେପିରେ ଯୋଗ ଦେଇଥିଲେ।










