30.1 C
Bhubaneswar
Saturday, June 7, 2025
Homeଓଡିଶାନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଶାସକ ଦଳର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଶାସକ ଦଳର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଖୋଲାଖୋଲି ଉଲ୍ଲଂଘନ କରୁଛନ୍ତି

ଘରେ ନପଶୁଣୁ ଚାଳ ବାଜିଲା : ବିଜେପି
*ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆଶଙ୍କା ସୃଷ୍ଟି ହୋଇଛି
*ପ୍ରଥମରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ପଥ ପ୍ରଶସ୍ତ କରନ୍ତୁ ରାଜ୍ୟ ନିର୍ବାଚନ କମିଶନ
*ନିର୍ବାଚନକୁ ପ୍ରଭାବିତ କରିବା ଭଳି ସରକାରୀ ଦଳର ପର୍ଯ୍ୟାପ୍ତ ବିଜ୍ଞାପନ ହୋର୍ଡିଂ ଓ ବ୍ୟାନରର ଉଚ୍ଛେଦ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ
*କରୋନା ଗାଇଡଲାଇନକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଏବଂ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ଭିନ୍ନ ଭିନ୍ନ ନିର୍ଦ୍ଦେଶନାମାର ଦ୍ୱନ୍ଦ ଦୁର କରାଯାଉ

ଭୂବନେଶ୍ୱର, : ଆଗାମୀ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପାଇଁ ଗତ ୧୧ ତାରିଖ ଦି ରାଜ୍ୟ ନିର୍ବାଚନ କମିଶନ ବିଜ୍ଞପ୍ତି ପ୍ରକାଶ କରିବା ସହିତ ତତ୍‌କ୍ଷଣାତ ରାଜ୍ୟବ୍ୟାପୀ ନିର୍ବାଚନ ଆଚରଣ ବିଧି ଲାଗୁ କରିଛନ୍ତି । କରୋନା ସଂକ୍ରମଣର ଭୟଭୟତାକୁ ଦେଖି ନିର୍ବାଚନ ପ୍ରଚାର ପାଇଁ ନିର୍ବାଚନ କମିଶନ ଗାଇଡଲାଇନ ଜାରୀ କରିଛନ୍ତି । ମାତ୍ର ୨୪ ଘଂଟା ନପୁରୁଣୁ ଶାସକ ବିଜେଡି ମନ୍ତ୍ରୀ, ସାଂସଦ, ବିଧାୟକ ଓ ନେତାମାନେ ଖୋଲାଖୋଲି ଭାବେ ଆଚରଣ ବିଧିକୁ ଉଲ୍ଲଂଘନ କରି ନିର୍ବାଚନ ପ୍ରଚାର କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି । ‘ଘରେ ନପଶୁଣୁ ଚାଳ ବାଜିବା’ ନ୍ୟାୟରେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶକୁ ଶାସକ ଦଳର ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ଖୋଲାଖୋଲି ଉଲ୍ଲଂଘନ କରୁଥିବାରୁ ଅବାଧ ଓ ନିରପେକ୍ଷ ନିର୍ବାଚନ ପରିଚାଳନା ପାଇଁ ଆଶଙ୍କା ସୃଷ୍ଟି ହୋଇଛି । ନିର୍ବାଚନ ପ୍ରକ୍ରିୟାର ଆରମ୍ଭରୁ ଆଚରଣ ବିଧିର ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୁଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଗଲେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଯିବା ସୁନିଶ୍ଚିତ । ତେଣୁ ରାଜ୍ୟ ନିର୍ବାଚନ କମିଶନ ପ୍ରଥମରୁ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏକ ଅବାଧ, ନିରପେକ୍ଷ ଓ ଭୟମୁକ୍ତ ନିର୍ବାଚନ ପାଇଁ ପଥ ପ୍ରଶସ୍ତ କରିବାକୁ ଭାରତୀୟ ଜନତା ପାର୍ଟୀ ତରଫରୁ ଦାବୀ କରାଯାଇଛି ।
ଗତ କାଲି ଗଂଜାମ ଜିଲ୍ଲା ପୋଲସରାରେ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ; ଆଜି ଜଗତସିଂହପୁର ଜିଲ୍ଲାର ତିର୍ତୋଲଠାରେ ବରିଷ୍ଠ ମନ୍ତ୍ରୀ ସମୀର ରଂଜନ ଦାଶ, ସାଂସଦ ରାଜଶ୍ରୀ ମଲ୍ଲିକ ନିଜ ଶତାଧିକ ବିଜେଡି ସମର୍ଥକଙ୍କ ଗହଣରେ ନିର୍ବାଚନ ସଂପର୍କିତ ସଭା ଓ ସମ୍ମିଳନୀ ଜାରୀ ରଖିଛନ୍ତି । ଉଭୟ ସ୍ଥାନରେ ଜିଲ୍ଲା ପ୍ରଶାସନ ଆଖି ବୁଜି ଦେଇଥିବାରୁ ଶାସକ ଦଳର ନେତାମାନେ କରୋନା ଗାଇଡଲାଇନକୁ ଭୃକ୍ଷେପ ନକରି ବିଧି ବ୍ୟବସ୍ଥାର ଖୋଲାଖୋଲି ଅବମାନନା କରିଛନ୍ତି । ଶାସକ ଦଳର ବରିଷ୍ଠ ମନ୍ତ୍ରୀ, ସାଂସଦ, ବିଧାୟକମାନଙ୍କର ଆଦର୍ଶ ଆଚରଣ ବିଧି ଖୋଲାଖୋଲି ଉଲ୍ଲଂଘନ ତୃଣମୁଳ ସ୍ତରରେ ଶାସକ ଦଳର କର୍ମୀମାନଙ୍କୁ ପ୍ରୋତ୍ସାହନ ଯୋଗାଇବା ସହିତ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ କରାଯାଇ ସମଗ୍ର ରାଜ୍ୟରେ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ଗତ ୫ ତାରିଖର ନିର୍ଦ୍ଦେଶ ମୁତାବକ ୧୦୦ ଲୋକଙ୍କୁ ନେଇ ସଭା ସମିତି ବର୍ତମାନ ସୁଦ୍ଧା ଜାରୀ ରହିବା ଦୁର୍ଭାଗ୍ୟଜନକ ।
ନିର୍ବାଚନକୁ ପ୍ରଭାବିତ କରିବା ଭଳି ସରକାରୀ ଦଳର ପର୍ଯ୍ୟାପ୍ତ ବିଜ୍ଞାପନ ହୋର୍ଡିଂ ଓ ବ୍ୟାନର ଶାସକ ଦଳ ଦ୍ୱାରା ରାଜ୍ୟବ୍ୟାପୀ ଛାଇଯାଇଥିଲେ ମଧ୍ୟ ଏ ସବୁର ଉଚ୍ଛେଦ ଲାଗି ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳମାନେ କୈାଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ମାନ୍ୟବର ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ତଥା ଏତାଦୃଶ ଆଦର୍ଶ ଆଚରଣ ବିଧିର ବ୍ୟାପକ ଉଲ୍ଲଂଘନ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଭାରତୀୟ ଜନତା ପାର୍ଟୀ ତରଫରୁ ଦାବୀ ଉପସ୍ଥାପନ କରାଯାଉଛି ।
ସଂପ୍ରତି ରାଜ୍ୟରେ କରୋନା ସଂକ୍ରମଣ ଆକ୍ରାନ୍ତଙ୍କ ପ୍ରତିଦିନ ବୃଦ୍ଧି ପାଇଚାଲିଛି । ଆଜି ଏହି ସଂଖ୍ୟା ଦଶ ହଜାରକୁ ଅତିକ୍ରମ କରିଛି ଏବଂ ଆଗାମୀ ଦିନରେ ଏହି ସଂଖ୍ୟ ୩୦ ହଜାର ଛୁଇଁବ ବୋଲି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଶଙ୍କା ପ୍ରକଟ କରାଯାଇଥିବାବେଳେ ଓଡିଶାର ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ୪୦ ହଜାର ଟପିଯାଇପାରେ ବୋଲି ଚିନ୍ତା ପ୍ରକଟ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ସମୟରେ କୈାଣସି ବଡ କାର୍ଯ୍ୟକ୍ରମ ହୋଇପାରିବ ନାହିଁ ବୋଲି ଆଇନରେ ଉଲ୍ଲେଖ ଅଛି । ଏଭଳି ସଂକଟ ସମୟରେ ଯେଉଁମାନେ ଆଦର୍ଶ ଆଚରଣବିଧି ଉଲ୍ଲଂଘନ କରିଛନ୍ତି, ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କମିଶନଙ୍କ ନିକଟରେ ଦାବୀ ଉପସ୍ଥାପିତ କରୁଛୁ ।
କରୋନା ଗାଇଡଲାଇନକୁ ନେଇ ରାଜ୍ୟ ନିର୍ବାଚନ କମିଶନ ଏବଂ ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନଙ୍କ ଭିନ୍ନ ଭିନ୍ନ ନିର୍ଦ୍ଦେଶନାମା ସାଧାରଣରେ ଦ୍ୱନ୍ଦ ସୃଷ୍ଟି କରିଛି । ଏହି ପ୍ରସଙ୍ଗରେ ରାଜ୍ୟ ନିର୍ବାଚନ କମିଶନ ତୁରନ୍ତ ରାଜ୍ୟବାସୀଙ୍କ ଦ୍ୱନ୍ଦ ଦୁର କରିବାକୁ ପ୍ରତିନିଧି ଦଳ ଦାବୀ କରିଛନ୍ତି ।
ଏହି ପ୍ରତିନିଧି ଦଳରେ ରାଜ୍ୟ ମୁଖପାତ୍ର ରମାରଞ୍ଜନ ବଳିୟାରସିଂହ, ରାଜ୍ୟ ପଂଚାୟତରାଜ ପ୍ରକୋଷ୍ଠ ସଂଯୋଜକ ଶଙ୍କର୍ଷଣ ପରିଡା, ରାଜ୍ୟ ଗଣମାଧ୍ୟମ ସହପ୍ରମୁଖ ସୁଜିତ କୁମାର ଦାସ ଏବଂ ରାଜ୍ୟ ଓବିସି ମୋର୍ଚ୍ଚା ରାଜ୍ୟ ସଂପାଦକ ସିଦ୍ଧାର୍ଥ ଶଂକର ପତି ସାମିଲ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking