30.1 C
Bhubaneswar
Monday, June 17, 2024
Homeଓଡିଶାଓଡ଼ିଶାରେ ବିଜେପି ସରକାର ଆସିଲେ ଚାଷୀଙ୍କ ସାମଗ୍ରିକ ବିକାଶ ହେବ: ପ୍ରଦୀପ ପୁରୋହିତ

ଓଡ଼ିଶାରେ ବିଜେପି ସରକାର ଆସିଲେ ଚାଷୀଙ୍କ ସାମଗ୍ରିକ ବିକାଶ ହେବ: ପ୍ରଦୀପ ପୁରୋହିତ

ଭୁବନେଶ୍ୱର: ଓଡିଶାରେ ୩ଟି ପର୍ଯ୍ୟାୟ ନିର୍ବାଚନ ସରିଛି । ଏ ପର୍ଯ୍ୟନ୍ତ ନିର୍ବାଚନରେ ମିଳିଥିବା ଜନମତ ଅନୁଯାୟୀ ୨୦୨୪ରେ ଓଡ଼ିଶାରେ ଭାରତୀୟ ଜନତା ପାର୍ଟି ସରକାର ଗଠନ କରିବାକୁ ଯାଉଛି । ବିଜେପି ପ୍ରତି ଲୋକଙ୍କ ଆସ୍ଥା ଓ ବିଶ୍ୱାସ ଦିନକୁ ଦିନ ବଢ଼ିଚାଲିଛି । ଅପରପକ୍ଷେ ଦୁର୍ନୀତିଗ୍ରସ୍ତ ବିଜୁ ଜନତା ଦଳ ଉପରେ ଲୋକେ ଆଉ ଭରସା କରୁନାହାନ୍ତି । ୨୦୨୪ରେ ଭାରତୀୟ ଜନତା ପାର୍ଟିର ସରକାର ପ୍ରତିଷ୍ଠା ହେଲେ ପାନ,ଧାନ, ମୀନ ଓ ପଶୁପାଳନ ଭଳି ବିଭିନ୍ନ ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ଯେଉଁ ସବୁ ସଂକଳ୍ପ କରିଛି ତାହାକୁ ପୂରଣ କରିବାକୁ ପ୍ରତିଶ୍ରୁତି ବଦ୍ଧ ବୋଲି ରାଜ୍ୟ ମୁଖପାତ୍ର ଶ୍ରୀ ପ୍ରଦୀପ ପୁରୋହିତ କହିଛନ୍ତି ।

ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପୁରୋହିତ କହିଛନ୍ତି, ନବୀନ ପଟ୍ଟନାୟକ ଦୀର୍ଘ ୨୫ ବର୍ଷ ହେବ ଓଡିଶାର ଚାଷୀଙ୍କ ସହ ଅନେକ ବିଶ୍ୱାସଘାତ କରିଛନ୍ତି । ସେମାନଙ୍କ ଆୟ ବଢ଼ାଇବାକୁ ସକ୍ଷମ ହୋଇନାହାନ୍ତି । ଅନ୍ୟ ରାଜ୍ୟ ତୁଳନାରେ ଓଡିଶାରେ ଚାଷୀଙ୍କ ଆୟ ସାରା ଭାରତରେ ତଳଆଡ଼ୁ ଦ୍ୱିତୀୟ ସ୍ଥାନରେ ରହିଛି । ୨୦୧୯ ନିର୍ବାଚନରେ ସମୟରେ କାଳିଆ ଯୋଜନା ଆଣି ଚାଷୀଙ୍କୁ ଭଣ୍ଡାଇଥିଲେ । ଏହି ଯୋଜନାରେ ପ୍ରତି ଚାଷୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ଦେବାକୁ ସେତେବେଳେ ବିଜେଡି ସରକାର ଘୋଷଣା କରିଥିଲେ । ମାତ୍ର ନିର୍ବାଚନ ଜିତିବାପରେ ସବୁ ଭୁଲିଗଲେ । ବିଜେଡି ସହ ସମ୍ପୃକ୍ତ ଅଳ୍ପ କେତେଜଣ ଚାଷୀଙ୍କୁ ୪୦୦୦ ଲେଖାଏଁ ଟଙ୍କା ଦେଇ ବାକି ୬୦୦୦ଟଙ୍କା ବାଟମାରଣା କରିଦେଲେ । କାଳିଆ ଯୋଜନା ଅଧୀନରେ ବ୍ୟାଙ୍କ ଋଣ ୬୦% ଅଣକୃଷି କାର୍ଯ୍ୟ ନିମନ୍ତେ ବ୍ୟବହାର କରାଯାଇଛି । ସୋହେଲା ସମାବେଶରେ ଧାନ କୁଇଂଟାଲ ପିଛା ୧୦୦ ଟଙ୍କା ବୋନସ ଚାଷୀଙ୍କୁ ଦେବାକୁ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ କିନ୍ତୁ ଏଯାଏଁ ଦେଇନାହାନ୍ତି । ୨୦୧୯ ନିର୍ବାଚନରେ ମଧ୍ୟ ସମାନ ପ୍ରତିଶ୍ରୁତି ଦେଇଥିଲେ । ଉକ୍ତ ପ୍ରତିଶ୍ରୁତି ଏଯାଏଁ ପୂରଣ ହୋଇନଥିବାବେଳେ ୨୦୨୪ର ଘୋଷଣା ମଧ୍ୟ କେବଳ ଚାଷୀଙ୍କୁ ନିର୍ବାଚନ ଥୋପ ଦେଇ ସେମାନଙ୍କୁ ଠକିବାର ପ୍ରୟାସ କରାଯାଉଛି ।

ରାଜ୍ୟରେ ବିଜୁ ଜନତା ଦଳ ୧୦୦୦ଟି ନୂତନ ଶୀତଳ ଭଣ୍ଡାର ଖୋଲିବାକୁ ପ୍ରତିଶ୍ରୁତି ଦେଇଥିଲେ । ସେଥିରୁ ମାତ୍ର ୩୬ ଟି କାର୍ଯ୍ୟକ୍ଷମ ହୋଇଥିବା ବେଳେ ପୂର୍ବରୁ ଥିବା ୨୦୦ଟି ଶୀତଳ ଭଣ୍ଡାର ଏବେ ଅଚଳ ହୋଇଯାଇଛି । ଏପରିକି ମୁଖ୍ୟମନ୍ତ୍ରୀ ତାଙ୍କ ନିଜ ନିର୍ବାଚନମଣ୍ଡଳୀ ହିଞ୍ଜଳିକାଟୁରେ ଗୋଟିଏ ବି ଶୀତଳ ଭଣ୍ଡାର ସ୍ଥାପନ କରିପାରିନାହାନ୍ତି । ଏଭଳି ସ୍ଥିତିରେ ତାଙ୍କଠାରୁ ଅଧିକ ଆଶା ରଖିବା ଏକ ବୃଥା ପ୍ରୟାସ । ଏହାଛଡ଼ା ଲୋୟର ସୁକତେଲ, ତେଲେଙ୍ଗିର, ମହେନ୍ଦ୍ରତନୟା, ବଂଶଧାରା ଅଙ୍ଗ, ଅପରଲଂଥ, ଲୋୟର ଲାଂଥ ଏବଂ ରେତ ଭଳି ବୃହତ ଜଳସେଚନ ପ୍ରକଳ୍ପଗୁଡ଼ିକ ଦଶନ୍ଧି ପୂର୍ବରୁ କାର୍ଯ୍ୟକ୍ଷମ ହେବାସତ୍ୱେ ଅସମ୍ପୂର୍ଣ୍ଣ ରହିଛି । ଅପରପକ୍ଷେ ଭାରତୀୟ ଜନତା ପାର୍ଟି ସରକାର ହେଲେ ସମସ୍ତ ଚାଷୀଙ୍କ ସାମଗ୍ରିକ ବିକାଶ ପାଇଁ ସଂକଳ୍ପବଦ୍ଧ । ସଂକଳ୍ପପତ୍ର ଘୋଷଣା କରାଯାଇଥିବା ପ୍ରତିଶ୍ରୁତିଗୁଡିକ କିଭଳି ପୂରଣ ହେବ ସେନେଇ ବ୍ୟାପକ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

ସେହିପରି ଭାରତୀୟ ଜନତା ପାର୍ଟି ସରକାର ହେଲେ ୫ ବର୍ଷରେ ଚାଷୀଙ୍କ ଆୟ କିପରି ଦୁଇ ଗୁଣିତ ହେବ ସେନେଇ ବିଭିନ୍ନ ପଦକ୍ଷେପ ନିଆଯିବ । ସେମାନଙ୍କ ପାଇଁ ରାଜକୋଷରେ ସ୍ୱତନ୍ତ୍ର ପାଣ୍ଠି ଗଠନ କରାଯିବ । ଧାନ କୁଇଂଟାଲ ପିଛା କ୍ରୟ ମୂଲ୍ୟ ୩୧୦୦ ଟଙ୍କା ଧାର୍ଯ୍ୟ କରାଯିବ । ଡିବିଟି ଜରିଆରେ ୪୮ ଘଂଟା ମଧ୍ୟରେ ଚାଷୀମାନଙ୍କୁ ଅର୍ଥ ହସ୍ତାନ୍ତର କରାଯିବ । ଏବେର କଟଣି-ଛଟଣି ବ୍ୟବସ୍ଥାରେ ଚାଲିଥିବା ଲୁଟ୍ ପ୍ରକ୍ରିୟାକୁ ସମାପ୍ତ କରାଯିବ । ଏହି ବ୍ୟବସ୍ଥାରେ ବିଜେଡି ଦ୍ୱାରା ୫୦୦ କୋଟି ଟଙ୍କାର ଲୁଟ୍ ହୋଇଛି । ମାତ୍ର ବିଜେପି ସରକାରରେ ସମସ୍ତ ମଣ୍ଡିରେ ଇଲେକ୍ଟ୍ରୋନିକ ଓଜନ ଯନ୍ତ୍ର ମାଧ୍ୟମରେ ଧାନ କିଣାଯିବ । କୃଷି କାର୍ଯ୍ୟରେ ଯନ୍ତ୍ରପାତି ବ୍ୟବହାର ପାଇଁ ଚାଷୀଙ୍କୁ ୮୦ରୁ ୮୫ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯିବ । ଚାଷୀମାନଙ୍କ ଦକ୍ଷତା ବୃଦ୍ଧି କରାଯିବା ସହ ଆଧୁନିକ କୃଷି ପ୍ରଣାଳୀ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯିବ । ଏନେଇ ବିଭିନ୍ନ କର୍ମଶାଳା ଓ ପ୍ରଦର୍ଶନୀର ଆୟୋଜନ କରାଯିବ । ୩୦୦୦ କୋଟି ଟଙ୍କାରେ କୃଷି ସଂରକ୍ଷଣ କୋଷ ପ୍ରତିଷ୍ଠା କରି ବ୍ଲକସ୍ତରରେ ଶୀତଳଭଣ୍ଡାର ଖାଦ୍ୟ ପ୍ରକ୍ରିୟାକରଣ ଏବଂ ରପ୍ତାନ୍ତିକେନ୍ଦ୍ର ପ୍ରତିଷ୍ଠା କରାଯିବ ସହ ମଣ୍ଡି ଗୁଡ଼ିକର ଉନ୍ନତିକରଣ କରାଯିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

ମତ୍ସ୍ୟଜୀବୀମାନଙ୍କ ଜୀବନ ଜୀବିକାର ଉନ୍ନତି ପାଇଁ ଅନେକ ପଦକ୍ଷେପ ନିଆଯିବ । ଅଣ ଉତ୍ପାଦନ ସମୟରେ ପ୍ରତେକ ମତ୍ସ୍ୟଜୀବୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଦିଆଯିବ । ମତ୍ସ୍ୟଜୀବୀ ବନ୍ଦର ନବୀକରଣ ସହ ଶୀତଳଭଣ୍ଡାର ସ୍ଥାପନ କରାଯିବ । ଏହାଦ୍ୱାରା ମତ୍ସ୍ୟ ଶିଳ୍ପରେ ବୈପ୍ଲବିକ ପରିବର୍ତନ ହୋଇପାରିବ । ପଶୁପାଳନ ଚାଷୀଙ୍କ ଉନ୍ନତି ଲାଗି ରାଜ୍ୟରେ ଦୁଗ୍ଧ ଉତ୍ପାଦନ କ୍ଷମତାକୁ ୧୦୦ ଲକ୍ଷ ଟନକୁ ବୃଦ୍ଧି କରିବା ଏବଂ “କ୍ଷୀର ଧାରା ମିଶନ” ଜରିଆରେ ଓମ୍‌ଫେଡ୍‌ର ସମ୍ପୂର୍ଣ୍ଣ ପୂନଃଗଠନ କରାଯିବ । ସେଥିରେ ଚାଲିଥିôବା ଦୁର୍ନୀତିକୁ ବନ୍ଦ କରାଯିବ । ପଶୁପାଳନ କ୍ଷେତ୍ରରେ ୬୦ ପ୍ରତିଶତ, ଅନସୂଚିତ ଜାତି ଓ ଜନଜାତିଙ୍କ ପାଇଁ ୭୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯିବ । ଘାସ ଚାଷ ପାଇଁ ୫୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯିବ । ଫିଡ୍ ୟୁନିଟ୍ ପାଇଁ ୫୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯିବ । ୨୦୨୭ ସୁଦ୍ଧା ରାଜ୍ୟରେ ୫୪୦ ଲକ୍ଷ ଟନ୍ କୁକୁଡା ମାଂସ, ୨ ଲକ୍ଷ ମେଟ୍ରିକ ଟନ୍ ଛେଳି ମାଂସ ଏବଂ ୧୧ ହଜାର କୋଟି ଅଣ୍ଡା ଉତ୍ପାଦନ ପାଇଁ ପଦକ୍ଷେପ ନିଆଯିବ । ଏହାଦ୍ୱାରା ମାଂସ ଓ ଅଣ୍ଡା ପାଇଁ ଆଉ ବାହାର ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ିବନାହିଁ । କୁକୁଡ଼ା, ଛେଳି, ଘୁଷୁରୀ ଫାର୍ମ ପ୍ରତିଷ୍ଠା କରି ବ୍ୟବସାୟ କରିବା ପାଇଁ ୪୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯିବ । କୃଷକ ଉତ୍ପାଦକ ସଂଗଠନ(ଏଫପିଓ) ଏବଂ ମହିଳା କ୍ଲଷ୍ଟର ଦ୍ୱାରା ଚାଷ କାର୍ଯ୍ୟ ପାଇଁ ୫୦ ପ୍ରତିଶତ ସବ୍‌ସିଡି ପ୍ରଦାନ କରାଯିବ । ଅନୁସୂଚିତ ଜାତି ଓ ଅନସୂଚିତ ଜନଜାତିଙ୍କ ପାଇଁ ୬୦ ପ୍ରତିଶତ ସବ୍‌ସିଡି ଦିଆଯିବ ବୋଲି ଶ୍ରୀ ପୁରୋହିତ କହିଛନ୍ତି ।

ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଗୋ ସୁରକ୍ଷାକାରୀଙ୍କୁ ଆକ୍ରମଣ କରାଯାଉଛି । ବିନା କାରଣରେ ସେମାନଙ୍କୁ ଦଣ୍ଡିତ କରାଯାଉଛି । ବେଆଇନ ଭାବେ ଗୋ ହତ୍ୟା ଏବଂ ଗୋମାଂସ ବ୍ୟବସାୟ ବନ୍ଦ କରିବା ପାଇଁ ଗୋହତ୍ୟା ନିରୋଧ ଆଇନ ଲାଗୁ କରାଯିବ । ଗୋବଂଶ ସୁରକ୍ଷା ଯୋଜନା ମାଧ୍ୟମରେ ୨୦୦ ସରକାରୀ ସାହାଯ୍ୟ ପ୍ର୍ରାପ୍ତ ଗୋଶାଳା ପ୍ରତିଷ୍ଠା କରାଯିବ । ୫୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରି ଝୋଟ ଚାଷ, ଚିନବାଦାମ୍ ଚାଷକୁ ପ୍ରୋତ୍ସାହିତ କରାଯିବ । ଓଡ଼ିଶା ବଳଭଦ୍ର ଚାଷ ମିଶନ ପ୍ରତିଷ୍ଠା କରି ଜୈବିକ ଚାଷକୁ ପ୍ରୋତ୍ସାହନ କରାଯିବ । ଶ୍ରୀ ଅନ୍ନ ଅଭିଯାନ ଆରମ୍ଭ କରି ମିଲେଟ ଉତ୍ପାଦନ କରାଯିବ ସହ ଓଡ଼ିଶାକୁ ମିଲେଟ ହବରେ ପରିଣତ କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ପୁରୋହିତ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ ନେତା ଅଶୋକ ମିଶ୍ର, ରାଜ୍ୟ ମୁଖପାତ୍ର ଅନିଲ ବିଶ୍ୱାଳ, ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking