35.1 C
Bhubaneswar
Monday, June 17, 2024
Homeଓଡିଶାମାଳ ମାଳ ମାଫିଆଙ୍କୁ ଦଳକୁ ଆଣି ନିଜ ନେତାଙ୍କୁ ଅଣଦେଖା କରିଚାଲିଛି ଓଡିଶା ବିଜେପି: ବିଜେଡି

ମାଳ ମାଳ ମାଫିଆଙ୍କୁ ଦଳକୁ ଆଣି ନିଜ ନେତାଙ୍କୁ ଅଣଦେଖା କରିଚାଲିଛି ଓଡିଶା ବିଜେପି: ବିଜେଡି

 ସବୁ ଗୁଣ୍ଡା, ଜମି ମାଫିଆ, ଠକ ଓ ବ୍ୟଭିଚାରୀ ଓଡିଶା ବିଜେପିରେ ଭର୍ତ୍ତି
 କାର୍ଯ୍ୟାନୁଷ୍ଠାନ ହେଲେ, ଅଧା ଓଡିଶା ବିଜେପି ସଫା ହୋଇଯିବ
 ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଜାଣି ଯାଇଥିବେ, କାହିଁକି ବାରମ୍ବାର ବିଜେପି ପ୍ରତ୍ୟାଖିତ ହେଉଛି
ଭୁବନେଶ୍ୱର, : ବହୁ ବର୍ଷ ପରେ ଓଡିଶା ଆସିଥିବା ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବକ୍ତବ୍ୟ ଦେଖି ଲାଗୁଛି, ଓଡିଶା ଏବଂ ଓଡିଶା ବିଜେପି ବାବଦରେ ସେ ଅବଗତ ନାହାନ୍ତି । ଯେଉଁ ମାଫିଆ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ କହିଲେ, ସେ ଜାଣିନାହାନ୍ତି ଓଡିଶା ବିଜେପି, ମାଳ ମାଳ ମାଫିଆଙ୍କୁ ଭର୍ତ୍ତି କରି ନିଜ ଦଳର ଦଳୀୟ ନେତାଙ୍କୁ ଅଣଦେଖା କରିଚାଲିଛି ବୋଲି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖି କହିଛନ୍ତି ବିଜେଡି ମୁଖପାତ୍ର ଡକ୍ଟର ଲେନିନ ମହାନ୍ତି ଓ ଇପସିତା ସାହୁ ।
ଗଣମାଧ୍ୟମ ସାମ୍ନାରେ ଉଭୟ ମୁଖପାତ୍ର ୪ଟି ଉଦାହରଣ ରଖିଥିଲେ । ଯେଉଁ ବୈଜୟନ୍ତ ପଣ୍ଡା ପାଇଁ ପ୍ରଚାର କରୁଥିଲେ, ସେ ଅନୁସୁଚିତ ଜାତି ଜନଜାତିଙ୍କ ଜମି ବେଆଇନ ଭାବେ ହଡପ କରିଛନ୍ତି । ତାଙ୍କ ନାଁରେ କେସ୍ ରହିଛି । ସେହିଭଳି ତାଙ୍କ ମାଲିକାନାରେ ଥିବା ଟିଭି ଚ୍ୟାନେଲ ସରକାରୀ ଜମି ମାଡି ବସିଛି । ବିଜେଡି ବୈଜୟନ୍ତଙ୍କୁ ଦଳରୁ ବାହାର କରିଥିଲା, ହେଲେ ବିଜେପି ଆପଣାଇ ନେଇଥିଲା । ଦଳୀୟ ନେତାଙ୍କୁ ଉପେକ୍ଷା କରି ଏଭଳି ଜମି ମାଫିଆଙ୍କୁ ବିଜେପି ଟିକେଟ ଦେଇଛି । ଆଉ ତାଙ୍କ ପାଇଁ ପ୍ରଚାର କରିବାକୁ ଯୋଗୀ ଆଦିତ୍ୟନାଥ ଆସୁଛନ୍ତି ବୋଲି ଉଭୟ ମୁଖପାତ୍ର କରିଛନ୍ତି ।
ସେମାନେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଶାନ୍ତ ଜଗଦେବ ଯିଏ ନିଜକୁ ସବୁଠାରୁ ବଡ ଗୁଣ୍ଡା କୁହନ୍ତି, ସେ ମାତାଲ ଅବସ୍ଥାରେ ବିଜେପି କର୍ମୀଙ୍କ ଉପରେ ଗାଡି ଚଢାଇଲେ । ବିଜେଡି ତାଙ୍କୁ ଦଳରୁ ବିତାଡିତ କଲା, ହେଲେ ଫୁଲମାଳ ପକାଇ ବିଜେପି ସ୍ୱାଗତ କଲା, ପୋଷ୍ଟର ବଏ ସଜାଇଲା । ବର୍ଷ ବର୍ଷ ଧରି ଦଳ ପାଇଁ ଖଟିଥିବା ନେତାଙ୍କୁ ବାଦ୍ ଦେଇ ତାଙ୍କୁ ଟିକେଟ ଦେଲା ।
ଯେଉଁ ପ୍ରଦୀପ ପାଣିଗ୍ରାହୀ ଚାକିରୀ ନାଁରେ ନିଜ ନିର୍ବାଚନ ମଣ୍ଡଳୀ ସାଧାରଣ ଗରିବଙ୍କୁ ଠକିଲା, ତାଙ୍କୁ ଜନବିରୋଧୀ କାର୍ଯ୍ୟ ପାଇଁ ବିଜେଡି ବାହାର କଲା । ଯାହା ବିରୋଧରେ ଓଡିଶା ବିଜେପି ଆନ୍ଦୋଳନ କରୁଥିଲା, ତାଙ୍କୁ ଫୁଲମାଳ ପକାଇ ଆଗଧାଡିର ନେତା ସଜାଇଲା । ବର୍ଷ ବର୍ଷ ଧରି ଦଳ ପାଇଁ କାମ କରୁଥିବା ନେତାଙ୍କୁ ବାଦ୍ ଦେଇ ଜଣେ ଠକକୁ ଟିକେଟ ଦେଲେ ।
ଯେଉଁ ବିଜେପି ବର୍ଷକ ତଳେ ସମୀର ଦାଶଙ୍କ ବିରୋଧରେ ଗର୍ଜନ କରୁଥିଲା । ନଷ୍ଟ ଚରିତ୍ର, ବ୍ୟଭିଚାରୀ, ଯୌନ କେଳେଙ୍କାରୀ ଓ ସେକ୍ସ ସ୍କାଣ୍ଡାଲରେ ସଂପୃକ୍ତ ବୋଲି କହି କାର୍ଯ୍ୟାନୁଷ୍ଠାନ ଦାବି କରୁଥିଲା, ଆଜି ନିଜର ହୀନ ରାଜନୀତି ପାଇଁ ତାଙ୍କ ବେକରେ ଫୁଲମାଳ ପକାଇ ତାଙ୍କୁ କୋଳେଇ ନେଇ ତୁଙ୍ଗ ନେତା ସଜାଇଛି । ଏହା ପ୍ରମାଣିତ କରୁଛି, ଓଡିଶା ବିଜେପି ପାଇଁ ନାରୀ ସମ୍ମାନ କେବଳ ଏକ ରାଜନୈତିକ ନାରା ।
କେଉଁ ଗୁଣ୍ଡାକୁ ସାବାଡ କରିବା କଥା କହୁଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ । ସବୁ ଗୁଣ୍ଡା, ଜମି ମାଫିଆ, ଠକ ଓ ବ୍ୟଭିଚାରୀ ଓଡିଶା ବିଜେପିରେ ଭର୍ତ୍ତି ହୋଇଛନ୍ତି । ଯଦି କାର୍ଯ୍ୟାନୁଷ୍ଠାନ ହୁଏ, ଅଧା ଓଡିଶା ବିଜେପି ସଫା ହୋଇଯିବ ।
ଏତେ ବର୍ଷ ପରେ ଓଡିଶା ଗସ୍ତରେ ଆସିଥିବାରୁ ଯୋଗୀ ଆଦିତ୍ୟନାଥ ବାସ୍ତବିକ୍ ସ୍ଥିତିକୁ ଭଲ ଭାବେ ଅବଗତ ହୋଇନାହାନ୍ତି । ଯେଉଁ ଓଡିଶା ମାଟିରେ ଠିଆ ହୋଇ ସେ ରାଜନୈତିକ ଆରୋପ କରୁଥିଲେ, ସେହି ଓଡିଶା ଦେଶରେ ବିତ୍ତୀୟ ପରିଚାଳନାରେ ୧ ନମ୍ବର ରାଜ୍ୟ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଉତ୍ତରପ୍ରଦେଶରେ ମୁଣ୍ଡ ପିଛା ଆୟ ୭୦ ହଜାର ଟଙ୍କା ହୋଇଥିବା ବେଳେ, ଓଡିଶାରେ ଏହା ୧ଲକ୍ଷ ୫୦ ହଜାର ଟଙ୍କାରୁ ଅଧିକ । ଅର୍ଥାତ୍‌, ଓଡିଶାର ମୁଣ୍ଡପିଛା ଆୟ ଉତ୍ତରପ୍ରଦେଶ ତୁଳନାରେ ଦୁଇଗୁଣା ।
ଭାବୁଛୁ, ଓଡିଶା ବିଜେପିରେ ମାଫିଆ, ଗୁଣ୍ଡା, ବ୍ୟଭିଚାରୀ, ଠକଙ୍କ କଥା ଜାଣିବା ପରେ ଏବଂ ଓଡିଶାର ପ୍ରଗତି କଥା ଅବଗତ ହେବା ପରେ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଜାଣି ଯାଇଥିବେ, କାହିଁକି ଏଠି ଲୋକେ ବାରମ୍ବାର ବିଜେପିକୁ ପ୍ରତ୍ୟାଖ୍ୟାନ କରୁଛନ୍ତି ବୋଲି ଉଭୟ ମୁଖପାତ୍ର ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking