31.1 C
Bhubaneswar
Monday, June 17, 2024
Homeଓଡିଶାକେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଶିକ୍ଷାର ବିକାଶ ପାଇଁ ଅବଦାନ...

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଓଡ଼ିଆ ଅସ୍ମିତା ଓ ଓଡ଼ିଆ ଶିକ୍ଷାର ବିକାଶ ପାଇଁ ଅବଦାନ ଶୁନ: ବିଜେଡି

  ରାଜ୍ୟ ସରକାରଙ୍କ ଦ୍ୱାରା ଜବାହାରଲାଲ ନେହରୁ ବିଶ୍ୱ ବିଦ୍ୟାଳୟରେ ଆଦିକବି ସାରଳା ଦାସ ଚେୟାର ପ୍ରତିଷ୍ଠା
 ଦଶ ବର୍ଷ କେନ୍ଦ୍ରମନ୍ତ୍ରୀ ରହିବା ପରେ ମଧ୍ୟ ନିଜ ଅଞ୍ଚଳରେ କେନ୍ଦ୍ରୀୟ ବିଦ୍ୟାଳୟଟିଏ ଖୋଲି ପାରିଲେନି
 ଆସାମ କବିଙ୍କ ନାମରେ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା ଲାଗି ଧର୍ମେନ୍ଦ୍ରଙ୍କ ମସୁଧା
 ଓଡ଼ିଆ ଭାଷା ପ୍ରତି ଧର୍ମେନ୍ଦ୍ରଙ୍କ ବୈମାତୃକ ମନୋଭାବ ଅଭିଯୋଗ
ଭୁବନେଶ୍ୱର, : ବିଜୁ ଜନତା ଦଳର ମୁଖ୍ୟାଳୟ ଶଙ୍ଖ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ଡ଼ଃ ଅମର ପଟ୍ଟନାୟକ ସାମ୍ୱାଦିକମାନଙ୍କୁ ସମ୍ୱୋଧନ କରି ବିଜେପି ଓଡ଼ିଆ ଅସ୍ମିତାକୁ ପ୍ରସଙ୍ଗ କରି ନିର୍ବାଚନ ଲଢୁଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଓଡ଼ିଆ ଅସ୍ମିତାକୁ ନେଇ ନିଆଯାଇଥିବା ବିଭିନ୍ନ ପଦକ୍ଷେପକୁ ଉପସ୍ଥାପନ କରିବା ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଓଡ଼ିଆ ଅସ୍ମିତା ପାଇଁ କ’ଣ କରିଛନ୍ତି ବୋଲି ପ୍ରଶ୍ନ କରିଥିଲେ । ଡ଼ଃ ପଟ୍ଟନାୟକ କହିଥିଲେ ଯେ ୨୦୧୭ ମସିହାରେ ରାଜ୍ୟ ସରକାରଙ୍କ ସହାୟତାରେ ଜବାହାରଲାଲ ନେହରୁ ବିଶ୍ୱବିଦ୍ୟାଳୟରେ ଆଦିକବି ସାରଳା ଦାସ ଚେୟାର ଫର ଓଡ଼ିଆ ଷ୍ଟଡିଜ୍ ଆରମ୍ଭ କରାଯାଇଥିଲା । ସେହିପରି ୨୦୨୪ ମସିହାରେ ଜବାହରଲାଲ ବିଶ୍ୱବିଦ୍ୟାଳୟରେ ବିଜୁ ପଟ୍ଟନାୟକ ସ୍ପେଶାଲ ସେଌକ୍ଷଗ୍ଧ;ର ଫର୍ ଓଡ଼ିଆ ଷ୍ଟଡିଜ୍ ନାମରେ ଏକ ଚେୟାର ସ୍ଥାପନ କରାଯାଇଛି ।
ସମ୍ୱଲପୁରର କୋଶଳି ଭାଷା ଓ ଅନ୍ୟ ଜନଜାତି ଭାଷା ଯଥା ହୋ, ସଉରା, ମୁଣ୍ଡାରି, କୁଇ ଇତ୍ୟାଦି ଭାଷାକୁ ସମ୍ୱିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ୨୦୧୫ରୁ ଚିଠି ଲେଖି ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ଜନତା ଦଳର ସାଂସଦମାନେ ଏହି ପ୍ରସଙ୍ଗ ବାରମ୍ୱାର ସଂସଦରେ ଉଠାଇଥିଲେ ମଧ୍ୟ କେନ୍ଦ୍ର ସରକାର ଶୁଣୁ ନାହାନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମରେ ସମ୍ୱଲପୁର ସ୍ଥିତ ଗଙ୍ଗାଧର ମେହେର ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପ୍ରଦାନ କରାଯାଇଛି । ସେହିପରି ଐତିହାସିକ ରେଭେନ୍ସା କଲେଜକୁ ଏକକ ୟୁନିଭରସିଟିରେ ରୂପାନ୍ତରଣ କରାଯାଇଛି ।
ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରତିଷ୍ଠିତ ଐତିହାସିକ ସତ୍ୟବାଦୀ ବକୁଳ ବନ ବିଦ୍ୟାଳୟ ସ୍ଥାନରେ ଓଡ଼ିଆ ବିଶ୍ୱବିଦ୍ୟାଳୟ ସ୍ଥାପନା କରାଯାଇଛି । ତାଛଡ଼ା, ଓଡ଼ିଶା ୟୁନିଭରସିଟି ଅଫ୍ ହେଲ୍ଥ ସାଇନ୍ସ, ଫକୀର ମୋହନ ବିଶ୍ୱବିଦ୍ୟାଳୟ ଓ ନର୍ଥ ଓଡ଼ିଶା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ବୈଷୟିକ ଶିକ୍ଷାରେ ଉନ୍ନତି ପାଇଁ ରାଉରକେଲାରେ ବିପିୟୁଟି ଓ ଭୁବନେଶ୍ୱରରେ ଓୟୁଟିଆର ନାମରେ ଦୁଇଟି ୟୁନିଭରସିଟି ପ୍ରତିଷ୍ଠା କରାଯାଇଥିବା ବେଳେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହେବା ସଙ୍ଗେ ଭୁବନେଶ୍ୱରରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ସମେତ ଖଲ୍ଲିକୋଟ, ବଲାଙ୍ଗୀର, କେନ୍ଦୁଝର, କଳାହାଣ୍ଡି, ଜୟପୁରରେ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ହୋଇଛି । ୧୫୦୦ ଓଡ଼ିଆ ବିଦ୍ୟାଳୟରେ ପ୍ରଥମଥର ପାଇଁ ଓଡ଼ିଆ ଶିକ୍ଷକ ନିଯୁକ୍ତି ହେବା ନେଇ ବିଶ୍ୱ ଭାଷା ସମ୍ମିଳନୀ ଅବସରରେ ଘୋଷଣା କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଆନ୍ଧ୍ରପ୍ରଦେଶର ଆମ୍ୱେଦକର ବିଶ୍ୱବିଦ୍ୟାଳୟରେ ମଧ୍ୟ ଓଡ଼ିଆ ଚେୟାର ପ୍ରତିଷ୍ଠା ନେଇ ବୁଝାମଣା ହୋଇଛି ।
ଓଡ଼ିଆ ଭାଷାକୁ ବିଶ୍ୱ ଦରବାରରେ ଅଧିକ ଆଦୃତ କରିବା ପାଇଁ ରାଜ୍ୟ ସରକାର ନିରନ୍ତର ପ୍ରୟାସ ଜାରି ରଖିଥିବା ବେଳେ କେନ୍ଦ୍ରରେ ଶିକ୍ଷାମନ୍ତ୍ରୀର ଗୁରୁ ଦାୟିତ୍ୱ ତୁଲାଉଥିବା ଧର୍ମେନ୍ଦ୍ର ପ୍ରଧାନ ମହୋଦୟଙ୍କ ଓଡ଼ିଆ ଭାଷା ଓ ଓଡ଼ିଆ ଅସ୍ମିତା କ୍ଷେତ୍ରରେ କୌଣସି ଅବଦାନ ନ ରହିବା ଅତ୍ୟନ୍ତ ଦୁଃଖ ଦାୟକ ବୋଲି ଡ଼ଃ ପଟ୍ଟନାୟକ କହିଥିଲେ । ଧର୍ମେନ୍ଦ୍ର ବାବୁ ୧୦ ବର୍ଷ କେନ୍ଦ୍ରମନ୍ତ୍ରୀ ରହିଲେ, ଏବେ ଶିକ୍ଷାମନ୍ତ୍ରୀ ଅଛନ୍ତି, ଗୋଟିଏ ବି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଓଡ଼ିଶାରେ ପ୍ରତିଷ୍ଠା କଲେନାହିଁ । ୨୦୦୯ରେ କଂଗ୍ରେସ ସରକାର ବେଳେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପାଇଥିଲା । ଢେଙ୍କାନାଳରେ କିଛି ଦିନ ରାଜନୀତି କଲେ ଧର୍ମେନ୍ଦ୍ର ବାବୁ । ସେ ଜିଲ୍ଲାରେ କେନ୍ଦ୍ରୀୟ ବିଦ୍ୟାଳୟଟିଏ ପ୍ରତିଷ୍ଠା କରିପାରିଲେନି । ଉତ୍କଳ ୟୁନିଭରସିଟିକୁ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ଠକିଦେଲେ ।
ସମ୍ୱଲପୁରୀ-କୋଶଳି ଓ ହୋ ଭାଷାକୁ ସାମ୍ୱିଧାନିକ ସ୍ୱୀକୃତି ଦେବା ପ୍ରସଙ୍ଗରେ କେବେ ମୁହଁ ଖୋଲି ନାହାନ୍ତି ଧର୍ମେନ୍ଦ୍ର ବାବୁ । ମୁଖ୍ୟମନ୍ତ୍ରୀ ବାରମ୍ୱାର ଚିଠି ଲେଖିବା ପରେ ବି ଶୁଣୁ ନାହାନ୍ତି । ବିଜେଡି ଦିଲ୍ଲୀରେ ଓଡ଼ିଆ ପାଠ୍ୟକ୍ରମ ପାଇଁ ଚେୟାର୍ ପ୍ରତିଷ୍ଠା କରୁଥିବାବେଳେ ଏ ବାବୁ ନିର୍ବାଚନ ପ୍ରଚାରରେ ଆସିଥିବା ଆସାମ ମୁଖ୍ୟମନ୍ତ୍ରୀଙ୍କୁ ଧରି ସମ୍ୱଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟରେ ଆସାମର କବି ଲକ୍ଷ୍ମୀନାଥ ବେଜବରୁଆଙ୍କ ନାମରେ ଚେୟାର ପ୍ରତିଷ୍ଠା ପାଇଁ ମସୁଧା କରୁଛନ୍ତି । ବେଜବରୁଆଙ୍କ ପ୍ରତି ଆମର ସମ୍ମାନ ରହିଛି । କିନ୍ତୁ ଧର୍ମେନ୍ଦ୍ର ବାବୁଙ୍କୁ ଆମର ପ୍ରଶ୍ନ?
ସେ ଆସାମରେ ଓଡ଼ିଆ ଲେଖକଙ୍କ ନାମରେ କେତୋଟି ଅନୁଷ୍ଠାନ କରିଛନ୍ତି?
ଓଡ଼ିଆ ଅସ୍ମିତା ନାମରେ ଭୋଟ୍ ମାଗୁଥିବା ଧର୍ମେନ୍ଦ୍ର ବାବୁ କହିବେ କି ଓଡ଼ିଆ ଭାଷା ପ୍ରତି ତାଙ୍କର ଏ ବୈମାତୃକ ମନୋଭାବ କାହିଁକି?
ସମ୍ୱଲପୁରରୁ ବାବୁ ନିର୍ବାଚନ ଲଢ଼ୁଛନ୍ତି । ସମ୍ୱଲପୁରୀ ଭାଷାକୁ ସାମ୍ୱିଧାନିକ ସ୍ୱୀକୃତି ଦେବାରେ ପଛଘୁଞ୍ଚା କାହିଁକି?
ଗଙ୍ଗାଧର ମେହେର, ବୀର ସୁରେନ୍ଦ୍ର ସାଏ, ଭୀମ ଭୋଇଙ୍କ ନାମରେ ଜାତୀୟ ସ୍ତରରେ ଚେୟାର୍ ପ୍ରତିଷ୍ଠା କରୁନାହାନ୍ତି କାହିଁକି?
ଓଡ଼ିଆ ଅସ୍ମିତା ଓ ସମ୍ୱଲପୁରୀ ଅସ୍ମିତାକୁ ଗୋଇଠା ମାରି ଆସାମ ଅସ୍ମିତା ପାଇଁ କାହିଁକି ଦରଦ ଦେଖାଉଛନ୍ତି ଧର୍ମେନ୍ଦ୍ର ବାବୁ ?
ଏହି ସାମ୍ୱାଦିକ ସମ୍ମିଳନୀରେ ବିଜେଡିର ରାଜ୍ୟସଭା ସାଂସଦ ତଥା ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର ମଧ୍ୟ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking