34.1 C
Bhubaneswar
Wednesday, May 1, 2024
Homeଓଡିଶାବିଜେଡି ଜଣେଇଲା ମାଟି ନୁହେଁ ବ୍ୟକ୍ତିଗତ ସ୍ୱାର୍ଥ ମୁଖ୍ୟ ଉଦ୍ଦେଶ୍ୟ

ବିଜେଡି ଜଣେଇଲା ମାଟି ନୁହେଁ ବ୍ୟକ୍ତିଗତ ସ୍ୱାର୍ଥ ମୁଖ୍ୟ ଉଦ୍ଦେଶ୍ୟ

ଭୁବନେଶ୍ୱର: ଶିକ୍ଷୟତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଲଗାତର ଭାବେ ୩ଟି ସଂପାଦକୀୟ ଲେଖି ବରିଷ୍ଠ ବିଜେଡି ନେତା, ବିଧାୟକ ତଥା ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଦଳର ସୁପ୍ରିମୋ ଓ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି । ତାହାର ଜବାବ ପ୍ରତ୍ୟେକ୍ଷରେ ନହେଲେ ବି ପରୋକ୍ଷରେ ବିଜେଡି ଦେଇଛି । ସୌମ୍ୟଙ୍କୁ ତାଙ୍କ ଷ୍ଟାଇଲରେ ହିଁ ବିଜେଡି ଜବାବ ରଖିଛି । ସୌମ୍ୟରଂଜନ ଖୋଲାଖୋଲି ଭାବେ ଗଣାମଧ୍ୟମରେ କୌଣସି ମତ ଏ ସଂପର୍କରେ ନରଖି କେବଳ ତାଙ୍କ ଖବରକାଗଜରେ ଲେଖି ସମାଲୋଚନା କରୁଛନ୍ତି । ସେହି ଷ୍ଟାଇଲରେ ବିଜେଡିର ମୁଖପାତ୍ର ମାନେ କିଛି ମତ ନଦେଇ ଦଳ ପୃଷ୍ଠପୋଷକତାରେ ପରିଚାଳିତ ଖବରକାଗଜରେ ସାଂଘାତିକ ମାଡ ଦେଇଛନ୍ତି । ବିଜେଡି ପକ୍ଷରୁ ଯାହା କୁହାଯିବା କଥା କାଗଜରେ ଲେଖାଯାଇଥିବା ସ୍ପଷ୍ଟ ଅନୁମାନ କରାଯାଉଛି । ସୌମ୍ୟ ବାବୁଙ୍କର ବିଚାର ବିଭ୍ରାଟ ଘଟିଛି ଏବଂ ଉପରକୁ ଯାହା ଦେଖାଯାଉଛି ଭିତରେ ତାହା ନୁହେଁ ଏଭଳି ଅବତାରଣା କରିବା ପାଇଁ ‘ମୁଖାତଳର ମୁହଁ’ ଶୀର୍ଷକରେ ଉକ୍ତ ଲେଖା ଖବରକାଗଜରେ ପ୍ରକାଶ କରାଯାଇଛି । ସୌମ୍ୟରଂଜନ ତାଙ୍କ କାଗଜରେ  ଯେଉଁ ଆମ ଘର ହାଲଚାଲରେ ମାଟି ପାର୍ଟି କଥା ଲେଖିଥିଲେ ତାହା ମିଛ । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସେ ଏପରି ଲେଖା ଲେଖୁଛନ୍ତି ବୋଲି କାଗଜରେ ଦର୍ଶାଇବାକୁ ଉଦ୍ୟମ କରାଯାଇଛି । ବିଜେଡିର ଜଣେ ପୂର୍ବତନ ବିଧାୟକ ମଧ୍ୟ ସୌମ୍ୟ ବାବୁଙ୍କୁ ଅତି କଟୁ ସମାଲୋଚନା କରିଛନ୍ତି ।

ବ୍ୟକ୍ତିଗତ ଭାବେ ଗଣମାଧ୍ୟମକୁ ଆସି ଉକ୍ତ ମମିତା ପ୍ରସଙ୍ଗ ଉପରେ ସୌମ୍ୟରଂଜନ କୌଣସି ମତ ରଖୁନାହାନ୍ତି । ସେ କହୁଛନ୍ତି ତାଙ୍କର ଯାହା କହିବା କଥା ସେ ହାତ କାଟି କାଗଜରେ ଲେଖୁଛନ୍ତି । ଗଣମାଧ୍ୟମକୁ ଆସିଲେ କାଳେ କୁହାଯିବ ସେ ଦଳ ବିରୋଧୀ କାର୍ଯ୍ୟ କରୁଛନ୍ତି । ଏଥିପାଇଁ ଦଳ ହୁଏତ ବାଧ୍ୟ ହୋଇପାରେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ । ସେଥିପାଇଁ ସେ କାଗଜରେ ଲଗାତର ଭାବେ ମାଡ ଦେଇ ଚାଲିଛନ୍ତି । ଦଳ ସୁପ୍ରିମୋଙ୍କର ଆଉ ସେ ଆଗଭଳି ଶୂନ୍ୟ-ସହନଶୀଳତା ନାହିଁ । ସ୍ୱଚ୍ଛତା ଓ ନିରପେକ୍ଷତା ଚୁଲିକି ଗଲାଣି । ନୀତି ଆଦର୍ଶ ଠାରୁ ଦଳ ଓ ନେତା ଦୂରେଇ ଗଲେଣି । ଏହିଭଳି ମତ ସୌମ୍ୟ ବାବୁ ତାଙ୍କ କାଗଜରେ ଲେଖି ଜନସାଧାରଣଙ୍କୁ ଜଣେଇବାରେ ଲାଗିଛନ୍ତି । ଦିବ୍ୟଶଙ୍କରଙ୍କ ଇସ୍ତଫା, ବହିଷ୍କାରକୁ ସେ ଅଧିକ ଗୁରୁତ୍ୱ ଦେଉଛନ୍ତି । କାରଣ ସେ ମନ୍ତ୍ରୀ ଥିଲା ଯାଏ ନିରପେକ୍ଷ ତଦନ୍ତ ପୋଲିସ କରିପାରିବ ନାହିଁ । ଏହି ଧାରଣା ସୃଷ୍ଟି କରିବାକୁ ସେ ଲାଗିଛନ୍ତି । ସୌମ୍ୟ ବାବୁ ବାରମ୍ବାର ଲେଖିବା ପରେ ବିଜେଡି ଆଉ ନିରବରେ ବସିଲା ନାହିଁ । ଦଳର ପୃଷ୍ଠପୋଷକତାରେ ପ୍ରକାଶ ପାଉଥିବା ଖବରକାଗଜରେ ଏଭଳି ଭାବରେ ସୌମ୍ୟ ବାବୁଙ୍କୁ ସମାଲୋଚନା କରାଯାଇଛି, ଯାହା ନକହିଲେ ଭଲ । ସୌମ୍ୟ ବାବୁଙ୍କର କୌଣସି ନୈତିକ ଅଧିକାର ନାହିଁ ଏଭଳି ଲେଖିବାର ବୋଲି ଲେଖାର ଶୈଳୀକୁ ଅନୁଧ୍ୟାନ କଲେ ଜଣାପଡୁଛି । ମହାତ୍ମା ଗାନ୍ଧୀ, ରାମନାଥ ଗୋହେକାଙ୍କର ସଂପାଦକ ଭାବେ ଉଦାହରଣ ମଧ୍ୟ ଦିଆଯାଇଛି । ଏମାନେ ଯେତେ ଯାହା ହେଲେ ବି ନିଜର ନୀତି ଓ ଆଦର୍ଶକୁ କେବେ ହେଲେ ସଂପାଦକ ଭାବେ ଜଳାଞ୍ଜଳି ଦେଇନାହାନ୍ତି । କିନ୍ତୁ ସୌମ୍ୟ ବାବୁ ସେଭଳି ଜଣେ ସଂପାଦକ ନୁହଁନ୍ତି । ସେ ଆଦର୍ଶର ମୁଖାପିନ୍ଧା ବ୍ୟକ୍ତି । ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ସେ ସବୁକିଛି କୁ ଜଳାଞ୍ଜଳି  ଦେଇପାରନ୍ତି, ଏକଥା ଖବରକାଗଜରେ ଦର୍ଶାଯାଇଛି । ସୌମ୍ୟ ବାବୁ ଯେତେବେଳେ ବିଜେଡିରେ ଯୋଗ ଦେଲେ ତା ପୂର୍ବରୁ ସେ ଚାଷୀ ଆନ୍ଦୋଳନ ଓ ଚିଟ୍ ଫଣ୍ଡ ଜମାକାରୀ ସଂଘର ପୃଷ୍ଠପୋଷକତା କରୁଥିଲେ । ଏହାକୁ ବାଜି ଲଗାଇ ସେ ବିଜେଡିରେ ଯୋଗ ଦେଲେ ବୋଲି ସେତେବେଳେ ଗଣମାଧ୍ୟମରେ ଆଲୋଚନା ହେଉଥିଲା । ରାସ୍ତାକୁ ଚାଷୀ ଓହ୍ଲାଇବା ଓ ଅହରାତ୍ର ଧାରଣା ଦେବା ପରେ ସୌମ୍ୟ ବାବୁଙ୍କୁ ଡାକି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆଲୋଚନା କରିଥିଲେ । ପରେ ସୌମ୍ୟ ବାବୁ ବିଜେଡିରେ ଯୋଗ ଦେଲେ । କିନ୍ତୁ ଉକ୍ତ ଘଟଣାକୁ ସେତେବେଳେ ସେ ଅସ୍ୱୀକାର କରିଥିଲେ । ଚାଷୀ କିମ୍ବା ଚିଟ ଫଣ୍ଡ ଜମାକାରୀଙ୍କ ଘଟଣା ସହ ବିଜେଡିରେ ଯୋଗଦେବାର କୌଣସି ସଂପର୍କ ନାହିଁ ବୋଲି କହିଥିଲେ । ଏବେ ବିଜେଡି ଖବରକାଗଜରେ ସେହି ଗୁମରକୁ ହିଁ ଖୁଲାସା କରାଯାଇଛି । ଖବରକାଗଜରେ ଲେଖାଯାଇଛି, ‘ ନିଜ ସ୍ୱାର୍ଥ ଲାଗି ଆପଣାର ଲୋକମାନଙ୍କୁ ବି ପର କରିବାରେ ସେମାନଙ୍କୁ ମୁହୂର୍ତ୍ତଟିଏ ଲାଗେ ନାହିଁ । ବିଶ୍ୱସନୀୟତା ସେମାନଙ୍କ ଠାରୁ ଆଶା କରିବା ବୃଥା । ଗରିବ ଚିଟଫଣ୍ଡ ଜମାକାରୀଙ୍କ ବିଶ୍ୱାସକୁ ଭାଙ୍ଗି, ଚାଷୀଙ୍କ ପ୍ରେଷ୍ଟିଜ-ପ୍ରାଇସ-ପେନସନକୁ ସିଡି କରି କ୍ଷମତା ଅଳିନ୍ଦର ନିକଟବର୍ତୀ ହେବା ବା ରାଜନୈତିକ ସ୍ୱାର୍ଥ ହାସଲ କରିବା ସେମାନଙ୍କ ପାଇଁ ଅତି ସାଧାରଣ ଘଟଣା’ । ଏଥିରେ ସ୍ପଷ୍ଟ ଭାବେ ବିଜେଡି ଜଣଉଛି ଚାଷୀ ଓ ଚିଟଫଣ୍ଡ ଜମାକାରୀଙ୍କୁ ସିଡି କରି ସୌମ୍ୟ ବାବୁ ବିଜେଡିକୁ ଆସିଛନ୍ତି । ସେ ଜଣେ ନିରପେକ୍ଷ ସଂପାଦକ ନୁହଁନ୍ତି । ବିଜ୍ଞାପନ ତାଙ୍କ ପାଇଁ ସର୍ବସ୍ୱ । ଗଣମାଧ୍ୟମକୁ ସେ ଢାଲ କରି କ୍ଷମତାର ସିଡି ଚଢିବାକୁ ଆସିଛନ୍ତି । ତାଙ୍କର ଲକ୍ଷ୍ୟ ପୂରଣ ନହେବାରୁ ଏହିପରି ଲେଖା ଲେଖୁଛନ୍ତି । ଏଣୁ ତାଙ୍କର ବିଚାରରେ ବିଭ୍ରାଟ ଘଟିଛି । ତାଙ୍କ ପାଖରେ ମାଟି ଅପେକ୍ଷା ପାର୍ଟି ବଡ ବୋଲି ଯାହା ଲେଖିଛନ୍ତି ତାହା ବାସ୍ତବିକ ସତ୍ୟ ନୁହେଁ । ପ୍ରକୃତରେ ତାଙ୍କର ବ୍ୟକ୍ତିଗତ ସ୍ୱାର୍ଥ ହାନି ହେବା ଯୋଗୁ ସେ ଏପରି କାର୍ଯ୍ୟ କରୁଛନ୍ତି । ନୈତିକତା ନଥିବା ସଂପାଦକ ଅନ୍ୟକୁ ନୈତିକର ଜ୍ଞାନ ଦେବାର ଯଥାର୍ଥତା ନାହିଁ ଏକଥା ଉଲ୍ଲେଖ କରାଯାଇଛି । ସୌମ୍ୟବାବୁଙ୍କୁ ଆଉ ଟିକିଏ ମାଡ ଦେବା ପାଇଁ ତାଙ୍କ ଶ୍ୱଶୁର ସ୍ୱର୍ଗତଃ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଏକ ଉକ୍ତି ବିଷୟରେ ଉଲ୍ଲେଖ କରାଯାଇଛି । ଜାନକୀ ବାବୁୂ କହିଥିଲେ ‘ଯେଉଁ ବ୍ୟକ୍ତି ଗୋଟିଏ କୋଠରୀ ଭିତରେ ସ୍ଥିର ଭାବରେ ବସିପାରୁନାହିଁ, ଘଡିକି ଘଡି ଚଉକିର ମୁହଁ ବଦଳାଉଛି, ସେ ଜୀବନରେ ନିଜ ଲକ୍ଷ୍ୟ ସ୍ଥଳରେ କେବେ ବି ପହଂଚିପାରିବ ନାହିଁ’ । ଏହି କଥା ଉଲ୍ଲେଖ କରି ଦର୍ଶାଇ ଦିଆଯାଇଛି ସେ ସୌମ୍ୟ ବାବୁ ସ୍ଥିର ନୁହନ୍ତି । ଗୋଟିଏ ପରେ ଗୋଟିଏ ଦଳ ନିଜ ସ୍ୱାର୍ଥ ପାଇଁ ବଦଳାଇ ଚାଲିଛନ୍ତି । ବିଜେପି, ଏନସିପି, କଂଗ୍ରେସ ପରେ ଏବେ ବିଜେଡିରେ ଯୋଗ ଦେଇଛନ୍ତି । ସେ କୌଣସି ଭାବରେ ସ୍ଥିର ନୁହଁନ୍ତି । ଏକଥା ଦର୍ଶାଇବାକୁ ଉଦ୍ୟମ କରାଯାଇଛି । ଏଥିରୁ ଦଳ ଯେ ସୌମ୍ୟଙ୍କ ମତକୁ ନେଇ ଖପ୍ପା ତାହା ସ୍ପଷ୍ଟ ଜଣା ପଡି ଯାଉଛି ।

ବିଜେଡିର ପୂର୍ବତନ ବିଧାୟକ ଅନୁଭବ ପଟ୍ଟନାୟକ ଗଣମାଧ୍ୟମକୁ କହିଛନ୍ତି ଯେ, ସେ ସଂପାଦକୀୟରେ ବ୍ଲାକମେଲ କରିବାକୁ ଚେଷ୍ଟା କରୁଛନ୍ତି ।  ସେ ହତାଶ ଓ ବିଭ୍ରାନ୍ତ ହୋଇପଡିଛନ୍ତି । କ୍ୟାବିନେଟ ମନ୍ତ୍ରୀପଦ ପାଇବା ପାଇଁ ତାଙ୍କର  ଯେଉଁ ଇଚ୍ଛା ରହିଛି ତାହା ପୂରଣ କରିବା ପାଇଁ ସେ ଏମିତି କାର୍ଯ୍ୟ କରୁଛନ୍ତି । ସେ ରାଜ୍ୟସଭା ଛାଡି ବିଧାୟକ ପଦବୀକୁ ଆସିଲେ ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସେ କିପରି କ୍ୟାବିନେଟ ମନ୍ତ୍ରୀ ହେବେ । ସେ ବାରମ୍ବାର ବିଭିନ୍ନ ଉପାୟରେ ତାଙ୍କ ସଂପାଦକୀୟରେ ଏଭଳି ଲେଖା ଲେଖୁଛନ୍ତି ବୋଲି ଅନୁଭବ କହିଛନ୍ତି । କିନ୍ତୁ ସୌମ୍ୟରଂଜନ ଏପର୍ଯ୍ୟନ୍ତ ସେସବୁ ଉପରେ କୌଣସି ମତ ରଖିନାହାନ୍ତି ।

 

ସୌମ୍ୟ ଉଠାଇଲେ ପ୍ରଶ୍ନ : ସମ୍ ଅଗ୍ନିକାଣ୍ଡରେ କ’ଣ ଅତନୁ ସଂପୃକ୍ତ ଥିଲେ

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking