ବିହାର: ବିହାରର ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂହ କରୋନାରେ ସଂକ୍ରମିତ ହେବା ପରେ ତାଙ୍କର ନିଧନ ହୋଇଛି । ମୁଖ୍ୟ ଶାସନ ସଚିବ ଅରୁଣ କୁମାର ସିଂହ କରୋନା ଆକ୍ରାନ୍ତ ଥିଲେ । ରାଜଧାନୀର ପାରସ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସରକାର ମୁଖ୍ୟ ସଚିବଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛନ୍ତି । ୧୯୮୫ ବ୍ୟାଚର ଆଇଏଏସ ଅଫିସର ଅରୁଣ କୁମାର ସିଂହ ଏହାପୂର୍ବରୁ ବିହାରର ବିକାଶ ଆୟୁକ୍ତ ପଦରେ ବି ରହିସାରିଥିଲେ । ୧୫ ଏପ୍ରିଲରେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା । ଏହାପରେ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯେଉଁଠି ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସେ କରୋନା ସଂକ୍ରମିତ ହୋଇଥିବା ନେଇ ଜଣାପଡିବା ପରେ ତାଙ୍କୁ ପ୍ରଥମେ ଏମସରେ ଭର୍ତ୍ତି କରାଯାଇଥିଲା । ହେଲେ ସ୍ୱାସ୍ଥ୍ୟରେ ସୁଧାର ନଆସିବାରୁ ତାଙ୍କୁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଗଲା । ୨୮ ଫେବୃୟାରୀରେ ଦୀପକ କୁମାର ମୁଖ୍ୟ ସଚିବ ପଦରୁ ଅବସର ନେବା ପରେ ଅରୁଣ କୁମାର ସିଂହ ବିହାରର ନୂଆ ମୁଖ୍ୟ ସଚିବ ହୋଇଥିଲେ । ଏହି ସୂଚନା ମିଳିବା ପରେ ପୂର୍ବ ସିଏମ ଜୀତନ ରାମ ମାଂଝୀ ଶୋକ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ମନ୍ତ୍ରୀ ସନ୍ତୋଷ ମାଂଝୀ, ଏଚଏଏମ ପ୍ରବକ୍ତା ଦାନିଶ ରିଜବାନ, ଧିରେନ୍ଦ୍ର କୁମାର ସିହ୍ନା ଓରଫ ମୁନା ଓ ବିଜୟ ଯାଦବ ଦୁଃଖ ପ୍ରକାଶ କରିଛନ୍ତି ।