ପାଟନା : ସ୍ୱାଧୀନତା ଦିବସ ଅବସରରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବଡ଼ ଘୋଷଣା କରିଛନ୍ତି। ରାଜ୍ୟବାସୀଙ୍କୁ ରୋଜଗାର ପ୍ରଦାନ ମାମଲାରେ ତେଜସ୍ୱୀ ଯାଦବଙ୍କ ଠାରୁ ନୀତିଶ କୁମାର ଆଉ ପାଦେ ଆଗକୁ ବଢ଼ିଛନ୍ତି। ନୀତିଶ ଘୋଷଣା କରିଛନ୍ତି ଯେ, ‘ତାଙ୍କ ସରକାର ନା କେବଳ ରାଜ୍ୟରେ ୧୦ ଲକ୍ଷ ନିଯୁକ୍ତି ପ୍ରଦାନ କରିବ ବରଂ ଆଉ ୧୦ ଲକ୍ଷ ଲୋକଙ୍କୁ ମଧ୍ୟ ରୋଜଗାର ପ୍ରଦାନ କରିବ। ଅର୍ଥାତ୍ ୨୦ ଲକ୍ଷ ଲୋକଙ୍କୁ ଚାକିରି ଓ ରୋଜଗାର ପ୍ରଦାନ କରାଯିବ।’ ସ୍ୱାଧୀନତା ଦିବସରେ ପାଟନାର ଗାନ୍ଧି ମୈଦାନରେ ନୀତିଶ କୁମାର ତ୍ରିରଙ୍ଗା ଉଡ଼ାଇଥିଲେ। ଏହି ଅବସରରେ ସେ ବିହାରବାସୀଙ୍କୁ ସମ୍ବୋଧନ କରି ଏହି ବଡ଼ ଘୋଷଣା କରିଥିଲେ। ସେ କହିଛନ୍ତି ଯେ, ‘ଆମେ ୧୦ ଲକ୍ଷ ଲୋକଙ୍କୁ ଚାକିରି ପ୍ରଦାନ କରିବା ପରେ ଆଉ ୧୦ ଲକ୍ଷ ଲୋକଙ୍କୁ ରୋଜଗାର ପ୍ରଦାନ କରିବା ଲାଗି ଯୋଜନା କରୁଛୁ ଓ ଏହି ଦିଗରେ କାର୍ଯ୍ୟ କରିବୁ’। ନୀତିଶ କହିଛନ୍ତି ଯେ, ‘ଆମେ ବଡ଼ ସଂଖ୍ୟାରେ ରୋଜଗାର ପ୍ରଦାନ କରିବା ଲାଗି ଯୋଜନା କରିଛୁ। ଆମେ ଯୋଜନା କରିଛୁ ଯେ, ଅତି କମ୍ରେ ୧୦ ଲକ୍ଷ ଲୋକଙ୍କୁ ଚାକିରି ପ୍ରଦାନ କରିବୁ। ଚାକିରି ଓ ରୋଜଗାର କ୍ଷେତ୍ରରେ ଆମେ ଏହି ବଡ଼ ପଦକ୍ଷେପ ଗ୍ରହଣ କରିବୁ। ଏଥିପାଇଁ ଆମେ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ କରିବୁ।’