ନୂଆଦିଲ୍ଲୀ: ଭାରତୀୟ ସେନାରେ ମହିଳା ଅଫିସରଙ୍କ ଏକ ବଡ ବିଜୟ ହୋଇଛି । ମହିଳା ଅଫିସରଙ୍କ ସହ ଜଡିତ ଏକ ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଏକ ବଡ ନିଷ୍ପତ୍ତି ଶୁଣାଇଛନ୍ତି । କୋର୍ଟ ପରମାନେଣ୍ଟ କମିଶନ ପାଇଁ ମହିଳା ଅଫିସରଙ୍କ ପାଇଁ ବନାଯାଇଥିବା ମେଡିକାଲ ଫିଟନେସ ମାପଦଣ୍ଡକୁ ଯୁକ୍ତିସଙ୍ଗତ ନୁହେଁ ବୋଲି କହିଛନ୍ତି । ତେବେ ଏଥିରୁ ମହିଳା ଅଫିସରଙ୍କୁ ବଡ ଆଶ୍ୱସ୍ତି ମିଳିପାରେ । ସୁପ୍ରିମକୋର୍ଟ ସେନାକୁ ନିର୍ଦ୍ଦେଶ ଦେଇ କହିଛନ୍ତି ଯେ, ଯେଉଁ ମହିଳା ଅଫିସରଙ୍କୁ ମେଡିକାଲ ଗ୍ରାଉଣ୍ଡରେ ପିସିରୁ ବାହାର କରାଯାଇଛି, ସେମାନଙ୍କ ଉପରେ ଗୋଟିଏ ମାସରେ ପୁଣି ବିଚାର କରାଯାଉ ।
ସୁପ୍ରିମକୋର୍ଟ ଫେବୃୟାରୀ ୨୦୨୦ରେ ସେନାରେ ଅନେକ ମହିଳା ଅଧିକାରୀଙ୍କୁ ଫିଟନେସ ଆଧାରରେ ସ୍ଥାୟୀ କମିଶନ ନଦିଆଯିବା ନେଇ ଭୁଲ ବୋଲି କହିଥିଲେ । ସୁପ୍ରିମକୋର୍ଟ କହିଥିଲେ, ଦିଲ୍ଲୀ ହାଇକୋର୍ଟ ଏହା ଉପରେ ୨୦୧୦ରେ ପ୍ରଥମ ନିଷ୍ପତ୍ତି ଶୁଣାଇଥିଲେ । ୧୦ ବର୍ଷ ପରେ ମେଡିକାଲ ଫିଟନେସ ଓ ଶରୀର ଆକାର ଆଧାରରେ ସ୍ଥାୟୀ କମିଶନ ନ ଦେବା ଠିକ ନୁହେଁ ।
ସୁପ୍ରିମକୋର୍ଟ ସେନାକୁ ନିର୍ଦ୍ଦେଶ ଦେଇଛନ୍ତି ଯେ, ସେ ଗୋଟଡିଏ ମାସ ଭିତରେ ମହିଳା ଅଧିକାରୀଙ୍କ ପାଇଁ ସ୍ଥାୟୀ କମିଶନ ଦେବା ଉପରେ ବିଚାର କରନ୍ତୁ ଓ ନିୟମ ପ୍ରକ୍ରିୟା ପାଳନ କରି ୨ ମାସ ଭିତରେ ଏହି ଅଧିକାରୀମାନଙ୍କୁ ସ୍ଥାୟୀ କମିଶନ ପ୍ରଦାନ କରୁ ।