ଭଦ୍ରକ : ବାଲେଶ୍ୱରରୁ ଦୈନ୍ଦିନ ବ୍ରାଉନସୁଗର ଆଣି ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟବସାୟୀଙ୍କୁ ଯୋଗାଉଥିବା ଏକ ର୍ୟାକେଟକୁ ପୁଲିସ ଧରିବାକୁ ସକ୍ଷମ ହୋଇଛି । ଏଥିଲାଗି ଯାଜପୁର ପୁଲିସ ଓ ଭଦ୍ରକ ପୁଲିସ ମିଳିତ ଭାବେ ଏକ ଟିମ୍ ଗଠନକରି ଏହି ର୍ୟାକେଟ ସନ୍ଧାନରେ ଲାଗି ଗତକାଲି ରାତିରେ ରାଣିତାଲ ନିକଟ ଜିଲ୍ଲାର ପ୍ରବଶେ ପଥରୁ ଧରିଥିଲା । ସେମାନଙ୍କଠାରୁ ୫୧୬ ଗ୍ରାମର ବ୍ରାଉନସୁଗର୍, ୧୦ଟା ମୋବାଇଲ ଫୋନ, ୩ଟା ଖଣ୍ଡା, ୩ଟା ଅଫୁଟା ଗୁଳି, ୩ଟା ମ୍ୟାଗାଜିନ୍, ଗୋଟିଏ ବନ୍ଧୁକ, ୨ଟା ବାଇକ୍ ଜବତ କରାଯାଇଛି । ଜବତ ବ୍ରାଉନସୁଗର୍ର ମୂଲ୍ୟ ପ୍ରାୟ ୫୦କ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।
ଦୀର୍ଘ ଦିନ ଧରି ଭଦ୍ରକ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏମାନେ ବ୍ରାଉନ ସୁଗାର ବେପାର ଚଳାଇ ଆସୁଥିଲେ । ଯାହାକି ପୋଲିସର ସ୍କାନରରେ ଏମାନେ ରହି ଆସିଥିଲେ । ତେବେ ଏହି ବ୍ରାଉନସୁଗର ବେପାରୀମାନେ ବାଲେଶ୍ୱରରୁ ଭଦ୍ରକ ଅଭିମୁଖେ ଆସୁଥିବା ବେଳେ ରାଣୀତାଲ ନିକଟରେ ପୁଲିସ ଟିମ୍ ତାଙ୍କୁ ଅଟକାଇ ଗିରଫ କରିବା ସହିତ ବ୍ରାଉନସୁଗର ଓ ମାରଣାସ୍ତ୍ର ଜବତ କରିଥିଲା । ପରେ ବ୍ୟବସାୟୀ ଓ ଏମାନଙ୍କ ସହ ସମ୍ପୃକ୍ତଙ୍କ ଘରେ ଚଢ଼ଉ କରାଯାଇଥିଲା । ଘଟଣାରେ ମୋଟ ୭ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ସାମରାଇପୁର ଗ୍ରାମର ସତୁରା ଓରଫ ସରୋଜ ଦାସ ଏବଂ ତାଙ୍କ ପତ୍ନୀ ସୌଦାମିନୀ, ସାବରଙ୍ଗ ଥାନା ବେନ୍ତାଳ ଗ୍ରାମର ବିପିନ ଦାସ, ଧୁଷୁରୀ ଥାନା ମଙ୍ଗଳପୁର ଗ୍ରାମର ଅରୁଣ ମଲିକ, ବାଂଶଡା ଥାନା ମଣିପୁର ଗ୍ରାମର ପ୍ରଶାନ୍ତ ଦାସ, ଗ୍ରାମାଞ୍ଚଳ ଥାନାର କୋରକୋରା ଗ୍ରାମର ଦେବାଶିଷ ବେହେରା, ସାମରାଇପୁର ଗ୍ରାମର ପୂର୍ଣ୍ଣିମା ଦାସ । ବ୍ରାଉନସୁଗର୍ ହେଉ କି ଅନ୍ୟ ନିଶାଦ୍ରବ୍ୟ, ଯେଉଁମାନେ ଏଥିରେ ସମ୍ପୃକ୍ତ ଥିବେ ସେମାନଙ୍କ ଉପରେ ଜିଲ୍ଲା ପୁଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବ ଓ ଏହି ବେଆଇନ କାରବାର ସହିତ କେଉଁମାନେ ସମ୍ପୃକ୍ତ ସେମାନଙ୍କ ବିଷୟରେ ଅଧିକ ତଦନ୍ତ କରାଯିବ ବୋଲି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା ଗଣମାଧ୍ୟମକୁ କହିଛନ୍ତି ।