ହାଇଦ୍ରାବାଦ: ଶର୍କରା ବା ଚିନି ସ୍ୱାସ୍ଥ୍ୟ ଉପରେ କୁପ୍ରଭାବ ପକାଏ ବୋଲି ବିବେଚନା କରାଯାଏ । ବିଶେଷ କରି ମଧୁମେହ ଓ ମେଦବହୁଳତା ରୋଗରେ ପୀଡିତ ଲୋକଙ୍କ ପ୍ରତି ଏହାର ବିପଦ ଅଧିକ ଥାଏ । ଏଥିପାଇଁ ବିଭିନ୍ନ ପ୍ରକାର ‘ସୁଗାର୍ ଫ୍ରି’ ଖାଦ୍ୟ ତିଆରି କରାଯାଇଛି । ଏହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ଏବଂ ଓଜନ ହ୍ରାସ କରିବାରେ ସାହାଯ୍ୟ କରେ ବୋଲି ଏହାର ସମର୍ଥକମାନେ ଦାବି କରନ୍ତି । ନିକଟରେ ଏକ ଅଧ୍ୟୟନ ଏସବୁ ଦାବିକୁ ଭୁଲ୍ ପ୍ରମାଣିତ କରିଛି । ଅଧ୍ୟୟନ ଅନୁସାରେ ଯେଉଁ ମଧୁମେହ ଓ ମେଦବହୁଳ ରୋଗୀ ‘ସୁଗାର୍ ଫ୍ରି’ ବା କୃତ୍ରିମ ମିଠା ଜାତୀୟ ଖାଦ୍ୟ ସେବନ କରୁଛନ୍ତି, ସେମାନଙ୍କର ଷ୍ଟ୍ରୋକ୍ ଭଳି ଜଟିଳ ବିପଦ ଆସିପାରେ ।
‘ନେଚର୍ ମେଡିସିନ୍’ ପତ୍ରିକାରେ ଏହି ଅନୁସନ୍ଧାନ ପ୍ରକାଶ ପାଇଛି । ଅଧ୍ୟୟନରେ ଦର୍ଶାଯାଇଛି ଯେ, ‘ଏରିଥ୍ରିଟଲ୍’ ବ୍ୟବହାର ଷ୍ଟ୍ରୋକ୍, ହୃଦ୍ଘାତ, ରକ୍ତ ଜମାଟ ଜନିତ ମୃତ୍ୟୁ ଆଶଙ୍କା ବୃଦ୍ଧି କରିପାରେ । ‘ଏରିଥ୍ରିଟଲ୍’ ହେଉଛି ଏକ ଲୋକପ୍ରିୟ ଚିନି ବିକଳ୍ପ, ଯାହା ମିଠା ଖାଦ୍ୟ ଓ ପାନୀୟ ବ୍ୟବହାରରେ ବ୍ୟବହୃତ ହୁଏ । ଏହା ଭାରତ ସମେତ ବିଦେଶରେ ମଧ୍ୟ ବହୁଳ ଭାବରେ ଉପଲବ୍ଧ । ଏହି କୃତ୍ରିମ ମିଠାର ବହୁଳ ବ୍ୟବହାର ସ୍ୱାସ୍ଥ୍ୟ ଉପରେ ଗୁରୁତର କୁପ୍ରଭାବ ପକାଇପାରେ । କ୍ଲେଭଲାଣ୍ଡ୍ କ୍ଲିନିକ୍ ଅନୁସନ୍ଧାନକାରୀମାନେ ଏହି ତଥ୍ୟ ସାମ୍ନାକୁ ଆଣିଛନ୍ତି । ଆମେରିକା ଏବଂ ୟୁରୋପର ୪,୦୦୦ ଲୋକଙ୍କୁ ନେଇ କରାଯାଇଥିଲା ଏହି ଅଧ୍ୟୟନ । ସମସ୍ତ ଅଂଶଗ୍ରହଣକାରୀଙ୍କ ମଧ୍ୟରେ କିଛି ଲୋକ ପୂର୍ବରୁ ହୃଦ୍ରୋଗର ଅଧିକ ବିପଦ ସହ ଜଡିତ ଥିଲେ। ଅଧ୍ୟୟନକାରୀମାନେ ରକ୍ତ କିମ୍ବା ପ୍ଲେଟ୍ଲେଟ୍ରେ ‘ଏରିଥ୍ରିଟଲ୍’ ଲିଙ୍କ୍ ଅଛି କି ନାହିଁ ସେ ଉପରେ ପରୀକ୍ଷା ନୀରିକ୍ଷା କରିଥିଲେ । ଫଳାଫଳରୁ ଜଣାପଡିଲା ଯେ, ‘ଏରିଥ୍ରିଟଲ୍’ ରକ୍ତ ଜମାଟ ବାନ୍ଧିବା, ହୃଦଘାତ ଏବଂ ଷ୍ଟ୍ରୋକ୍ ବିପଦ ସହ ଜଡିତ ।