ମୁମ୍ବାଇ: ଭାରତର ଷ୍ଟାର୍ ୱିକେଟ୍କିପର୍ ବ୍ୟାଟର୍ ଈଶାନ୍୍ କିଶନ୍ଙ୍କ ଅଡ଼ୁଆ ଅଧିକ ବଢ଼ିବା ସମ୍ଭାବନା ଦେଖାଦେଇଛି । ଈଶାନ୍ କିଶନ୍ ବିସିସିଆଇ ଚେତାବନୀକୁ ଅଣଦେଖାଇ କରି ଚଳିତ ରଣଜୀ ଟ୍ରଫିରେ ଝାଡ଼ଖଣ୍ଡର ଅନ୍ତିମ ମ୍ୟାଚ୍ରେ ଭାଗ ନେଇନାହାନ୍ତି । ଯେଉଁ ଖେଳାଳିମାନେ ଜାତୀୟ ଡ୍ୟୁଟିରେ ନାହାନ୍ତି, ସେମାନଙ୍କୁ ରଣଜୀ ଟ୍ରଫି ଖେଳିବାକୁ ବିସିସିଆଇ ଚେତାବନୀ ଦେଇଥିଲା । ଈଶାନ୍ କିଶନ୍ଙ୍କ ବ୍ୟତୀତ ଦୀପକ ଚହର ଓ ଶ୍ରେୟସ୍ ଆୟର୍ ମଧ୍ୟ ବିସିସିଆଇ ସମ୍ପାଦକ ଜୟ ଶାହଙ୍କ ଚେତାବନୀ ମାନିନାହାନ୍ତି ।
ଅସଲରେ ଈଶାନ୍ କିଶନ୍ଙ୍କୁ ନେଇ ଏହି ପୂରା ବିବାଦର ଆରମ୍ଭ ହୋଇଛି । ସେ ଗତବର୍ଷ ମାନସିକ ସ୍ୱାସ୍ଥ୍ୟର ଦ୍ୱାହିଦେଇ କ୍ରିକେଟ୍ରୁ ବ୍ରେକ୍ ନେଇଥିଲେ । ଏହାପରେ ଆଫଗାନିସ୍ତାନ ଓ ଇଂଲଣ୍ଡ ବିପକ୍ଷ ସିରିଜ୍ରେ ତାଙ୍କୁ ସ୍ଥାନ ଦିଆଯାଇ ନଥିଲା । ଟିମ୍ ମ୍ୟାନେଜମେଣ୍ଟ୍କୁ ଈଶାନ୍ଙ୍କ ଅନୁପଲବ୍ଧ କାରଣ ସମ୍ପର୍କରେ ପଚରାଗଲା, କୋଚ୍ ରାହୁଲ ଦ୍ରାବିଡ୍ ସ୍ପଷ୍ଟ କରିଥିଲେ ଯେ ପ୍ରତ୍ୟାବର୍ତ୍ତନ ପାଇଁ କିଶନ୍ଙ୍କୁ ଘରୋଇ କ୍ରିକେଟ୍ ଖେଳିବାକୁ ପଡ଼ିବ । ମାତ୍ର କିଶନ୍ ନିଜକୁ ରଣଜୀ ଟ୍ରଫିରୁ ଦୂରେଇ ରଖିଥିଲେ ଏବଂ ତାଙ୍କୁ ଇଂଲଣ୍ଡ ବିପକ୍ଷ ଟେଷ୍ଟ୍ ସିରିଜ୍ର ଅନ୍ତିମ ତିନିଟି ମ୍ୟାଚ୍ରେ ମଧ୍ୟ ଚୟନ କରାଗଲା ନାହିଁ ।
ଏହି ପୂରା ବିବାଦକୁ ଦୃଷ୍ଟିରେ ରଖି ବିସିସିଆଇ ସ୍ପଷ୍ଟ କରିଥିଲା ଯେ ଆଗକୁ ଟିମ୍ ଇଣ୍ଡିଆ ଖେଳାଳି ରଣଜୀ ଟ୍ରଫି ଖେଳିବାକୁ ଅଣଦେଖା କରିପାରିବେ ନାହିଁ । ରଣଜୀ ଟ୍ରଫି ନଖେଳିଲେ ଖେଳାଳିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ବୋର୍ଡ ଚେତାବନୀ ମଧ୍ୟ ଦେଇଥିଲା । ଏହା ସତ୍ତ୍ୱେ କିଶନ୍ ଅନ୍ତିମ ମ୍ୟାଚ୍ ଖେଳିବା ପାଇଁ ପଡ଼ିଆ ଆସିନଥିଲେ । ସେହିପରି ଦୀପକ ଚହର ଚଳିତ ସିଜନ୍ରେ ଗୋଟିଏ ବି ରଣଜୀ ମ୍ୟାଚ୍ ଖେଳିନାହାନ୍ତି । ଟିମ୍ ଇଣ୍ଡିଆର ବାଦ୍ ପଡ଼ିଥିବା ଶ୍ରେୟସ୍ ଆୟର୍ ମୁମ୍ବାଇ ପକ୍ଷରୁ ରଣଜୀ ମ୍ୟାଚ୍ ଖେଳିବେ ବୋଲି ଆଶା କରାଯାଉଥିଲା । ମାତ୍ର ସେ ମଧ୍ୟ ପଡ଼ିଆରୁ ଦୂରତ୍ୱ ବଜାୟ ରଖିଛନ୍ତି । ଏହି ସମସ୍ତ ଖେଳାଳି ଘରୋଇ କ୍ରିକେଟ୍ ଅପେକ୍ଷା ଆଇପିଏଲ୍କୁ ଅଧିକ ପ୍ରାଧାନ୍ୟ ଦେଉଥିବା ଅଭିଯୋଗ ହେଉଛି ।