ତିରୁଅନନ୍ତପୁରମ୍ : କେରଳର ମନ୍ଦିରଗୁଡ଼ିକରେ ଆର୍ଏସ୍୍ଏସ୍ର ଶାଖା ଆୟୋଜନ ଉପରେ ବ୍ୟାନ୍ ଲାଗୁ ହୋଇଛି । ରାଜ୍ୟରେ ମନ୍ଦିରଗୁଡ଼ିକର ମ୍ୟାନେଜମେଣ୍ଟ୍ ଦାୟିତ୍ୱରେ ଥିବା ଟ୍ରାଭାଙ୍କୋର୍ ଦେବସ୍ୱମ୍ ବୋର୍ଡ (ଟିବିଡି) ସମସ୍ତ ୧୨୪୮ ମନ୍ଦିରକୁ ସର୍କୁଲାର୍ ଜାରିକରି ଏହି ନିର୍ଦ୍ଦେଶ ଦେଇଛି । ଏହି ସର୍କୁଲାର୍ରେ କୁହାଯାଇଛି, ମନ୍ଦିରରେ କେବଳ ଧାର୍ମିକ ଅନୁଷ୍ଠାନ ଓ ଆୟୋଜନକୁ ଅନୁମତି ଦିଆଯିବ । କୌଣସି ରାଜନୈତିକ ଗତିବିଧି କିମ୍ବା ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ (ଆର୍ଏସ୍ଏସ୍)ର ଶାଖାକୁ ଅନୁମତି ଦିଆଯିବ ନାହିଁ ।
ଆଦେଶ ପାଳନ ନକଲେ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବୋର୍ଡ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏହା ପୂର୍ବରୁ ବୋର୍ଡ ୨୦୧୬ ଏବଂ ୨୦୨୧ ମାର୍ଚ୍ଚ ୩୦ରେ ସର୍କୁଲାର୍ ଜାରିକରି ମନ୍ଦିର ପରିସରରେ ଆର୍ଏସ୍ଏସ୍ର ଶାଖା, ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ଏବଂ ଅଭ୍ୟାସ ଉପରେ ରୋକ୍ ଲଗାଇଥିଲା । ମାତ୍ର ରାଜ୍ୟର କେତେକ ମନ୍ଦିରରେ ଆର୍ଏସ୍ଏସ୍ ଇଭେଣ୍ଟ୍ ଆୟୋଜିତ ହେଉଥିବା ଜଣାପଡ଼ିବା ପରେ ବୋର୍ଡ ଏହି ନୂଆ ନିର୍ଦ୍ଦେଶ ଜାରି କରିଛି । ଏହି ନିର୍ଦ୍ଦେଶ ସତ୍ତ୍ୱେ ଯଦି କୌଣସି ମନ୍ଦିରରେ ଏପରି ଆୟୋଜନ ହୁଏ, ତେବେ ବୋର୍ଡ ମୁଖ୍ୟାଳୟରେ ଅଭିଯୋଗ କରିବାକୁ ଲୋକଙ୍କୁ କୁହାଯାଇଛି ।
କେରଳ ବିଧାନସଭାରେ ବିରୋଧୀ ଦଳ (କଂଗ୍ରେସ) ନେତା ବିଡି ସତୀଶନ୍ କହିଛନ୍ତି ରାଜ୍ୟର ପ୍ରାୟ ୯୦ ପ୍ରତିଶତ ହିନ୍ଦୁ ସଂଘ ପରିବାରକୁ ବିରୋଧ କରୁଛନ୍ତି । ତେଣୁ ମନ୍ଦିର ପରିସରରେ କୌଣସି ପ୍ରକାର ଗତିବିଧି ଉପରେ ରୋକ୍ ଲଗାଇବା ଠିକ୍ ନିଷ୍ପତ୍ତି । ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ୍ ମନ୍ଦିର ପରିସରରେ ଶାଖାର ଫିଜିକାଲ୍ ଟ୍ରେନିଂ ପାଇଁ ଆର୍ଏସ୍ଏସ୍କୁ ସମାଲୋଚନା କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନକୁ ନେଇ ବିଜେପି କେରଳ ପ୍ରଦେଶ ଉପାଧ୍ୟକ୍ଷ କେଏସ୍ ରାଧାକୃଷ୍ଣନ୍ କହିଥିଲେ, ବିଜୟନ୍ କେବଳ ନିଜ ପରିବାର ସଦସ୍ୟଙ୍କୁ ସନ୍ତୁଷ୍ଟ କରିବାକୁ ଚାହୁଁଛନ୍ତି । ମୁଖ୍ୟମନ୍ତ୍ରୀ ନିଜ ଜ୍ୱାଇଁ, ପିଏ ମହମ୍ମଦ ରିୟାଜ୍ଙ୍କ ଧାର୍ମିକ ସ୍ୱାର୍ଥ ରକ୍ଷା କରିବା ଉଦ୍ୟମରେ ଏହା କହୁଛନ୍ତି ।