27.1 C
Bhubaneswar
Thursday, April 25, 2024
Homeଅପରାଧ୩ ହାଇୱେ ଲୁଟେରାଙ୍କୁ କାବୁ କଲା ବଲାଙ୍ଗୀର ପୁଲିସ

୩ ହାଇୱେ ଲୁଟେରାଙ୍କୁ କାବୁ କଲା ବଲାଙ୍ଗୀର ପୁଲିସ

ବଲାଙ୍ଗୀର,- ଜାତୀୟ ରାଜପଥରେ ଲୁଟ କରୁଥିବା ୩ ଜଣ ହାଇୱେ ଲୁଟେରାଙ୍କୁ ଟାଉନ ଥାନା ପୁଲିସ ଇତି ମଧ୍ୟରେ କାବୁ କରିଛି । ପୁଲିସ ଦ୍ୱାରା ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ କାଲସାଏପାଲିର କୁନୁ ଓରଫ ଅବକାଶ କାଲସାଏ(୧୯) , ଲାଲଟିକ୍ରାର ଜିତୁ ଥାଟି(୨୦) ଓ ପୁଇଁନ୍ତଲାର ସୌରଭ ରଞ୍ଜନ ପଟେଲ(୨୩) । ପୁଲିସର ସୂଚନା ଅନୁଯାୟୀ , ଜଗତସିଂପୁର ଜିଲ୍ଲା ତିର୍ତ୍ତୋଲ ଅଂଚଳର ବିଶ୍ୱଜିତ ସ୍ୱାଇଁ ୧୮ ତାରିଖ ସକାଳ ୫.୩୦ରେ ଏକ କାର ଯୋଗେ ଟିଟିଲାଗଡ ରୁ ବଲାଙ୍ଗୀର ଅଭିମୁଖେ ଆସୁଥିବା ବେଳେ ସହର ନିକଟସ୍ଥ ବିଜଖମନ ଠାରେ ୩ ରୁ ୪ ଜଣ ମୋଟର ସାଇକଲରେ ଆସି କାରକୁ ଅଟକାଇ ଦେଇଥିଲେ । ଖଣ୍ଡାରେ ବିଶ୍ୱଜିତଙ୍କୁ ଆକ୍ରମଣ କରି ସେ ଧରିଥିବା ୧୨ ହଜାର ଟଙ୍କା , ଆଧାର କାର୍ଡ , ଭୋଟର କାର୍ଡ ଓ ପାନ କାର୍ଡ ଲୁଟି ନେଇ ଫେରାର ହୋଇ ଯାଇଥିଲେ । ଏ ନେଇ ବିଶ୍ୱଜିତ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଓ ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା । ପୁଲିସ ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ମୋଟର ସାଇକଲ ଓ ୧୨ ହଜାର ଟଙ୍କା ଜବତ କରିଛି । ଅଭିଯୁକ୍ତଙ୍କ ନାରେ ଆଇପିସିର ଧାରା ୩୯୫ ଦଫାରେ ମାମଲା ରୁଜୁ ପୁଲିସ ସେମାନଙ୍କୁ କୋର୍ଟ ଚାଲାଣ କରିଛି ।
 

ଦେବେନ୍ଦ୍ର ବର୍ଗେ ହତ୍ୟା ଘଟଣାର ୪ ଅଭିଯୁକ୍ତ ଗିରଫ


ବଲାଙ୍ଗୀର,- ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ପର୍ଢିଆପାଲି(କାଲିଝରଣ) ଗାଁରେ ଦେବେନ୍ଦ୍ର ବର୍ଗେ ନାମକ ଜଣେ ବ୍ୟକ୍ତିଙ୍କୁ ୪ ଜଣ ଲୋକ ପିଟିପିଟି ହତ୍ୟା କରିଥିଲେ । ଏହି ହତ୍ୟା ଘଟଣାରେ ସମ୍ପୃକ୍ତ ଥିବା ୪ ଜଣ ଅଭିଯୁକ୍ତଙ୍କୁ ଦେଓଗାଁ ପୁଲିସ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ପର୍ଢିଆପାଲି (କାଲିଝରଣ) ର ଗଲୁ ଓରଫ ଭୋଜରାଜ ଭୋଇ(୨୫),ବୁଲୁ ଭୋଇ(୨୩),ଋିଷି ଭୋଇ(୨୨) ଓ କେରକେରୁ ଓରଫ ରୋହିତ ବିଶ୍ୱାଲ(୨୪) । ଏମାନେ ହତ୍ୟାକଣ୍ଡରେ ବ୍ୟବହାର କରିଥିବା ଲାଠି ତଥା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ପୁଲିସ ଜବତ କରିଛି । ପୁଲିସର ସୂଚନା ଅନୁଯାୟୀ , ଗତ ୧୬ ତାରିଖ ସଂଧ୍ୟାରେ ପର୍ଢିଆପାଲି ଗାଁର ପ୍ରସନ୍ନ୍ ଭୋଇ ଓ ଦେବେନ୍ଦ୍ର ଗାଁ ମୁଣ୍ଡକୁ ଯାଇ ମଦ୍ୟପାନ କରିଥିଲେ । ରାତି ୮.୩୦ ସମୟରେ ମଦ୍ୟପାନ କରି ସେମାନେ ଘରକୁ ଫେରିଥିଲେ । ତେବେ ଦେବେନ୍ଦ୍ରଙ୍କ ଘର ସାମ୍ନାରେ ଅଭିଯୁକ୍ତ ୪ ଜଣ ପାଟିତୁଣ୍ଡ କରିବା ସହିତ ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ କରୁଥିଲେ । ତେଣୁ ଦେବେନ୍ଦ୍ର ଏହାର ପ୍ରତିବାଦ କରିଥିଲେ ଓ ପାଟିତୁଣ୍ଡ ନକରିବା ପାଇଁ କହିଥିଲେ । ହେଲେ ଅଭିଯୁକ୍ତମାନେ ଦେଦେନ୍ଦ୍ରଙ୍କୁ ଗାଳିଗୁଳଜ କରିବା ସହିତ ଆକ୍ରମଣ କରିଥିଲେ । ଏହି ସମୟରେ ଦେବେନ୍ଦ୍ରଙ୍କ ପୁଅ ଘଟଣାସ୍ଥଳକୁ ଆସି ତାଙ୍କ ବାପାଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରିଥିଲେ । କିନ୍ତୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ପରେ ପ୍ରବଳ ପାଟିତୁଣ୍ଡ ହେଉଥିବାରୁ ଦେବେନ୍ଦ୍ରଙ୍କ ସ୍ତ୍ରୀ କଳ୍ପନା ମଧ୍ୟ ଘଟଣାସ୍ଥଳକୁ ଆସି ନିଜ ସ୍ୱାମୀଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରିଥିଲେ । ହେଲେ ଅଭିଯୁକ୍ତମାନେ କଳ୍ପନାଙ୍କ ଶାଢୀ ଟାଣିବା ସହିତ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ । ବହୁ କଷ୍ଟରେ ପୁଅ ଓ ସ୍ତ୍ରୀ ଦେବେନ୍ଦ୍ରଙ୍କୁ ଉଦ୍ଧାର କରି ଘରକୁ ନେଇ ଯାଇଥିଲେ । ଦେବେନ୍ଦ୍ର ଘରକୁ ଗଲାପରେ ଛାତ ଉପରକୁ ଯାଇ ଅଭିଯୁକ୍ତମାନଙ୍କୁ ଘଟଣାସ୍ଥଳରୁ ଚାଲିଯିବା ପାଇଁ କହିଥିଲେ । କିନ୍ତୁ ଘଟଣାସ୍ଥଳରୁ ଚାଲିଯିବା ବଦଳରେ ଅଭିଯୁକ୍ତମାନେ ଦେବେନ୍ଦ୍ରଙ୍କ ଛାତ ଉପକରୁ ଚଢି ଯାଇ ତାଙ୍କୁ ଲାଠିରେ ଆକ୍ରମଣ କରିଥିଲେ । ଆକ୍ରମଣ ଯୋଗୁଁ ଦେବେନ୍ଦ୍ର ଚେତାଶୂନ୍ୟ ହୋଇ ଯାଇଥିଲେ । ତେବେ ଏହି ସମୟରେ ମିଥୁନ ନାମକ ଜଣେ ଯୁବକ ଆସି ଉଭୟଙ୍କୁ ଅଲଗା କରିଥିଲେ । ପରିବାରରେ ନିଜର ଶାଶୁ ମା’ ଓ ଦିବ୍ୟାଙ୍ଗ ପୁଅ ବ୍ୟତୀତ କେହିନଥିବାରୁ କଳ୍ପନା ଏ ସମ୍ପର୍କରେ ତାଙ୍କର ସମ୍ପର୍କିୟଙ୍କୁ ଜଣାଇଥିଲେ । ସକାଳେ କଳ୍ପନାଙ୍କ ଭାଇ ସୁରେଶ ଆସି ଦେବେନ୍ଦ୍ରଙ୍କୁ ନେଇ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ତେବେ ଚିକିତ୍ସାଧିନ ଅବସ୍ଥାରେ ରାତି ୯ ଟାରେ ଦେବେନ୍ଦ୍ରଙ୍କ ମୃତ୍ୟୁ ହୋଇଥିଲା । କଳ୍ପନାଙ୍କ କେହି ନଥିବାରୁ ତଥା ସ୍ୱାମୀଙ୍କ ଚିକିତ୍ସାରେ ବ୍ୟସ୍ଥ ରହିଥିବାରୁ ସେ ଆଗରୁ ଏ ନେଇ ପୁଲିସ ନିକଟରେ ଅଭିଯୋଗ କରି ପାରିନଥିଲେ । ସ୍ୱାମୀଙ୍କ ମୃତ୍ୟୁ ପରେ ସେ ଥାନାକୁ ଆସି ଏ ନେଇ ଅଭିଯୋଗ କରିଥିଲେ । କଳ୍ପନାଙ୍କ ଅଭିଯୋଗ କ୍ରମେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking