29.1 C
Bhubaneswar
Sunday, May 19, 2024
Homeଓଡିଶାସମସ୍ତଙ୍କ ସହଯୋଗ ଦ୍ୱାରା ଖୁବ କମ୍ ସମୟରେ ସୁଧୁରିଛି ଜିଲ୍ଲାର କୋଭିଡ ବ୍ୟବସ୍ଥା : ଜିଲ୍ଲାପାଳ

ସମସ୍ତଙ୍କ ସହଯୋଗ ଦ୍ୱାରା ଖୁବ କମ୍ ସମୟରେ ସୁଧୁରିଛି ଜିଲ୍ଲାର କୋଭିଡ ବ୍ୟବସ୍ଥା : ଜିଲ୍ଲାପାଳ

ବଲାଙ୍ଗିର : ଜିଲ୍ଲାରେ ଗତ ଦୁଇ ମାସ ଧରି ମାହାମାରୀ ତାଣ୍ଡବ ରଚିଥିଲା । କିନ୍ତୁ ଦୁଇ ସପ୍ତାହ ହେବ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଦିନକୁ ୫୫୦ ଜଣ ସଂକ୍ରମିତ ସଂଖ୍ୟା ଏବେ ଖସି ଦିନକୁ ଦୁଇ ଅଙ୍କ ବିଶିଷ୍ଟ ସଂଖ୍ୟାରେ ପହଞ୍ଚିଛି । ଆଜି ରପୋର୍ଟ ଅନୁସାରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୪୯ ରହିଛି । ସଂକ୍ରମିତ ସଂଖ୍ୟା ସାରା ଜିଲ୍ଲାରେ କମିଥିବା ବେଳେ ଜନସାଧାରଣଙ୍କ ମଧ୍ୟରେ ଅଶ୍ୱସ୍ତି ପ୍ରକାଶ ପାଇଛି ତେବେ କରୋନା ବିପକ୍ଷରେ ଲଢେଇରେ ସମସ୍ତଙ୍କ ସହ ଯୋଗ ଦ୍ୱାରା ରେକର୍ଡ ସମୟ ଭିତରେ ଜିଲ୍ଲାର କୋଭିଡ ବ୍ୟବସ୍ଥା ସୁଧୁରି ପାରିଛି । ଏହା ଜିଲ୍ଲା ପ୍ରଶାସନ, ସ୍ୱାସ୍ଥବିଭାଗ, ସରକାର, ନିର୍ବାଚିତ ନେତୃବୃନ୍ଦ, ସମାଜିକ ସଂଗଠନ ସମସ୍ତଙ୍କ ସହ ଯୋଗ ଦ୍ୱାରା ସମ୍ଭବ ହୋଇପାରିଛି ବୋଲି ବଲାଙ୍ଗିର ଜିଲ୍ଲାପାଳ ନିଜ ପ୍ରତିକ୍ରିୟାରେ କହିଛନ୍ତି ।

ବିଗତ ଦୁଇ ମାସ ହେବ ଜିଲ୍ଲାରେ କରୋନାର ଦ୍ୱିତୀୟ ଲହର ତାର କରାଳ ରୂପ ଦେଖାଇଥିଲା । ଦିନକୁ ଶହ ଶହ ଆକ୍ରାନ୍ତ ହୋଇ ଭୀମ ଭୋଇ ମେଡିକାଲ କୁ ଯାଉଥିବା ବେଳେ ଜିଲ୍ଲାର ଅବ୍ୟସ୍ଥିତ ସ୍ୱାସ୍ଥ୍ୟବ୍ୟବସ୍ଥା ଉପରେ ପ୍ରବଳ ଚାପ ପଡିଥିଲା । ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା , ଅକ୍ସିଜେନ ଅଭାବ,ରୋଗୀ ଶଯ୍ୟା ଓ ଅପ୍ରସ୍ତୁତ ବ୍ୟବସ୍ଥା ଗଣମାଧ୍ୟମରେ ଖବର ପାଲଟିଥିଲା । ଭିମ ଭୋଇ ମେଡିକାଲ ଉପରେ ବଲାଙ୍ଗିର ସମେତ ଆଖପାଖର ପ୍ରାୟ ପାଞ୍ଚ ଛଅ ଟି ଜିଲ୍ଲା ନିର୍ଭର କରୁଥିବା ବେଳେ ମେଡିକାଲର ବ୍ୟବସ୍ଥା କିପରି ସୁଧୁରିବ ସେ ଉପରେ ସବୁ ଦିଗରୁ ବିଶେଷ ଉଦ୍ୟମ କରାଗଲା । ପ୍ରଥମେ ଦିର୍ଘ ଦିନ ହୋଇ ପଡିରହି ଥିବା ଅମ୍ଳଜାନ ବିତରଣ କେନ୍ଦ୍ରକୁ କାର୍ଯ୍ୟକ୍ଷମ କରି ରୋଗୀଙ୍କ ଶଯ୍ୟାକୁ ଅମ୍ଳଜାନ ପହଞ୍ଚଇ ଅମ୍ଳଜାନ ଅବାବକୁ ଦୁର କରାଗଲା ।

ମେଡିକାଲରେ ମହଯୁଦ ୪୦୦ ଜମ୍ବୋ , ୬୦୦ ବି ଟାଇପ୍ ଓ ୪୦୦ ଡି ଟାଇପ୍ ସିଲିଣ୍ଡରକୁ ସାଧାରଣ କରୋନା ଶଯ୍ୟାରେ ଆବଶ୍ୟକ ଅନୁସାରେ ନିୟୋଜିତ କରାଯାଇ ଅମ୍ଳଜାନ ଅଭାବକୁ ଦୁର କରା ଗଲା । ରେକର୍ଡ ସମୟ ମଧ୍ୟରେ ଭୀମ ଭୋଇ ମେଡିକାଲାରେ ୨୦ ଆଇସିୟୁ ଏଚଡିୟୁକୁ ଦୁଇ ଗୁଣା କରି ୪୦ରେ ପରିଣତ କରିବା ସହ ସ୍ଥାନୀୟ କିସ୍ କ୍ୟାମ୍ପସରେ ୪୦ଟି ଆସିୟୁ ଏଚଡିୟୁର ବ୍ୟବସ୍ଥା ତଥା କରୋନା ଶଯ୍ୟା ସଂଖ୍ୟା ବୃଦ୍ଧି କରିବା ପାଇଁ ସବୁ ଦିଗରୁ ଉଦ୍ୟମ ହେଲା । ଫଳରେ ଆଜି ଭୀମ ଭୋଇ ମେଡିକାଲରେ ୪୦ ଆଇସିୟୁ ୧୦ ଏଚଡିୟୁ, ୪୦ ସାଧାରଣ ଶଯ୍ୟା, କିସ୍ ଠାରେ ୪୦ ଆଇସିୟୁ ଏଚଡିୟୁ, ୬୦ ସାଧାରଣ ଶଯ୍ୟା, କରୋନା କେଆର ସେନ୍ଟର ନଂ୧ ରେ ୧୧୨ ଶଯ୍ୟା ଓ ନଂ ୨ରେ ୧୦୦ ଶଯ୍ୟାର ବ୍ୟବସ୍ଥା ହୋଇ ପାରିଛି ।

ସେହିପରି ଜିଲ୍ଲା ପ୍ରଶାସନର ଅନୁରୋଧ କ୍ରମେ ସରକାରଙ୍କ ଠାରୁ ଦ୍ୱିତୀୟ ଆରଟିପିସିଆର ମେସିନ ମିଳିବା ପରେ ଜିଲ୍ଲାରେ ଦିନକୁ ପ୍ରାୟ ୨୧୦୦ କରୋନା ପରୀକ୍ଷା କରା ଯାଇ ସଂକ୍ରମିତଙ୍କ ଟ୍ରାକିଂ ଓ ଟ୍ରେସଂ କରାଯାଉଛି । ରେଟ୍ ଟିମ୍ ଗଠନ କରାଯାଇ ଘରେ ଚିକିତ୍ସିତ ହେଉଥିବା ରୋଗୀଙ୍କ ଘରେ ଔଷଧ ବିତରଣ କରିବା ସହିତ ଫୋନ ଯୋଗେ ଡାକ୍ତରି ସାହାଯ୍ୟ ଯୋଗଇ ଦେବା ବ୍ୟବସ୍ଥା ହୋଇଛି । ସେହିପରି ମେଡିକାଲରେ ମଧ୍ୟ ରେମ୍‌ଡେସିଭିର୍‌, ଏନୋକ୍ସାପାଇନ, ଡକ୍ସିସାଇକ୍ଲିନ୍ ଓ ଆଇଭରମେକ୍ଟିନ୍ ଭଳି ଔଷଧ ପର୍ଯ୍ୟାପ୍ତ ମାତ୍ରା ମହଯୁଦ କରିବା ସହ ରୋଗୀଙ୍କୁ ବିନା ମୂଲ୍ୟରେ ପ୍ରଦାନ କରାଯାଉଛି । ଆହୁରି ଡା. ଗିରିଜା ଉଦଗାତା, ଡା ଦେଶବନ୍ଧୁ ବେହେରା ଓ ଡା. ଗୋପବନ୍ଧୁ ପାତ୍ରଙ୍କ ଭଳି ଅଭୀଜ୍ଞ ଡାକ୍ତରଙ୍କୁ କୋଭିଡ ଆଇସିୟୁର ଦାଇତ୍ୱ ଦିଆ ଯାଇଛି ।

କରୋନା ନିୟନ୍ତ୍ରଣ ପାଇଁ ବିଭିନ୍ନ ବେସରକାରୀ ଅନୁଷ୍ଠାନମାନଙ୍କ ମଧ୍ୟ ସାହାଯ୍ୟ ସହେଯାଗ ଲୋଡା ଯାଉଛି । ଏସବୁ ଫଳରେ ଏବେ ଜିଲ୍ଲାରେ କରୋନା ନିୟନ୍ତ୍ରଣକୁ ଆସିଥିବା ଜଣା ପଡୁଛି । ତେବେ କରୋନା ସହ ଲଢେଇ ଏବେ ସରି ନାହିଁ । ଆଗକୁ ଆହୁରି ଅନେକ ପରୀକ୍ଷାର ସମୟ ରହିଛି । ଏଭଳି ସମସ୍ତଙ୍କ ସହେଯାଗ ଜାରି ରହିଲେ ଆମେ କରୋନା ସହ ଲଢେଇରେ ନିଶ୍ଚିତ ବିଜୟୀ ହେବା ବୋଲି ବଲାଙ୍ଗିର ଜିଲ୍ଲାପାଳ ଚଂଚଲ ରାଣା ତାଙ୍କ ପ୍ରତିକ୍ରୀୟାରେ କହିଛନ୍ତି । ଅନ୍ୟ ପଟେ ଭୀମ ଭୋଇ ମେଡିକାଲ ଓ କିସ୍ ଆଇସିୟୁ ଉପରେ ଲୋକେ ଏବେ ଭରସା ଦେଖାଉଥିବାବେଳେ ସ୍ୱାସ୍ଥ୍ୟ ସେବା ପ୍ରତି ସନ୍ତୋଷ ପ୍ରକଟ କରୁଥିବା ଦେଖିବାକୁ ମିଳୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking