ବଲାଙ୍ଗିର : ସାରା ଦେଶରେ ୮କୋଟି ଓ ଆମ ରାଜ୍ୟରେ ୫୦ଲକ୍ଷ ନିର୍ମାଣ ଶ୍ରମିକଙ୍କ ସାମାଜିକ ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ତତ୍କାଳିନ କେନ୍ଦ୍ର ସରକାର ୧୯୯୫ ମସିହାରେ ଅଡିନାନ୍ସ ବଳରେ ନିର୍ମାଣ ଶ୍ରମିକ ସେସ୍ ଆଇନ ପ୍ରଣୟନ କଲେ ଏବଂ ନିର୍ମାଣ ଶ୍ରମିକ ଆଇନ ୧୯୯୬ ମସିହା ଜୁଲାଇ ୭ ତାରିଖ ପାରିତ ହେଲା । ୧୯୯୯ ମସିହାରେ ନିର୍ମାଣ ଶ୍ରମିକ ଆଇନର କେନ୍ଦ୍ରୀୟ ନିୟମାବଳି ପ୍ରସ୍ତୁତ ହୋଇଥିବା ବେଳେ ୨୦୦୨ ମସିହା ଜୁନ ୨ ତାରିଖ ଭାରତ ବର୍ଷର ସମସ୍ତ କଂଗ୍ରେସ ଶାସିତ ୧୯ଟି ରାଜ୍ୟରେ ଏହି ଆଇନ କାର୍ଯ୍ୟକାରି କରାଗଲା କିନ୍ତୁ ବର୍ତ୍ତମାନ ବହୁ କ୍ଷେତ୍ରରେ ଏହି ଆଇନକୁ ଆମ ରାଜ୍ୟରେ ଦଳିୟ ଭିତ୍ତିରେ କାର୍ଯ୍ୟକାରୀ କରାଯାଉଥିବା ବେଳେ ଜାଣି ଶୁଣି ରାଜ୍ୟ ସରକାର ସେସ୍ ଆଦାୟ କ୍ଷେତ୍ରରେ ମଧ୍ୟ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଦାଦନ ପ୍ରବଣ ଶ୍ରମିକ ବହୁଳ ବଲାଙ୍ଗିର ଜିଲ୍ଲାରେ ଦାଦନ ସମସ୍ୟା ଉତ୍କଟରୁ ଉତ୍କଟ ହେଉଥିବା ବେଳେ ଏଠି ରୋଜଗାର ପାଇଁ କୌଣସି ସୁବିଧା ନାହିଁ । ସମଗ୍ର ରାଜ୍ୟରେ ୫୮ଲକ୍ଷ ଶ୍ରମିକ ପଞ୍ଜିକୃତ ହୋଇଥିବା ବେଳେ ତାଙ୍କୁ କାମ ମଧ୍ୟ ଠିକ୍ ସମୟରେ ଦିଆଯାଉ ନାହିଁ । କୋଭିଡ୍-୧୯ ମହାମାରି ସମୟରେ ବଲାଙ୍ଗିର ଜିଲ୍ଲାକୁ ଲକ୍ଷାଧିକ ଇଟାଭାଟିରେ କାର୍ଯ୍ୟ କରୁଥିବା ପ୍ରବାସୀ ଶ୍ରମିକଙ୍କର ପ୍ରତ୍ୟାବର୍ତ୍ତନ ହୋଇଥିଲା । ତାଙ୍କୁ ନିର୍ମାଣ ଶ୍ରମିକ ପର୍ଯ୍ୟାୟଭୁକ୍ତ କରାଯିବାକୁ ବୋର୍ଡର ସ୍ୱିକୃତି ଥିଲେ ମଧ୍ୟ ପଞ୍ଜିକରଣ କରାଯାଇପାରିନାହିଁ । ଫଳରେ ୧୫୦୦ ଟଙ୍କା କୋଭିଡ ଭତ୍ତା ପାଇବାରୁ ବଂଚିତ ହେବେ । ରାଜ୍ୟର ଅନ୍ୟ ଜିଲ୍ଲା ତୁଳନାରେ ବଲାଙ୍ଗିର ଜିଲ୍ଲାର ନିର୍ମାଣ ଶ୍ରମିକ ପଞ୍ଜିକରଣ ସଂଖ୍ୟା ଅତି ନ୍ୟୁନ । ଦୁର୍ଭାଗ୍ୟର ବିଷୟ ଏହି ଯେ ଶ୍ରମ ମନ୍ତ୍ରୀ ବଲାଙ୍ଗିର ଜିଲ୍ଲାର ଦଳିୟ ପ୍ରଭାରୀ ଥିବା ବେଳେ ବାରମ୍ବାର ଜିଲ୍ଲାକୁ ପ୍ରତି ମାସରେ ଦୁଇଥର ତିନିଥର ଗସ୍ତ କରୁଥିଲେ ହେଁ ଶ୍ରମିକଙ୍କ ସମସ୍ୟାର ସମାଧାନ ହେଉନାହିଁ କିମ୍ବା ଶ୍ରମିକଙ୍କୁ ସହାୟତା ଓ ସର୍ବନିମ୍ନ ମଜୁରି ମଧ୍ୟ ମିଳୁନାହିଁ । ଟାଳଟୁଳ ନିତିରେ ଚାଲୁଛି ଶ୍ରମ କାର୍ଯ୍ୟାଳୟ । ତେଣୁ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ଜିଲ୍ଲା ସଭାପତି କୃଷ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଆଜିର ଶ୍ରମ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇ ୧୧ ଦଫା ସମ୍ମଳିତ ଦାବିପତ୍ର ମହାମହିମ ରାଜ୍ୟପାଳଙ୍କୁ ପ୍ରଦାନ କରାଗଲା । ଦାବିମାନଙ୍କ ମଧ୍ୟରେ ବର୍ଷ ବର୍ଷ ଧରି ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ପଡି ରହିଥିବା ଶ୍ରମିକଙ୍କ ପଞ୍ଜିକରଣ ଆବେଦନ ତୁରନ୍ତ ପଞ୍ଜିକୃତ କରାଯାଇ ଶ୍ରମିକଙ୍କୁ ପରିଚୟ ପ୍ରଦାନ କରାଯାଉ, ନବୀକରଣ ଅବଧି ତିନିବର୍ଷ ଅତିବାହିତ ହୋଇଯାଇଥିଲେ ବଲାଙ୍ଗିର ଜିଲ୍ଲା ଶ୍ରମ କାର୍ଯ୍ୟାଳୟରେ ନବୀକରଣ କରାଯାଉ ନାହିଁ । ଏଭଳି କୌଣସି ନିୟମ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡରେ ନ ଥିବା ବେଳେ ଏ ଟାଳଟୁଳ ନୀତି କଣ ପାଇଁ । ତେଣୁ ତିନିବର୍ଷ ଅବଧି ବିତି ଯାଇଥିବା ଶ୍ରମିକଙ୍କ ନବୀକରଣ ଅବିଳମ୍ବେ କରାଯାଉ, ଗୁଜରାଟ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଥିବା ମନୋଜର ପରିବାରକୁ ପୋଷ୍ଟ ମଟମ୍ ରିପୋର୍ଟ ଓ ମୃତ୍ୟୁ ପ୍ରମାଣପତ୍ର ଯୋଗାଇ ଦେବା ସହିତ ଅନୁକମ୍ପା ସହାୟତା ରାଶି ମୃତ ଶ୍ରମିକ ପରିବାରକୁ ସହାୟତା ରାଶି ଯୋଗାଇ ଦିଆଯାଉ, ନିର୍ମାଣ ଶ୍ରମିକ ପକ୍କା ଘର କାର୍ଯ୍ୟାଦେଶ ପାଇବାର ଦୁଇ ବର୍ଷ ପରେ ମଧ୍ୟ ହିତାଧିକାରୀଙ୍କୁ ଘର ମିଳିଲା ନାହିଁ । ତେଣୁ ତୁରନ୍ତ ଏହାର ତଦନ୍ତ କରାଯାଇ ଦାୟୀ ପଦାଧିକାରୀଙ୍କ ବିରୁଦ୍ଧରେ ଅପରାଧିକ ମାମଳା ରୁଜୁ ସହ ଶ୍ରମିକଙ୍କୁ ଘର ପ୍ରଦାନ କରାଯାଉ, କୋଭିଡ-୧୯ ସଂକ୍ରମଣ ସମୟରେ ଘୋଷଣା ହୋଇଥିବା ୧୫୦୦ ଟଙ୍କା ଏପର୍ଯ୍ୟନ୍ତ ଦାଦନ ପ୍ରବଣ ଶ୍ରମିକ ବହୁଳ ବଲାଙ୍ଗିର ଜିଲ୍ଲାର ଶ୍ରମିକଙ୍କୁ ସମ୍ପୁର୍ଣ୍ଣ ରୂପେ ମିଳିନାହିଁ । ତେଣୁ ଅଭିଲମ୍ବେ ସହାୟତା ପ୍ରଦାନ କରାଯାଉ, ବାରମ୍ବାର ବଲାଙ୍ଗିର ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କ ପଞ୍ଜିକରଣକୁ ଆଳ କରି ନିର୍ମାଣ ଶ୍ରମିକ ପଞ୍ଜିକରଣ ବନ୍ଦ କରାଯାଉଛି । କିନ୍ତୁ କୋଭିଡ୍ -୧୯ ସମୟରେ ପ୍ରତ୍ୟାବର୍ତନ କରିଥିବା ଲକ୍ଷ୍ୟାଧିକ ପ୍ରବାସୀଙ୍କ ନିର୍ମାଣ ଶ୍ରମିକ ଯୋଜନାରେ ପଞ୍ଜିକୃତ ହୋଇନଥିଲା । ତେଣୁ ଏହାର ତଦନ୍ତ କରାଯାଉ, ନିର୍ମାଣ ଶ୍ରମିକ ପଞ୍ଜିକରଣ, ନବୀକରଣ ଓ ସହାୟତା ପ୍ରଦାନ କ୍ଷେତ୍ରରେ ସରକାରୀ ଦଳର ହସ୍ତକ୍ଷେପ ସମ୍ପୁର୍ଣ୍ଣ ବନ୍ଦ କରାଯାଉ, ନିର୍ମାଣ ଶ୍ରମିକଙ୍କ ପାଇଁ ସମଗ୍ର ରାଜ୍ୟରେ ଗୋଟିଏ ଆଇନ ହୋଇଥିବା ବେଳେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଖଟିଖିଆ, ଗରିବ, ନିରୀହ, ଶ୍ରମିକ ବହୁ ଅସୁବିଧା ସମ୍ମୁଖିନ ହେଉଛନ୍ତି । ତେଣୁ ସମଗ୍ର ରାଜ୍ୟରେ ଗୋଟିଏ ନିୟମ ପାଳନ କରାଯାଉ, ବର୍ଷ ବର୍ଷ ଧରି ଅନୁମୋଦନ ସତ୍ୱେ ସାଇକେଲ ସହାୟତା, ଶିକ୍ଷା ସହାୟତା, ବିଭିନ୍ନ ନିର୍ମାଣ ଶ୍ରମିକ ସହାୟତା ଶ୍ରମିକଙ୍କୁ ପ୍ରଦାନ କରାଯାଉ ନାହିଁ । ତେଣୁ ଉପରୋକ୍ତ ସହାୟତା ଯୁଦ୍ଧକାଳିନ ଭିତିରେ ପ୍ରଦାନ କରାଯାଉ, ନିର୍ମାଣ ଶ୍ରମିକ ଆଇନ ୧୯୯୬ ରାଜ୍ୟରେ ଲାଗୁ କରାଯିବା ଦିନ ଠାରୁ ରାଜ୍ୟର ଘରୋଇ ବିଲଡର, ଠିକାଦାରମାନଙ୍କ ଠାରୁ ୧ ପ୍ରତିଶତ ସେସ ଆଦାୟ କରାଯାଉ, କେନ୍ଦ୍ର ସରକାରଙ୍କ ବିନା ଆଲୋଚନା ଓ ବିନା ଭୋଟରେ ୪ ଗୋଟି ଲେବର କୋର୍ଡ ଓ ୩ଟି କଳା କୃଷି ଆଇନ କାର୍ଯ୍ୟକାରୀ କରିବାକୁ ସରକାର ଯୋଜନା ରଖିଛନ୍ତି । ତେଣୁ ଏହାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ । ଅନ୍ୟମାନଙ୍କ ମଧ୍ୟରେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଘର ଜିଲ୍ଲା ସଭାପତି ପ୍ରେମାନନ୍ଦ ଭୋଇ, ସଂପାଦକ ଚକାଚରଣ ମାଝି, ଚିତ୍ତ ରଂଜନ ସାହୁ, ରମା ତାଣ୍ଡି, ଜୟସିଂ ତାଣ୍ଡି, ପୁରନ୍ଦର ଭୋଇ, ପିଙ୍କୁ ରଣା, ଉପେନ୍ଦ୍ର ଭୋଇ, ଅଶୋକ ସୁନା ପ୍ରମୁଖ ସାମିଲ ଥିଲେ ।