14.1 C
Bhubaneswar
Friday, January 10, 2025
Homeଦେଶ ବିଦେଶଗୋଧ୍ରା ଟ୍ରେନ୍‌ପୋଡ଼ି ମାମଲାରେ ଦୋଷୀଙ୍କ ଜାମିନ ପ୍ରସଙ୍ଗ; ଗୁଜରାଟ ସରକାରଙ୍କ ମତ ଲୋଡ଼ିଲେ ସୁପ୍ରିମକୋର୍ଟ

ଗୋଧ୍ରା ଟ୍ରେନ୍‌ପୋଡ଼ି ମାମଲାରେ ଦୋଷୀଙ୍କ ଜାମିନ ପ୍ରସଙ୍ଗ; ଗୁଜରାଟ ସରକାରଙ୍କ ମତ ଲୋଡ଼ିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଗୁଜରାଟରେ ୨୦୦୨ରେ ଘଟିଥିବା ଗୋଧ୍ରା ଟ୍ରେନ୍‌ପୋଡି ମାମଲାରେ ମୋଟ ୩୧ ଜଣଙ୍କୁ ଦୋଷୀସାବ୍ୟସ୍ତ କରାଯାଇଥିବାବେଳେ ସେମାନେ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ତେବେ ସେମାନଙ୍କ ମଧ୍ୟରୁ କେତେକ ଦୋଷୀ ଜାମିନ ପାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ସୋମବାର ପ୍ରଧାନ ବିଚାରପତି ଜଷ୍ଟିସ ଡି.ୱାଇ.ଚନ୍ଦ୍ରଚୂଡଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିବା ସହ ଏହି ପ୍ରସଙ୍ଗରେ ଗୁଜରାଟ ସରକାରଙ୍କ ମତାମତ ଲୋଡିଛନ୍ତି । ପିଟିସନଧାରୀମାନେ ଯୁକ୍ତି ଦର୍ଶାଇଛନ୍ତି ଯେ ଘଟଣା ଦିନ ସେମାନେ ଗୋଧ୍ରା ଷ୍ଟେସନରେ ଛିଡା ହୋଇଥିବା ସାବରମତି ଏକ୍ସପ୍ରେସ୍‌ର କେତେକ ବଗି ଉପରକୁ କେବଳ ଟେକାମାଡ କରିଥିଲେ ।

ତେବେ ଗୁଜରାଟ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଖଣ୍ଡପୀଠକୁ ଜଣାଇଛନ୍ତିି ଯେ ଦୋଷୀମାନେ ପ୍ରଥମେ ପେଟ୍ରୋଲ ଢାଳି ସାବରମତି ଏକ୍ସପ୍ରେସ୍‌ର ଦୁଇଟି ବଗିରେ ନିଆଁ ଲଗାଇବାପରେ ଏହା ଉପରକୁ ଟେକାମାଡ କରିଥିଲେ । ତେଣୁ ଏହାକୁ କେବଳ ଟେକାମାଡ ହିସାବରେ ପରିଗଣିତ କରାଯିବ ନାହିଁ । ଅପରପକ୍ଷରେ ପିଟିସନଧାରୀଙ୍କ ଓକିତଲ ସଞ୍ଜୟ ହେଗ୍‌ଡେ ଯୁକ୍ତି ଦର୍ଶାଇଛନ୍ତି ଯେ ଏହି ମାମଲାରେ କେତେକ ଦୋଷୀଙ୍କ ମୃତ୍ୟୁ ଦଣ୍ଡାଦେଶକୁ ଗୁଜରାଟ ହାଇକୋର୍ଟ ଆଜୀବନ କାରାଦଣ୍ଡରେ ପରିଣତ କରିଥିବାବେଳେ ଗୁଜରାଟ ସରକାର ଏହା ବିରୋଧରେ ଅପିଲ କରିଛନ୍ତି । ଏହା ଶୁଣିବାପରେ ଖଣ୍ଡପୀଠ ଦୋଷୀଙ୍କ ଜାମିନ ଆବେଦନ ପ୍ରସଙ୍ଗରେ ଗୁଜରାଟ ସରକାରଙ୍କୁ ନୋଟିସ ଜାରି କରିବା ସହ ଦୁଇ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଇତିପୂର୍ବରୁ ୨୦୨୨ ଡିସେମ୍ବର ୧୫ରେ ସୁପ୍ରିମକୋର୍ଟ ଆଜୀବନ କାରାଦଣ୍ଡାଦେଶ ଭୋଗୁଥିବା ଫାରୁକ୍ ନାମକ ଦୋଷୀକୁ ଜାମିନ ପ୍ରଦାନ କରିସାରିଛନ୍ତି ।

ସୋମବାର ଶୁଣାଣି ସମୟରେ ସଲିସିଟର ଜେନେରାଲ ଏହି ଜାମିନ ପିଟିସନକୁ ତୀବ୍ର ବିରୋଧ କରିଥିଲେ । ଦୋଷୀମାନେ ସେଦିନ ଦୁଇଟି ବଗିରେ ନିଆଁ ଲଗାଇବା ଫଳରେ ମହିଳା ଓ ଶିଶୁଙ୍କ ସମେତ ମୋଟ ୫୯ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ । ଅଭିଯୁକ୍ତମାନେ ବଗିର ଦ୍ୱାରକୁ ବାହାରପଟୁ ବନ୍ଦ କରିବାରୁ ଭିତରେ ଥିବା ଯାତ୍ରୀ ବାହାରି ପାରିନଥିଲେ । ନିଆଁ ଲଗାଇବାପରେ ଅଭିଯୁକ୍ତମାନେ ବଗି ଉପରକୁ ପ୍ରବଳ ଟେକାପଥର ମାଡ କରିଥିଲେ । ଏପରିକି ନିଆଁ ଲିଭାଇବାକୁ ଆସିଥିବା ଦମକଳ ଗାଡି ମଧ୍ୟ ଟେକାମାଡରୁ ନିସ୍ତାର ପାଇନଥିଲା । ସୂଚନାଯୋଗ୍ୟ ଅଯୋଧ୍ୟାରେ ଆୟୋଜିତ ପୂର୍ଣ୍ଣାହୂତି ମହା ଯଜ୍ଞରେ ଯୋଗଦେଇ ପ୍ରାୟ ୧୭୦୦ ହିନ୍ଦୁ କରସେବକ ସାବରମତି ଏକ୍ସପ୍ରେସ ଯୋଗେ ଅହମ୍ମଦାବାଦ ଫେରୁଥିଲେ । ୨୦୦୨ ଫେବୃଆରୀ ୨୭ରେ ସାବରମତି ଏକ୍ସପ୍ରେସ ଗୋଧ୍ରା ଷ୍ଟେସନରେ ସକାଳ ୭.୪୦ ମିନିଟରେ ପହଞ୍ଚିଥିଲା । ଟ୍ରେନ୍‌ଟି ଷ୍ଟେସନ ଛାଡିବାପରେ ହଠାତ୍ ଚେନ୍ ଟଣାଯିବାରୁ ଏହା ଆଉଟର ସିଗ୍‌ନାଲ ପାଖରେ ଅଟକିଥିଲା । ଏହି ସମୟରେ ନିର୍ଦ୍ଦିଷ୍ଟ ସଂପ୍ରଦାୟର ପ୍ରାୟ ୨ ହଜାର ବ୍ୟକ୍ତି ଟ୍ରେନ୍‌ର ଚାରିଟି ବଗିରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ ।

ଫଳରେ ୨୭ ଜଣ ମହିଳା ଓ ୧୦ ଶିଶୁଙ୍କ ସମେତ ମୋଟ ୫୯ ଜଣ ପ୍ରାଣ ହରାଇଥିବାବେଳେ ୪୮ ଜଣ ଆହତ ହୋଇଥିଲେ । ୨୦୧୧ ଫେବୃଆରୀରେ ଏସ୍‌ଆଇଟି କୋର୍ଟ ୩୧ ଜଣଙ୍କୁ ଦୋଷୀସାବ୍ୟସ୍ତ କରିଥିବାବେଳେ ୬୩ ଜଣଙ୍କୁ ପ୍ରମାଣ ଅଭାବରୁଖଲାସ କରିଥିଲା । ଏମାନଙ୍କ ମଧ୍ୟରେ ମାଷ୍ଟରମାଇଣ୍ଡ କୁହାଯାଉଥିବା ମୌସଲନା ସୟିଦ୍ ଉମରଜୀ ମଧ୍ୟ ସାମିଲ ଥିଲା । ଦୋଷୀଙ୍କ ମଧ୍ୟରୁ ୧୧ ଜଣଙ୍କୁ ଫାଶୀଦଣ୍ଡ ଏବଂ ଅନ୍ୟ ୨୦ ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରାଯାଇଥିଲା । ତେବେ ଗୁଜରାଟ ହାଇକୋର୍ଟ ୨୦୧୭ ଅକ୍ଟୋବରରେ ୧୧ ଜଣଙ୍କ ଫାଶୀଦଣ୍ଡକୁ ଆଜୀବନ କାରାଦଣ୍ଡକୁ ହ୍ରାସ କରିଥିଲେ । ଏଥିସହିତ ମୃତ ୫୯ ଜଣଙ୍କ ପରିବାର ପିଛା ୧୦ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରିବାକୁ ଗୁଜରାଟ ସରକାର ଓ ରେଳବାଇକୁ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking