31.1 C
Bhubaneswar
Thursday, May 29, 2025
Homeଖେଳଜୁନିୟର୍ ବିଶ୍ୱକପ୍ ହକିରୁ ଓହରିଲେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ

ଜୁନିୟର୍ ବିଶ୍ୱକପ୍ ହକିରୁ ଓହରିଲେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ: କୋଭିଡ୍ ସମ୍ବଦ୍ଧିତ ଯାତ୍ରା କଟକଣା କାରଣରୁ ଚଳିତ ବର୍ଷ ଶେଷ ବେଳକୁ ଭାରତରେ ଆୟୋଜିତ ହେବାକୁ ଥିବା ଜୁନିୟର୍ ହକି ବିଶ୍ୱକପ୍ ସମେତ ଏଫ୍‌ଆଇଏଚ୍‌ର ଆଗାମୀ ଟୁର୍ଣ୍ଣାମେଣ୍ଟଗୁଡ଼ିକରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ନାମ ପ୍ରତ୍ୟାହାର କରିନେଇଛନ୍ତି । ଜୁନିୟର୍ ବିଶ୍ୱକପ୍ (ପୁରୁଷ) ଭାରତ ଓ (ମହିଳା) ସାଉଥ୍ ଆଫ୍ରିକାରେ ଅକ୍ଟୋବର-ନଭେମ୍ବରରେ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି । ମହିଳା ଟୁର୍ଣ୍ଣାମେଣ୍ଟ୍ ପୋତ୍‌ଚେଫ୍‌ଷ୍ଟ୍ରୁମ୍‌ରେ ହେବାର ଥିବା ବେଳେ ପୁରୁଷ ଟୁର୍ଣ୍ଣାମେଣ୍ଟ୍‌ର ଭେନ୍ୟୁ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ନଥିବା ବେଳେ ଏହା ଓଡ଼ିଶାରେ ଆୟୋଜିତ ହେବାର ବହୁ ସମ୍ଭାବନା ରହିଛି । ଏହି ଦୁଇ ତାସ୍‌ମାନିଆ ଦେଶରେ ବିଦେଶରୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ବାଧ୍ୟମୂଳକ କ୍ୱାରେଣ୍ଟାଇନ୍ ନିୟମ ଥିବାରୁ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଏଫ୍‌ଆଇଏଚ୍ ଟୁର୍ଣ୍ଣାମେଣ୍ଟ୍‌ରୁ ଅନୁପସ୍ଥିତ ରହିବାକୁ ନିଷ୍ପତ୍ତି ନେଇଛନ୍ତି । ଅଷ୍ଟ୍ରେଲିଆ କ୍ରିକେଟ୍ ଏବଂ ନ୍ୟୁଜିଲାଣ୍ଡ କ୍ରିକେଟ୍ ଏହି ନିଷ୍ପତ୍ତି ସମ୍ପର୍କରେ ଶୁକ୍ରବାର ଘୋଷଣା କରିବା ସହ ଜୁନ୍ ୨୦୨୨ ମଧ୍ୟରେ କୌଣସି ଏଫ୍‌ଆଇଏଚ୍ ଇଭେଣ୍ଟ୍‌ର ଆୟୋଜନ କିମ୍ବା ଇଭେଣ୍ଟ୍‌ରେ ଭାଗନେବା ପାଇଁ ଅସମର୍ଥ ବୋଲି ଜଣାଇଛନ୍ତି ।

ବର୍ତ୍ତମାନ ଅଷ୍ଟ୍ରେଲିଆ ସରକାରଙ୍କ ସ୍ୱାସ୍ଥ୍ୟ ସମ୍ପର୍କିତ ପରାମର୍ଶ ଅନୁସାରେ ହକି ଅଷ୍ଟ୍ରେଲିଆ କୌଣସି ବିଦେଶ ଟ୍ରିପ୍ ସମ୍ପର୍କରେ ଚିନ୍ତା କରୁନାହିଁ ବୋଲି ଏହାର ଅନ୍ତରୀଣ ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ମିଚେଲ ଜନ୍‌ଷ୍ଟନ୍ ଏକ ପ୍ରେସ୍ ବିବୃତିରେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ ଯାତ୍ରା କଟଣାକ ଯୋଗୁଁ ମଧ୍ୟ ଅନ୍ୟ ଦେଶଗୁଡ଼ିକର ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ଆସିବାରେ ଅସୁବିଧାକୁ ଦୃଷ୍ଟିରେ ରଖି ଆମେ ଏଫ୍‌ଆଇଏଚ୍ ପ୍ରୋଲିଗ୍‌ରୁ ଅନୁପସ୍ଥିତି ରହିବାକୁ ମିଳିତ ଭାବେ ନିଷ୍ପତ୍ତି ନେଇଛୁ । ଜୁନିୟର୍ ବିଶ୍ୱ କପ୍ ଏବଂ ପ୍ରୋଲିଗ୍ ବ୍ୟତୀତ ହକି ଅଷ୍ଟ୍ରେଲିଆ ଆସନ୍ତା ବର୍ଷ ଫେବୃଆରୀରେ ହେବାକୁ ଥିବା ଇନ୍‌ଡୋର ହକି ବିଶ୍ୱକପ୍ (ବେଲ୍‌ଜିୟମ୍‌) ଓ ମାଷ୍ଟର୍ସ ଇନ୍‌ଡୋର ବିଶ୍ୱକପ୍ (ଆମେରିକା)ରୁ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛି । ଏହି ନିଷ୍ପତ୍ତି ସମ୍ପର୍କରେ ସ୍ପଷ୍ଟ କରିବା ସହ ହକି ନ୍ୟୁଜିଲାଣ୍ଡ ସିଇଓ ଆନ୍ଥୋନୀ କ୍ରମି କହିଛନ୍ତି, ବର୍ତ୍ତମାନର କୋଭିଡ୍‌-୧୯ ସ୍ଥିତି ଓ ନିକଟ ଭବିଷ୍ୟତରେ ଯାତ୍ରା କଟକଣାରେ ପରିବର୍ତ୍ତନର କୌଣସି ସମ୍ଭାବନା ନଥିବାରୁ ଏହି ଇଭେଣ୍ଟ୍‌ଗୁଡ଼ିକରେ ଭାଗନେବା ଅସମ୍ଭବ । ଆଗାମୀ ପୁରୁଷ ଓ ମହିଳା ଜୁନିୟର୍ ହକି ବିଶ୍ୱକପ୍‌ରେ କେଉଁ ଦୁଇଟି ଓସେନିଆ ଟିମ୍ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ସ୍ଥାନରେ ସାମିଲ ହେଉଛନ୍ତି ତାହା ଦେଖିବାକୁ ବାକି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking