ଭୁବନେଶ୍ୱର: ଭିନ୍ନକ୍ଷମ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ଭରତପୁର ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି ସୋମବାର କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା ଭରତପୁର ଥାନା ଅଞ୍ଚଳରେ ରହୁଥିବା କଟକର ସନ୍ତ ଓରଫ୍ ସନ୍ତୋଷ ନାୟକ(୨୭) । ଏ ନେଇ ଗତ ୧୯ ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା । ସୂଚନାନୁସାରେ, ଗିରଫ ଅଭିଯୁକ୍ତ ଏବଂ ପୀଡିତା ଉଭୟେ ଭରତପୁର ଥାନା ଅନ୍ତର୍ଗତ ପଣ୍ଡିଆପୋଖରୀ ବସ୍ତିରେ ରୁହନ୍ତି । ପୀଡିତା ଜଣେ ବଧିର ଅଟନ୍ତି । ଗତ ୧୮ ତାରିଖ ରାତିରେ ପୀଡିତା ନିଜ ଘରେ ଏକାକୀ ଶୋଇଥିବାବେଳେ ଅଭିଯୁକ୍ତ ଜଣକ ଏହାର ସୁଯୋଗ ନେଇ ପୀଡିତାଙ୍କ ଶୋଇବା ଘରେ ପଶିଥିଲେ ।
ପରେ ଜୋର ଜବରଦସ୍ତି ପୀଡିତାଙ୍କ ଶରୀରରେ ସମସ୍ତ ଅଙ୍ଗଙ୍କୁ ଛୁଇଁବା ସହ ଚୁମ୍ୱନ କରିବା ଉଦ୍ଦେଶ୍ୟରେ ତାଙ୍କ ଗାଲକୁ କାମୁଡି ଦେଇଥିଲେ । ପରେ ପୀଡିତାଙ୍କୁ ବିବସ୍ତ୍ର କରିବା ଉଦେଶ୍ୟ ନେଇ ସେ ପରିଧାନ କରିଥିବା ବସ୍ତ୍ରକୁ ଚିରି ଦେଇଥିଲେ । ପୀଡିତା ଏ ନେଇ ଚିତ୍କାର କରିବାରୁ ଅଭିଯୁକ୍ତ ଜଣକ ଉକ୍ତ ସ୍ଥାନରୁ ପଳାଇଯାଇଥିଲେ । ଅଭିଯୋଗକାରୀ ଏ ନେଇ ଭରତପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲାର ତଦନ୍ତ କରି ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ପାଇଁ ଥାନାକୁ ଆଣିଥିଲେ । ତଦନ୍ତ ସମୟରେ ଅଭିଯୁକ୍ତ ନିଜର ଦୋଷ ସ୍ୱୀକାର କରିଥିବାରୁ ଆଜି ତାକୁ କୋର୍ଟ ଚାଲାଣ କରାଯାଇଛି ।