ନୂଆଦିଲ୍ଲୀ: ଆସନ୍ତା ଫେବୃଆରୀରେ ଉତ୍ତର-ପୂର୍ବର ତିନିଟି ରାଜ୍ୟ ଯଥା ତ୍ରିପୁର, ମେଘାଳୟ ଓ ନାଗାଲାଣ୍ଡରେ ବିଧାନସଭା ନିର୍ବାଚନ ସମ୍ପର୍କରେ ନିର୍ବାଚନ କମିଶନ (ଇସି) ଘୋଷଣା କରିସାରିଛନ୍ତିି । ଫେବୃଆରୀ ୧୬ରେ ତ୍ରିପୁରା ଏବଂ ଫେବୃଆରୀ ୨୭ରେ ମେଘାଳୟ ଓ ନାଗାଲାଣ୍ଡରେ ଭୋଟଗ୍ରହଣ କରାଯିବ । ଇସିଙ୍କ ତରଫରୁ ନିର୍ବାଚନ ତାରିଖ ଘୋଷଣା କରାଯିବାର ଚବିଶ ଘଣ୍ଟା ମଧ୍ୟରେ ଏହି ତିନିଟି ରାଜ୍ୟରେ ଆସନ ବୁଝାମଣା ଓ ମେଣ୍ଟ ପ୍ରସଙ୍ଗକୁ ବିଜେପି ଚୂଡାନ୍ତ କରିସାରିଛି ବୋଲି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ସୂଚନା ଦେଇଛନ୍ତିି । ତିନି ରାଜ୍ୟର ଆଞ୍ଚଳିକ ଦଳଗୁଡିକ ସହ ଏହି ପ୍ରସଙ୍ଗରେ ଆଲୋଚନା କରିବାକୁ ବିଶ୍ୱଶର୍ମା ବର୍ତ୍ତମାନ ଦିଲ୍ଲୀରେ ଡେରା ପକାଇଛନ୍ତି । ନାଗାଲାଣ୍ଡ ବିଧାନସଭାର ୬୦ ଆସନ ପାଇଁ ବିଜେପି, ଏନ୍ଡିପିପି (ନ୍ୟାସନାଲ ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି) ଓ ଏନ୍ଇଡିଏ (ନର୍ଥ ଇଷ୍ଟ୍ ଡେମୋକ୍ରାଟିକ ଆଲାଏନ୍ସ) ମଧ୍ୟରେ ଆସନ ବୁଝାମଣା ହୋଇସାରିଛି । ସେଠାରେ ଏନ୍ଡିପିପି ସର୍ବାଧିକ ୪୦ ଆସନରେ ପ୍ରାର୍ଥୀ ଛିଡା କରୁଥିବାବେଳେ ବିଜେପି ୨୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ଜଣାପଡିଛି । ବିଜେପି ଭାଗରେ ପଡିଥିବା ୨୦ ମଧ୍ୟରୁ ୧୦ଟି ଆସନରେ ପ୍ରାର୍ଥୀ ମନୋନୟନ ହୋଇସାରିଥିବା ସେ ଜଣାଇଛନ୍ତି । ମେଘାଳୟର ସମସ୍ତ ୬୦ ଆସନରେ ବିଜେପି ଏକାକୀ ଲଢିବ ବୋଲି ନିଷ୍ପତ୍ତି ନେଇଛି । ସେଠାରେ କୌଣସି ଜାତୀୟ କିମ୍ବା ଆଞ୍ଚଳିକ ଦଳ ସହ ବିଜେପି ମେଣ୍ଟ କରିବ ନାହିଁ । ତ୍ରିପୁରାରେ ବିଜେପି ନେତୃତ୍ୱାଧୀନ ଏନ୍ଇଡିଏ କ୍ଷମତାରେ ଥିବାବେଳେ ପ୍ରଦ୍ୟୋତ୍ ଦେବବର୍ମାଙ୍କ ‘ତିପ୍ରା ମୋଥା’ ପାର୍ଟି କିନ୍ତୁ ଏହି ମେଣ୍ଟରେ ସାମିଲ ନାହିଁ । ତେବେ ଭୋଟଗ୍ରହଣ ପରେ ଦେବବର୍ମାଙ୍କ ସହ ସମ୍ଭାବ୍ୟ ମେଣ୍ଟ ସମ୍ପର୍କରେ ଔପଚାରିକ ଆଲୋଚନା କରାଯିବ ବୋଲି ବିଶ୍ୱଶର୍ମା କହିଛନ୍ତି । ଏଥିରୁ ସ୍ପଷ୍ଟ ହୋଇଛି ଯେ କେବଳ ନାଗାଲାଣ୍ଡକୁ ବାଦଦେଲେ ଅନ୍ୟ ଦୁଇ ରାଜ୍ୟରେ ବିଜେପି ଏକାକୀ ନିର୍ବାଚନ ଲଢିବ । ତ୍ରିପୁରାରେ ଦେବବର୍ମାଙ୍କ ଦଳ ସ୍ୱତନ୍ତ୍ର ‘ତିପ୍ରାଲ୍ୟାଣ୍ଡ’ ଗଠନ ଦାବି କରୁଥିବାରୁ ବିଜେପି ସହ ମେଣ୍ଟ ହେବା ଅନିଶ୍ଚିତ ଜଣାପଡୁଛି । ତାଙ୍କ ଦଳ ତ୍ରିପୁରାରେ ୪୦-୪୫ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ ବୋଲି ମଧ୍ୟ ଦେବବର୍ମା ସଙ୍କେତ ଦେଇଛନ୍ତି ।