ଭୁବନେଶ୍ୱର : କେନ୍ଦ୍ରରେ ସରକାର ବଞ୍ଚାଇବା ପାଇଁ ଆନ୍ଧ୍ର ପାଖରେ ଆତ୍ମସମର୍ପଣ କରିଛି ଓଡିଶା । କୋଟିଆରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ନେଇ ନବୀନଙ୍କ ଚିଠି ଉପରେ ପ୍ରତିକ୍ରିୟା ରଖି ଏହା କହିଛନ୍ତି ବିଜେଡି ବିଧାୟକ ଅରୁଣ ସାହୁ । ବିଜେଡିକୁ କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।
ଅରୁଣ ସାହୁ କହିଛନ୍ତି ଯେ, କୋଟିଆ ହେଉଛି ଓଡ଼ିଆ ଅସ୍ମିତାର ଗୋଟିଏ ଉଦାହରଣ । ଅଢେଇ ବର୍ଷରେ ଓଡ଼ିଆ ଅସ୍ମିତାକୁ ବିଜେପି ସରକାର କେତେ ବଞ୍ଚାଇଛନ୍ତି ତାହା କୋଟିଆ ପ୍ରସଙ୍ଗରେ ସ୍ପଷ୍ଟ ବାରି ହୋଇପଡ଼ୁଛି। କୋଟିଆ ପାଇଁ ରାଜ୍ୟ ସରକାର କମିଟି ଗଠନ କରିଥିଲେ। ସେ କମିଟିରେ କେତେ ଥର ବୈଠକ ବସିଛି ? ବିଜେପିର ଓଡ଼ିଆ ଅସ୍ମିତା ନାରା ଗୋଟେ ଫାଙ୍କା ଆବାଜ୍। କେନ୍ଦ୍ରରେ ସରକାର ବଞ୍ଚାଇବା ପାଇଁ ଓଡିଶା ସରକାର ଆତ୍ମ ସମର୍ପଣ କରିଛନ୍ତି । କେନ୍ଦ୍ରରେ ବିଜେପି ସରକାର, ରାଜ୍ୟରେ ବିଜେପି ସରକାର ଓ ଆନ୍ଧ୍ରରେ ଭାଗୁଆଳି ସରକାର. ହେଲେ ବିଜେପି ସରକାର ବଞ୍ଚାଇବାକୁ ମାଟି ନୁହେଁ ପାଟିକୁ ବିଜେପି ଗୁରୁତ୍ବ ଦେଇଛି ବୋଲି କହିଛନ୍ତି ଅରୁଣ ସାହୁ ।
ସେପଟେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜସ୍ବ ବିଭାଗ କୋଟିଆ ଦାୟିତ୍ବ ନେବା ପରେ ମନ୍ତ୍ରୀ ନିଜେ ୫ ଥର କୋଟିଆ ଗସ୍ତ କରିଛନ୍ତି । ପ୍ରଥମ ଗସ୍ତରେ ସେଠାକାର ଅଧିବାସୀ ଓଡିଶା ସରକାର ପ୍ରତି ବିମୁଖ ହେଉଥିଲେ । ଗତ ୨୫ ବର୍ଷରେ ପୂର୍ବ ସରକାର କିଛି କରିନଥିଲେ । ନୂଆ ସରକାର ଆସିବା ପରେ ବିକାଶ ଆରମ୍ଭ ହୋଇଛି । କୋଟିଆବାସୀ ମାଉସୀ ଆନ୍ଧ୍ରକୁ ଛାଡି ମାକୁ ଭରସା କରିବା ଆରମ୍ଭ କରିଛନ୍ତି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅନୁଭବୀ ଲୋକ, ଖାଲି ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଦେଲେ ହେବ ନାହିଁ । ସେ ଲେଖିଥିବା ଚିଠିର ଆମେ ଉତ୍ତର ଦେବୁ ।










