ରାଉରକେଲା: ଦକ୍ଷିଣ ରାଉରକେଲା ଅନ୍ତର୍ଗତ ସେକ୍ଟର-୨୨ ସାରନଗରୀରେ ରାଉରକେଲା ଇସ୍ପାତ କାରଖାନା (ଆରଏସପି)ର ଖାଲି ଓ ପରିତ୍ୟକ୍ତ କ୍ୱାର୍ଟରଗୁଡ଼ିକ ଏବେ ସ୍ଥାନୀୟ ବାସିନ୍ଦାଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏହି କ୍ୱାର୍ଟରଗୁଡ଼ିକରେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ଜମୁଥିବା ଏବଂ ନିଶା ସେବନ ସହ ବିଭିନ୍ନ ଅସାମାଜିକ କାର୍ଯ୍ୟକଳାପ ବଢ଼ୁଥିବା ନେଇ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।ଏକଦା ଆରଏସପି କର୍ମଚାରୀଙ୍କ ଆବାସିକ ଅଞ୍ଚଳ ଭାବେ ପରିଚିତ ସାରନଗରୀର ବିଭିନ୍ନ ବ୍ଲକ୍ରେ ୪ ହଜାରରୁ ଊର୍ଦ୍ଧ୍ୱ କର୍ମଚାରୀ ବସବାସ କରୁଥିଲେ। ଅବସର ଗ୍ରହଣ ପରେ ଅନେକ କର୍ମଚାରୀ ଅନ୍ୟ ସେକ୍ଟରକୁ ଚାଲିଯାଇଥିବା ବେଳେ କେତେକ ଭଡ଼ାଘର କିମ୍ବା ନିଜସ୍ୱ ଗୃହରେ ରହୁଛନ୍ତି। ଏହାର ପ୍ରଭାବରେ ସେକ୍ଟର-୨୨ର ଅନେକ କ୍ୱାର୍ଟର ଖାଲି ପଡ଼ିଥିବା ଦେଖାଯାଉଛି।ସ୍ଥାନୀୟ ସୂଚନା ଅନୁଯାୟୀ, ସେକ୍ଟର-୨୨ରେ ପ୍ରାୟ ୧୪୫୦ଟି କ୍ୱାର୍ଟର ରହିଛି। ସେଥିମଧ୍ୟରୁ କେତେକ ଖାଲି ପଡ଼ିଥିବା ବେଳେ ଅନେକ ଘର ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ହୋଇପଡ଼ିଛି। ଅନେକ କ୍ୱାର୍ଟରର ଝରକା ଓ କବାଟ ଭାଙ୍ଗିଯାଇଥିବାରୁ ସେଗୁଡ଼ିକ ଅସାମାଜିକ ବ୍ୟକ୍ତିଙ୍କ ପାଇଁ ସୁବିଧାଜନକ ସ୍ଥାନ ପାଲଟିଥିବା ଅଭିଯୋଗ ହେଉଛି।
ଅଭିଯୋଗ ଅନୁଯାୟୀ, ସନ୍ଧ୍ୟା ହେଲେ ଏହି ଖାଲି କ୍ୱାର୍ଟରଗୁଡ଼ିକରେ କେତେକ ଯୁବକଙ୍କ ଭିଡ଼ ଜମୁଛି। ଗଞ୍ଜେଇ ସେବନ, ମଦ୍ୟପାନ ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟକଳାପ ଯୋଗୁଁ ନିକଟସ୍ଥ କ୍ୱାର୍ଟରରେ ରହୁଥିବା ପରିବାରଗୁଡ଼ିକ ଅସୁରକ୍ଷିତ ମନେ କରୁଛନ୍ତି। ଏପରିକି ଏହି କାର୍ଯ୍ୟକଳାପକୁ କେହି ବିରୋଧ କଲେ ଆକ୍ରୋଶର ଶିକାର ହେବାକୁ ପଡ଼ୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି।ଅନ୍ୟପକ୍ଷରେ, ପିଲାମାନଙ୍କ ପାଠପଢ଼ା ଓ ଅନ୍ୟାନ୍ୟ ସୁବିଧାକୁ ଦୃଷ୍ଟିରେ ରଖି କେତେକ ଆରଏସପି କର୍ମଚାରୀ ଅନ୍ୟ ସେକ୍ଟରକୁ ଚାଲିଯାଉଥିବା କୁହାଯାଉଛି। ଏହାଦ୍ୱାରା ଆବାସିକ ଅଞ୍ଚଳର କେତେକ ଭାଗରେ ଜନସମାଗମ କମିବା ସହ ଖାଲି ଘରଗୁଡ଼ିକର ସୁରକ୍ଷା ନେଇ ପ୍ରଶ୍ନ ଉଠୁଛି।
ସବୁଠାରୁ ଉଦ୍ବେଗଜନକ ବିଷୟ ହେଉଛି, କିଛିଦିନ ପୂର୍ବେ ଏକ ଖାଲି ଆରଏସପି କ୍ୱାର୍ଟରରେ ଅଜଣା ଦୁର୍ବୃତ୍ତ ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ପୁଲିସର କାର୍ଯ୍ୟଧାରା ପ୍ରତି ଅସନ୍ତୋଷ ପ୍ରକାଶ କରିଛନ୍ତି ବୁଦ୍ଧିଜୀବୀ ମହଲ। ତେବେ ଏହି ଘଟଣାରେ ପୁଲିସର ପଦକ୍ଷେପ ସମ୍ପର୍କରେ ଆଧିକାରିକ ସୂଚନା ମିଳିନାହିଁ।ଏଭଳି ପରିସ୍ଥିତିରେ ଖାଲି ଓ ପରିତ୍ୟକ୍ତ କ୍ୱାର୍ଟରଗୁଡ଼ିକର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବା, ନିୟମିତ ପୁଲିସ ପାଟ୍ରୋଲିଂ କରିବା ଏବଂ ବାସୋପଯୋଗୀ ଖାଲି କ୍ୱାର୍ଟରଗୁଡ଼ିକୁ ଯୋଗ୍ୟ ଆବେଦନକାରୀଙ୍କୁ ଆବଣ୍ଟନ କରିବା ଜରୁରୀ ହୋଇପଡ଼ିଛି। ଏଥିସହ ଜରାଜୀର୍ଣ୍ଣ କ୍ୱାର୍ଟରଗୁଡ଼ିକର ମରାମତି ଓ ରକ୍ଷଣାବେକ୍ଷଣ ପାଇଁ ଆରଏସପି କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।










