30.1 C
Bhubaneswar
Saturday, May 18, 2024
Homeଅପରାଧଚାକିରି ଦେବା ନାମରେ କୋଟି କୋଟି ଟଙ୍କା ଠକେଇ : ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ...

ଚାକିରି ଦେବା ନାମରେ କୋଟି କୋଟି ଟଙ୍କା ଠକେଇ : ଅଭିଯୁକ୍ତକୁ ଗିରଫ କଲା ଦିଲ୍ଲୀ ପୁଲିସ

ଧାମନଗର : ଚାକିରି ଦେବା ନାଁ’ରେ ଲୋକଙ୍କୁ ଠକିବା ଓ ଇନ୍ଦିରାଗାନ୍ଧୀ ଏୟାରଫୋର୍ସ ଆପ୍‌କୁ ହ୍ୟାକ୍ କରିବା ଅଭିଯୋଗରେ ଶନିବାର ଦିଲ୍ଲୀ ପୁଲିସ ଧାମନଗର ଅଞ୍ଚଳରୁ ସଂପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି । ଅଭିଯୁକ୍ତ ହେଲେ ଯାଜପୁର ଜିଲ୍ଲା ବୈରୀ ଛତିଆ ଅଞ୍ଚଳର ସୁରେଶ ମଲିକଙ୍କ ପୁଅ ରାଜେନ୍ଦ୍ର ମଲିକ(୩୪) । ରାଜେନ୍ଦ୍ର ନିଜ ଶ୍ୱଶୁର ଘର ଧାମନଗର ବ୍ଲକ ଧୁଷୁରୀ ଥାନା ଅନ୍ତର୍ଗତ ଭଟ୍ଟସାହି ପଞ୍ଚାୟତ ନରହରିପୁର ଗ୍ରାମରୁ ଶୁକ୍ରବାର ବିଳମ୍ବିତ ରାତିରେ ଦିଲ୍ଲୀ ପୁଲିସ ଧୁଷୁରୀ ପୁଲିସର ସହାୟତାରେ ଗିରଫ କରିଛି । ସୂଚନା ଅନୁଯାୟୀ,  ରାଜେନ୍ଦ୍ର ଭୁବନେଶ୍ୱରରେ ରହି ବେକାରୀ ଯୁବକ ଓ ଯୁବତୀମାନଙ୍କୁ ଚାକିରି ଦେବା ନାମରେ ଫେକ୍ ଆଇଡି ଖୋଲି ସୋସିଆଲ ମିଡିଆରେ ନିଜର ପ୍ରଚାର କରିଆସୁଥିଲେ ।

ଏପରିକି ବିଭିନ୍ନ ନାମୀ ଦାମୀ କମ୍ପାନୀର ଲୋଗୋକୁ ବ୍ୟବହାର କରି ଚାକିରି ଦେବା ପ୍ରଲୋଭନ ଦେଖାଇ ଆଶାୟୀ ପ୍ରାର୍ଥୀଙ୍କଠାରୁ ମୋଟା ଅଙ୍କରେ ଅର୍ଥ ଲୁଟି ଚାଲିଥିଲେ । ରାଜେନ୍ଦ୍ର ବିଭିନ୍ନ ବ୍ୟାଙ୍କରେ ଭିନ୍ନ ଭିନ୍ନ ଲୋକଙ୍କ ନାମରେ ନିଜ ଫଟୋ ରଖି ଆକାଉଣ୍ଟ ଖୋଲି ପ୍ରାର୍ଥୀମାନଙ୍କଠାରୁ ଅଗ୍ରିମ ଟଙ୍କା ଲୁଟି ଚାଲିଥିଲେ । ନିଜର ମୋବାଇଲ୍ ନମ୍ବର ବି ବାରମ୍ବାର ବଦଳ କରୁଥିଲେ । ବିଭିନ୍ନ କଂପାନୀ ସହିତ ସରକାରୀ ଚାକିରି କରାଇଦେବା ପାଇଁ ନିଜ ୱେବ୍‌ରେ ବିଭିନ୍ନ ପୋଷ୍ଟ ଛାଡୁଥିଲେ । ଏପରିକି ଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଏୟାର୍‌ଫୋର୍ସର ଆପ୍‌କୁ ହ୍ୟାକ୍ ଓ ଲୋଗୋକୁ ବ୍ୟବହାର କରିବା ଦ୍ୱାରା ଦିଲ୍ଲୀସ୍ଥିତ ଆଇଜିଆଇ ଏୟାରପୋର୍ଟ ପୁଲିସ ଘଟଣାର ତନାଘନା କରିଥିଲା ।

ପରେ ଏଥିରେ ରାଜେନ୍ଦ୍ର ସଂପୃକ୍ତି ଥିବା ଜାଣିବାକୁ ପାଇବା ପରେ ତା’ର ମୋବାଇଲ ଫୋନକୁ ଦିଲ୍ଲୀ ପୁଲିସ ଟ୍ରାକିଂ କରିଥିଲା । ରାଜେନ୍ଦ୍ର ଭୁବନେଶ୍ୱରରୁ ନିଜ ଶ୍ୱଶୁର ଘରେ ଥିବା ଜାଣିବାକୁ ପାଇବା ପରେ ଦିଲ୍ଲୀ ପୁଲିସ ଇନିସ୍‌ପେକ୍ଟର ଅଜୟ କୁମାର, ସବ୍‌ଇନିସ୍‌ପେକ୍ଟର ସତିଶ କୁମାର, କନ୍‌ଷ୍ଟବଳ ଓମ୍ ବରୀଙ୍କ ସହିତ ଧୁଷୁରୀ ଥାନା ଏସ୍‌ଆଇ ମହାପ୍ରସାଦ ନାୟକ ଓ ବି. ସ୍ୱାଇଁ ଏବଂ ଏଏସଆଇ ଧ୍ରୁତରାଷ୍ଟ ମଲିକ ପ୍ରମୁଖ ଶୁକ୍ରବାର ବିଳମ୍ବିତ ରାତିରେ ଚଢଉକରି ରାଜେନ୍ଦ୍ରକୁ ଗିରଫ କରିଥିଲେ । ଶନିବାର ଧାମନଗର କୋର୍ଟରେ ହାଜର କରାଯାଇ ଦିଲ୍ଲୀ ପୁଲିସ ତାଙ୍କୁ ନିଜ ହେପାଜତକୁ ନେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking