ଭୁବନେଶ୍ୱର: ୨୪ ବର୍ଷ ଶାସନ ମଧ୍ୟରେ ପୂର୍ବ ସରକାର ବିକାଶ ନାମରେ ଗରିବ ଲୋକଙ୍କୁ ଲୁଟିଛି। ଗରିବ ଲୋକଙ୍କର ଧନ ସମ୍ପତ୍ତିକୁ ଜବର ଦଖଲ କରି ସେମାନଙ୍କୁ ରାଜରାସ୍ତାରେ ପକାଇଛି। ଲକ୍ଷ ଲକ୍ଷ ଗରିବ ଜନତାଙ୍କ ସମ୍ପତ୍ତିକୁ ହଡ଼ପ କରି ସେମାନଙ୍କୁ ମରିବାକୁ ବାଧ୍ୟ କରିଛି। ସେମାନଙ୍କ ପରିବାରବର୍ଗ ଓ ପିଲାଛୁଆଙ୍କୁ ସ୍ୱାସ୍ଥ୍ୟ ଓ ଶିକ୍ଷାରୁ ବଞ୍ôଚତ କରି ସାମ୍ବିଧାନିକ ଅଧିକାରକୁ ସମ୍ପୂର୍ଣ୍ଣ ଉଲଙ୍ଘନ କରିଛି। ଏହି ସରକାରର ମୁଖ୍ୟମନ୍ତ୍ରୀ, ରାଜସ୍ୱମନ୍ତ୍ରୀ, ସମସ୍ତ ଜିଲ୍ଲାପାଳ, ତହସିଲଦାର ଓ ପୂର୍ତ୍ତ ବିଭାଗର ସମସ୍ତ ଯନ୍ତ୍ରୀ ତୁରନ୍ତ ଗିରଫ ହେବା ଦରକାର। ସେମାନଙ୍କର ଓ ସେମାନଙ୍କ ପରିବାର ନାମରେ ଥିବା ସମସ୍ତ ଅନୈତିକ ସମ୍ପତ୍ତିକୁ ଅର୍ଥନୈତିକ ଅପରାଧ ଆଇନରେ ଜବତ କରି ଗରିବ ଲୋକଙ୍କୁ ସୁଧ ଓ ମୂଳ ସହ ଫେରସ୍ତ କରାଯିବା ଦରକାର। ପୂର୍ତ୍ତ ବିଭାଗ ଓ ସମ୍ପୃକ୍ତ ବିଭାଗ ପ୍ରାୟୋଜିତ ପ୍ରକଳ୍ପ ରାସ୍ତା ଚଉଡ଼ା ନିମନ୍ତେ ଜମି ଅଧିଗ୍ରହଣ କରିବା ପରେ ଟେଣ୍ଡର ମାଧ୍ୟମରେ ଠିକାଦାର ନିଯୁକ୍ତି କରି ରାସ୍ତା କାର୍ଯ୍ୟ ଓ ପ୍ରକଳ୍ପ କାର୍ଯ୍ୟ କରିବାର ବିଧି ରହିଛି। ସେହିପରି ରାସ୍ତା ଚଉଡ଼ାକରଣ ଓ ପ୍ରାୟୋଜିତ ପ୍ରକଳ୍ପ ନିମନ୍ତେ ଅନୁମୋଦିତ ଟଙ୍କାକୁ ଯଦି ଚଳିତବର୍ଷ ମାର୍ଚ୍ଚ ପୂର୍ବରୁ ବ୍ୟୟ କରାଯାଇ ପାରିଲା ନାହିଁ ତେବେ ତାହାକୁ ତୁରନ୍ତ ସିଭିଲ୍ ଡିପୋଜିଟ୍ କରିବା ପାଇଁ ଅର୍ଥ ବିଭାଗର କଡ଼ା ଆଇନ ରହିଛି। କିନ୍ତୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାରଙ୍କ ମଧୁଚନ୍ଦ୍ରିକାରେ ସେହି ଟଙ୍କାକୁ ବିଭିନ୍ନ ଘରୋଇ ବ୍ୟାଙ୍କରେ ଡିପୋଜିଟ୍ ରଖି ଆରବିଆଇ ନିୟମ ଅନୁଯାୟୀ ତାହାର ସୁଧ ଟଙ୍କାକୁ ସମ୍ପୃକ୍ତ ଅଧିକାରୀ ଓ ରାଜ୍ୟ ସରକାର ହରିଲୁଟ୍ କରିଛନ୍ତି। ଆରବିଆଇର ନିୟମ ଅନୁଯାୟୀ ଓ ଅର୍ଥ ବିଭାଗ ନିୟମ ଅନୁଯାୟୀ ସମସ୍ତ ଟଙ୍କା ଦେଣ ନେଣ ସିଧା ବ୍ୟାଙ୍କ ଆକାଉଣ୍ଟ ଜରିଆରେ କରାଯିବାର ବ୍ୟବସ୍ଥା ରହିଥିବା ବେଳେ ଗରିବ ସାଧାରଣଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କାଏ ମଧ୍ୟ ଯାଇନାହିଁ।
କିନ୍ତୁ ଜିଲ୍ଲା ପ୍ରଶାସନ ଓ ରାଜ୍ୟ ସରକାର ହଜାର ହଜାର କୋଟି ଟଙ୍କା କ୍ଷତିଗ୍ରସ୍ତଙ୍କୁ ପ୍ରଦାନ କରିଛନ୍ତି ବୋଲି ରିପୋର୍ଟ ଦାଖଲ କରିସାରିଛନ୍ତି। ସାଧାରଣ ନାଗରିକ ଯଦି ଟଙ୍କାଏ ଚୋରି କଲା କିମ୍ବା ଠକିଲା, ତେବେ ତା ବିରୁଦ୍ଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଦେଶର ଆଇନ ସମସ୍ତଙ୍କ ପାଇଁ ସମାନ। ଯଦି ଜିଲ୍ଲାପାଳ, ତହସିଲଦାର ଓ ରାଜ୍ୟ ସରକାର ଏବଂ ଖୋଦ୍ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ଗରିବଙ୍କ ହଜାର ହଜାର କୋଟି ଟଙ୍କା ଲୁଟି ନେଇଛନ୍ତି, ସେମାନଙ୍କ ଜୀବନ ଜୀବିକା ଛଡ଼ାଇ ନେଇଛନ୍ତି, ସେମାନଙ୍କୁ ମରିବାକୁ ବାଧ୍ୟ କରିଛନ୍ତି, ତେବେ ଏହିମାନଙ୍କ ବିରୁଦ୍ଧରେ କାହିଁକି କଠୋର ଦଣ୍ଡବିଧାନ କରାଯିବ ନାହିଁ। ଏହିଭଳି ହଜାର ହଜାର କୋଟି ଦୁର୍ନୀତିର ସିବିଆଇ ତଦନ୍ତ କରି ରାଜ୍ୟ ଅର୍ଥନୈତିକ ଅପରାଧ ଆଇନ କିମ୍ବା ସିବିଆଇର ନିୟମ ଅନୁଯାୟୀ ଗରିବ ଟଙ୍କାକୁ ସୁଧ ମୂଳ ସହ କାହିଁକି ଫେରାଯିବ ନାହିଁ ବୋଲି କ୍ରାନ୍ତି ଓଡ଼ିଶାର ଅଧ୍ୟକ୍ଷ ବର୍ତ୍ତମାନର ସରକାରଙ୍କୁ ପ୍ରଶ୍ନ କରିଛନ୍ତି। ସେହିଭଳି ପୂର୍ବ ସରକାର ଶୋଷଣକାରୀ କାର୍ଯ୍ୟକୁ ବର୍ତ୍ତମାନ ସରକାର ବଜାୟ ରଖିଥିବା ବେଳେ ବର୍ତ୍ତମାନ ସରକାର ବିରୁଦ୍ଧରେ ମଧ୍ୟ କାହିଁକି ଦୃଢ କାର୍ଯ୍ୟାନୁଷ୍ଠାନ ବୋଲି ପ୍ରଶ୍ନ କରିଛନ୍ତି।
ରାଜ୍ୟରେ ଯେକୌଣସି ରାସ୍ତା, ସରକାରୀ କାର୍ଯ୍ୟାଳୟ ଓ ଉନ୍ନୟନମୂଳକ କାର୍ଯ୍ୟ ନିମନ୍ତେ ସମ୍ପୃକ୍ତ ବିଭାଗ ଏକ ଯୋଜନା ପ୍ରସ୍ତୁତ କରି ସମ୍ପୃକ୍ତ ଜିଲ୍ଲାର ଜମି ଅଧିଗ୍ରହଣ ଅଧିକାରୀଙ୍କ ନିକଟରେ ଉପସ୍ଥାପିତ କରିବେ। ସମ୍ପୃକ୍ତ ଜମି ଅଧିଗ୍ରହଣ ଅଧିକାରୀ କେଉଁ କେଉଁ ମାନଙ୍କ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ସେହି କାର୍ଯ୍ୟରେ ବ୍ୟବହାର ହେବ ଓ ତାର ବାସ୍ତବ କେତେ ଅର୍ଥ ସେମାନଙ୍କୁ ପ୍ରଦାନ କରାଯିବ, ତାହା ଆକଳନ କରି ସମ୍ପୃକ୍ତ ବିଭାଗକୁ ଉପସ୍ଥାପିତ କରିବେ। ସମ୍ପୃକ୍ତ ବିଭାଗ ସେହି ପରିମାଣର ଟଙ୍କା ଜମି ଅଧିଗ୍ରହଣ ଅଧିକାରୀଙ୍କ ନିକଟରେ ଉପସ୍ଥାପିତ କରିବା ପରେ ସମ୍ପୃକ୍ତ ଜମି ଅଧିଗ୍ରହଣ ଅଧିକାରୀ ଜମି ଅଧିଗ୍ରହଣ ନିୟମ-୨୦୦୬ ଓ ୨୦୧୩ ଅନୁଯାୟୀ ନୋଟିସ୍ ପ୍ରଦାନ କରିବା ପରେ ସେମାନଙ୍କର କାଗଜପତ୍ର ତଦାରଖ କରି ଉପଯୁକ୍ତ ପ୍ରାପ୍ୟ ପ୍ରଦାନ କରି ସେମାନଙ୍କ ଠାରୁ ……….. ପତ୍ର ଗ୍ରହଣ କରିବା ପରେ ପୂର୍ତ୍ତ ବିଭାଗକୁ ଓ ସମ୍ପୃକ୍ତ ବିଭାଗକୁ ସେହି ଜମି ଅଧିଗ୍ରହଣ କରିବେ। ସେହିପରି କୌଣସି ସରକାରୀ ଜାଗାରେ ଯଦି କୌଣସି ଜମିହୀନ ବ୍ୟକ୍ତି ଅସ୍ଥାୟୀ କ୍ୟାବିନ, ଟିଣଘର ବା ଛାତଘର କରି ତାର ଗୁଜୁରାଣ ମେଣ୍ଟାଉଥିବ, ତେବେ ଉକ୍ତ ଆଇନ ଅନୁଯାୟୀ ତାକୁ ନିର୍ଦ୍ଧାରିତ ୨୫, ୩୫ ଓ ୫୦ ହଜାର ଟଙ୍କା ପ୍ରଦାନ କରିବା ପରେ ସେଠାରୁ ଉଚ୍ଛେଦ କରିବାର କଡ଼ା ଆଇନ ରହିଛି।
କିନ୍ତୁ ବିଗତ ସରକାର ରାଜ୍ୟର ଓ ଖୋଦ ପୂର୍ବତନ ମୁଖ୍ୟମନ୍ତ୍ରୀ ଲଢୁଥିବା ନିର୍ବାଚନ ମଣ୍ଡଳୀ ଓ ଗଞ୍ଜାମ ଜିଲ୍ଲାର ସମସ୍ତ ଆଇନ କାନୁନକୁ ଉଲଙ୍ଘନ କରି ପୋଲିସ୍ ଚାପରେ ହଜାର ହଜାର ନିରୀହ ଗରିବ ପରିବାରଙ୍କ ପୈତୃକ ସମ୍ପତ୍ତିକୁ ହଡ଼ପ କରି ପ୍ରାୟୋଜିତ ଅର୍ଥକୁ ହରିଲୁଟ କରିନେଇଛନ୍ତି। ସେହି ନିରୀହ ଗରିବ ପରିାବର ଆଜି ଦୁଇଓଳି ଦୁଇମୁଠା ଖାଇବାକୁ ନପାଇ ଅତି ଦୟନୀୟ ଅବସ୍ଥାରେ କାଳତିପାତ କରୁଛନ୍ତି। ଯେତେବେଳେ ସେହି ନିରୀହ ଗରିବ ପରିବାରଙ୍କ ପୈତୃକ, ନିଜସ୍ୱ ସମ୍ପତ୍ତି ଓ ଗୃହକୁ ଉଚ୍ଛେଦ କରାଗଲା, ସେତେବେଳେ ସେ ପରିବାରର ବୟୋଜ୍ୟେଷ୍ଠ ବୃଦ୍ଧବୃଦ୍ଧା ଓ ରୋଗୀମାନେ ଚିକିତ୍ସା ସେବା ନପାଇ ମରିବାକୁ ବାଧ୍ୟ ହୋଇଛନ୍ତି। ଛାତ୍ରଛାତ୍ରୀମାନେ ପାଠପଢା ଛାଡ଼ି ଆଜି ବେକାର ହୋଇ ବୁଲୁଛନ୍ତି। ପୂର୍ବ ସରକାରର ଏହି ଶୋଷଣ ନୀତିକୁ ବର୍ତ୍ତମାନର ସରକାରର ପ୍ରଶାସନିକ ଅଧିକାରୀ, ଜିଲ୍ଲାପାଳ ଓ ତହସିଲଦାରମାନେ ଜାରି ରଖିଛନ୍ତି। ଯାହାର ଜ୍ୱଳନ୍ତ ନମୂନା ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଓ ସମଗ୍ର ଜିଲ୍ଲାରେ ଦେଖିବାକୁ ମିଳିଛି। ବର୍ତ୍ତମାନର ଉଚ୍ଛେଦ ପ୍ରକ୍ରିୟାକୁ କ୍ରାନ୍ତି ଓଡ଼ିଶାର ଶହ ଶହ କ୍ରାନ୍ତିକାରୀ ତୀବ୍ର ବିରୋଧ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କ ପରୀକ୍ଷା ଚାଲିଥିବା ବେଳେ ଏଭଳି ଉଚ୍ଛେଦ ପ୍ରକ୍ରିୟା ଦେଶର ମୌଳିକ ଅଧିକାରକୁ ଉଲଙ୍ଘନ କରିବା ସହ ସେମାନଙ୍କୁ ଶିକ୍ଷାରୁ ବଞ୍ôଚତ କରିବା ପାଇଁ ବାଧ୍ୟ କରୁଛି।
ପରୀକ୍ଷା ସରିବା ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାରେ ଓ ରାଜ୍ୟରେ ଚାଲିଥିବା ଉଚ୍ଛେଦ ପ୍ରକ୍ରିୟାକୁ ତୁରନ୍ତ ବନ୍ଦ କରିବା ଓ ଜମି ଅଧିଗ୍ରହଣ ଆଇନକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରି କ୍ଷତିଗ୍ରସ୍ତଙ୍କୁ ତାଙ୍କର ମୂଳ ଟଙ୍କା ସହ ସୁଧର ଟଙ୍କା ତୁରନ୍ତ ପ୍ରଦାନ କରିବା ସହ ଯେଉଁ ଜିଲ୍ଲାପାଳ, ତହସିଲଦାର ଉକ୍ତ ଟଙ୍କାକୁ ହଡ଼ପ କରିଛନ୍ତି ଏବଂ ଏଭଳି ଅନୈତିକ କାର୍ଯ୍ୟକୁ ରାଜ୍ୟର ପୂର୍ବ ମୁଖ୍ୟମନ୍ତ୍ରୀ ପ୍ରଶୟ ଦେଇଛନ୍ତି, ତାଙ୍କ ଉପରେ ସାମ୍ବିଧାନିକ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କ୍ରାନ୍ତିକାରୀ ଗଙ୍ଗାଧର ପାଣିଗ୍ରାହୀ ଦାବି କରିଛନ୍ତି। ଯଦି ବର୍ତ୍ତମାନର ମୋହନ ସରକାର ଏଭଳି ଅନୈତିକ କାର୍ଯ୍ୟକୁ ତୁରନ୍ତ ବନ୍ଦ ନକରନ୍ତି, ରାଜ୍ୟର ଗରିବ ନିରୀହ ଜନସାଧାରଣଙ୍କୁ ନ୍ୟାୟ ପ୍ରଦାନ କରିବେ, ତାଙ୍କର ହକ୍ ଅଧିକାରକୁ ନ ଫେରାଇବେ, ତେବେ କ୍ରାନ୍ତି ଓଡ଼ିଶା ପକ୍ଷରୁ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି, ଶେରଗଡ଼, ପାଟ୍ଟପୁର, ଦିଗପହଣ୍ଡି, ଆସିକା ଓ ଭଞ୍ଜନଗର ଠାରୁ ଏକ ବିରାଟ ଜ୍ୱାଳାମୁଖୀ ଆନ୍ଦୋଳନ ଆରମ୍ଭ ହୋଇ ରାଜ୍ୟବ୍ୟାପୀ ବ୍ୟାପିବ। ଏଥିପାଇଁ ବର୍ତ୍ତମାନର ସରକାର ଉତ୍ତରଦାୟୀ ରହିବେ ବୋଲି ଶ୍ରୀଯୁକ୍ତ ପାଣିଗ୍ରାହୀ ଚେତାବନୀ ଦେଇଛନ୍ତି।