ମିଆମି: ୧୬ ଥର ପାଇଁ ଆର୍ଜେଣ୍ଟିନା କୋପା ଆମେରିକା ଫୁଟବଲ କପ୍ ଟାଇଟଲ୍ ଜିତିବାର ଏକ ବିରଳ କୃତୀତ୍ୱ ଅର୍ଜନ କରିଛି । ମିଆମି ସ୍ଥିତ ହାର୍ଡରକ୍ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ୍ ମ୍ୟାଚ୍ରେ ଆର୍ଜେଣ୍ଟିନା, କଲମ୍ବିଆକୁ ୧–୦ ରେ ପରାସ୍ତ କରିବାରେ ସଫଳ ହୋଇଛି । ଆର୍ଜେଣ୍ଟିନାର ଷ୍ଟାର ପ୍ଲେୟାର ଲିଓନେଲ ମେସିଙ୍କ ଅଧିନାୟକତ୍ୱରେ ଖେଳୁଥିବା ଆର୍ଜେଣ୍ଟିନା ଦଳ ମ୍ୟାଚ୍କୁ ୧-୦ରେ ଜିତି ଚାମ୍ପିଅନ୍ ଆଖ୍ୟା ହାସଲ କରିଛି । ରିପୋର୍ଟ ଅନୁସାରେ ନିର୍ଦ୍ଧାରିତ ୯୦୍ ମିନିଟ୍ ସୁଦ୍ଧା ଉଭୟ ପକ୍ଷରୁ ଗୋଲ୍ ସ୍କୋର ୦-୦ ରହିଥିବା ବେଳେ ମ୍ୟାଚ୍ରେ ଅତିରିକ୍ତ ସମୟ ନିୟମ ଲାଗୁ କରାଯାଇଥିଲା । ୯୦ ମିନିଟ୍ ମଧ୍ୟରେ ଶକ୍ତିଶାଳୀ ଆର୍ଜେଣ୍ଟିନାକୁ ଗୋଟିଏ ହେଲେ ଗୋଲ୍ କରିବାକୁ ଦେଇନଥିଲେ କଲମ୍ବିଆର ଫୁଟବଲର । ଓଲଟା ଆର୍ଜେଣ୍ଟିନାର ସମସ୍ତ ରଣନୀତିକୁ ବିଫଳ କରିବା ଏବଂ ଆକ୍ରମଣାତ୍ମକ ଆଭିମୁଖ୍ୟକୁୂ ନିଜ ପ୍ରତିରକ୍ଷା ଶୈଳୀ ଦ୍ୱାରା କଲମ୍ବିଆ ଖେଳାଳିମାନେ ମାତ୍ ଦେବାରେ ସଫଳ ହୋଇଥିଲେ । ତେବେ ଅତିରିକ୍ତ ସମୟର ପ୍ରଥମାର୍ଦ୍ଧରେ ମଧ୍ୟ ଉଭୟ ଦଳ ଗୋଲ୍ ସ୍କୋର କରିପାରିନଥିଲେ । ଶେଷରେ ମ୍ୟାଚ୍ର ୧୧୨ ତମ ମିନିଟ୍ରେ ଲାଉଟାରୋ ମାର୍ଟିନେଜ୍ ଆର୍ଜେଣ୍ଟିନା ପାଇଁ ଗୋଟିଏ ଗୋଲ୍ ସ୍କୋର କରିବାରେ ସଫଳ ହୋଇଥିଲେ । ଯାହାଦ୍ୱାରା ଗୋଲ୍ ସ୍କୋର ୧-୦ ହୋଇଯାଇଥିଲା । ତେବେ ଶେଷ ପର୍ଯ୍ୟନ୍ତ ଆର୍ଜେଣ୍ଟିନା ଏହି ଅଗ୍ରଣୀ ଗୋଲ୍କୁ ବଜାୟ ରଖିବାରେ ସଫଳ ହୋଇଥିଲା ଏବଂ ଶେଷରେ ବିଜୟୀ ଘୋଷିତ ହୋଇଥିଲା । ପ୍ରକାଶ, କୋପା ଆମେରିକାରେ ଏହା ଆର୍ଜେଣ୍ଟିନାର କ୍ରମାଗତ ଦ୍ୱିତୀୟ ଟାଇଟଲ୍ ବିଜୟ । ଏହାପୂର୍ବରୁ ୨୦୨୧ରେ ଆର୍ଜେଣ୍ଟିନା ଟିମ୍ ଫାଇନାଲରେ ବ୍ରାଜିଲକୁ ପରାସ୍ତ କରି ଏହି ଟାଇଟଲ୍ ଜିତିଥିଲା । ସେହିପରି ୨୩ ବର୍ଷ ପୂର୍ବେ ଅର୍ଥାତ୍ ୨୦୦୧ରେ ଫାଇନାଲ୍ ଖେଳିଥିବା କଲୋମ୍ବୋ କୋପା ଆମେରିକା କପ୍ ଚାମ୍ପିଅନ୍ ହୋଇଥିଲା ।
ମ୍ୟାଚ୍ର ୩୬ତମ ମିନିଟରେ ଏବଂ ୬୪ ତମ ମିନିଟ୍ରେ ଲିଓନେଲ୍ ମେସି ଆହତ ହୋଇ ପଡ଼ିଆ ବାହାରକୁ ଯିବା ପରେ ଆର୍ଜେଣ୍ଟିନା ପ୍ରଶଂସକଙ୍କ ମଧ୍ୟରେ ନୈରାଶ୍ୟତା ଭରିଯାଇଥିଲା । ତେବେ ତାଙ୍କ ସ୍ଥାନରେ ନିକୋଲାସ ଗୋଞ୍ଜାଲେଜଙ୍କୁ ଆସିବାକୁ ପଡିଲା ।
ମିଆମିରେ କୋପା ଆମେରିକାର ଫାଇନାଲ ଦେଖିବା ପାଇଁ ଷ୍ଟାଡିୟମ ବାହାରେ ଏକ ବିରାଟ ଜନସମାଗମ ହୋଇଥିଲା । କଲମ୍ବିଆ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଉଥିବା ଫାଇନାଲ୍ ଦେଖିବା ପାଇଁ ଟିକେଟ୍ ନଥିବା ବ୍ୟକ୍ତିମାନେ ମଧ୍ୟ ପହଞ୍ଚିଥିଲେ, ଯାହାଦ୍ୱାରା ଷ୍ଟାଡିୟମ୍ ବାହାରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇଥିଲା । ପ୍ରବଳ ଭିଡ଼ ଯୋଗୁଁ ମ୍ୟାଚ୍ ପ୍ରାୟ ୧ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ପ୍ରକାଶ, ଡିଫେଣ୍ଡିଂ ଚାମ୍ପିଅନ୍ ଆର୍ଜେଣ୍ଟିନା ସେମିଫାଇନାଲରେ କାନାଡାକୁ ୨-୧ରେ ପରାସ୍ତ କରି ଫାଇନାଲରେ ସ୍ଥାନ ପକ୍କା କରିଥିଲା । ଅନ୍ୟପକ୍ଷେ କଲମ୍ବିଆ ମଧ୍ୟ ସେମିଫାଇନାଲ୍ରେ ଉରୁଗୁଏକୁ ୧-୦ରେ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଥିଲା । ସୂଚନାଯୋଗ୍ୟ, କୋପା ଆମେରିକାର ସଫଳ ଦଳ ମଧ୍ୟରେ ଆର୍ଜେଣ୍ଟିନା ସର୍ବାଗ୍ରେ ରହିଛି । ଆର୍ଜେଣ୍ଟିନା ୧୬ ଥର ଟାଇଟଲ୍ ଜିତିବାରେ ସଫଳ ହୋଇଛି । ସେହିପରି ବ୍ରାଜିଲ ୯ ଥର ଟାଇଟଲ୍ ଜିତିଥିବା ବେଳେ ପାରାଗୁଏ, ଚିଲି ଏବଂ ପେରୁ ପ୍ରତ୍ୟେକ ୨ ଥର ଲେଖାଏ ଟାଇଟଲ ଜିତିଛନ୍ତି ।