ଇଡି ପଞ୍ଝାରେ ଅର୍ଚ୍ଚନା ଡାଏରୀ
ଶ୍ରଦ୍ଧାଞ୍ଜଳିଙ୍କୁ ପୁଣି ଇଡିର ସମନ
ଭୁବନେଶ୍ୱର: ତଥ୍ୟ ହସ୍ତାନ୍ତରକୁ ନେଇ ଅର୍ଚ୍ଚନା ହନିଟ୍ରାପ୍ ମାମଲାରେ କେନ୍ଦ୍ରୀୟ ତଦନ୍ତକାର ସଂସ୍ଥା ଏବଂ ରାଜ୍ୟ ପୁଲିସର ବିଭିନ୍ନ ସଂସ୍ଥା ମଧ୍ୟରେ ଲାଗି ରହିଥିବା ବିବାଦ ଥମିବାର ନା ଧରୁନି । କିଛିଦିନ ତଳେ ଅର୍ଚ୍ଚନା ମାମଲାରେ ତଥ୍ୟ ହସ୍ତାନ୍ତରକୁ ନେଇ ଇଡି ଏବଂ କମିଶନରେଟ୍ ପୁଲିସ ମଧ୍ୟରେ ବିବାଦ ଲମ୍ବା ଚାଲିଥିଲା । କୋର୍ଟଙ୍କ ହସ୍ତକ୍ଷେପ ଖଣ୍ଡଗିରି ପୁଲିସ ଇଡିକୁ ତଥ୍ୟ ହସ୍ତାନ୍ତର କରିଥିଲା । ଏପରିକି ଆଜି ମଧ୍ୟ ଅର୍ଚ୍ଚନା ବ୍ଲାକ୍ମେଲିଂ ମାମଲାରେ ଇଡି(ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଖଣ୍ଡଗିରି ଥାନାରେ ପହଁଚିଥିଲା । ସେଠାରେ ପୁଲିସ ନିକଟରେ ଥିବା ମାମଲା ସମ୍ପର୍କୀତ ଦସ୍ତାବିଜ୍ ଓ ଜବତ ଡାଏରୀ ନିଜ ହେଫାଜତକୁ ନେଇଛି । ଶୁକ୍ରବାର ସକାଳେ ଇଡିର ୩ଜଣିଆ ଟିମ୍ ପହଞ୍ଚି ଥାନା ଅଧିକାରୀଙ୍କ ସହ କଥା ହେବା ସହ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଗ୍ରହଣ କରିଛି ।
ହେଲେ ତଥ୍ୟ ହସ୍ତାନ୍ତରକୁ ନେଇ ଏବେ ରାଜ୍ୟ ଫରେନ୍ସିକ୍ ବିଭାଗ ଏବଂ ଇଡି ମଧ୍ୟରେ ଟଣାଓଟରା ଚାଲିଛି । ଖଣ୍ଡଗିରି ଥାନାରୁ ତଥ୍ୟ ଗ୍ରହଣ କରିବା ପରେ ଇଡି ଅଧିକାରୀ ରାଜ୍ୟ ଫୋରେନ୍ସିକ୍ ଲ୍ୟାବ୍କୁ ଯାଇଥିଲେ । ହେଲେ ସେଠାରୁ ଡିଜିଟାଲ ତଥ୍ୟ ନମିଳିବାରୁ ଶେଷରେ ଫୋରେନ୍ସିକ୍ ଲ୍ୟାବରୁ ଖାଲି ହାତରେ ଫେରିଛି । କର୍ମଚାରୀଙ୍କ ଅଭାବ ଥିବାରୁ ଜବତ ସାମଗ୍ରୀରୁ ତଥ୍ୟ ସଂଗ୍ରହ କରିବାରେ ବିଳମ୍ବ ହେଉଛି ବୋଲି ଏସ୍ଏଫଏଲ୍ ଅଧିକାରୀ ସୂଚନା ଦେଇଛନ୍ତି । ଖୁବ୍ ଶୀଘ୍ର ଡିଜିଟାଲ ତଥ୍ୟ ପ୍ରମାଣ ଯୋଗଇଦିଆଯିବ ବୋଲି କୁହାଯାଇଛି । ଅନ୍ୟପଟରେ ନାଗ-ଚାନ୍ଦ ଦମ୍ପତି ପାଟି ଖୋଲୁନଥିବାରୁ ଡିଜିଟାଲ ପ୍ରମାଣର ଆବଶ୍ୟକତା ରହିଛି । ଡିଜିଟାଲ ପ୍ରମାଣ ଆଧାରରେ ଇଡି ଅଧିକାରୀ ନାଗ-ଚାନ୍ଦ ଦମ୍ପତିଙ୍କୁ ପଚରାଉଚରା କରିବ ।
କାରଣ ବିଳମ୍ବରେ ଡିଜିଟାଲ ପ୍ରମାଣ ହସ୍ତଗତ ହେଲେ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ରିମାଣ୍ଡ ଅବଧି ଶେଷ ହୋଇଯିବ । ତେଣୁ ଇଡି ପାଇଁ ଏବେ ଡିଜିଟାଲ ପ୍ରମାଣ ହାସଲ କାରିବା ଅଧିକ ଗୁରୁତ୍ୱପୂର୍ଣ୍ଣ ହୋଇ ପଡିଛି । ଅନ୍ୟପଟରେ ଇଡି ହାତରେ ଏବେ ଅର୍ଚ୍ଚନାଙ୍କ ମାମଲା ସମ୍ପର୍କୀତ ଦସ୍ତାବିଜ ସହ ଡାଏରୀ ପଡିଛି । ଖଣ୍ଡଗିରି ଥାନା ଅର୍ଚ୍ଚନାଙ୍କୁ ଗିରଫ କରିବା ସମୟରେ ଏହି ଡାଏରୀ ଜବତ କରିଥିଲା । ହେଲେ ଏବେ ଏହି ଡାଏରୀକୁ ଖଣ୍ଡଗିରି ଥାନା ପୁଲିସ ଇଡି ଅଧିକାରୀଙ୍କୁ ହସ୍ତଗତ କରିଛନ୍ତି । ଏଥିରେ ଅର୍ଚ୍ଚନାଙ୍କ ଅନେକ ଗୁମର ରହିଥିବା କୁହାଯାଉଛି। ତାଙ୍କ ପାଖକୁ କିଏ ଯାଉଥିଲେ, କାହାକୁ ସେ କେତେ ଟଙ୍କା ଦେଇଛନ୍ତି ଆଦି ଅନେକ ତଥ୍ୟ ରହିଛି ।
ଆହୁରି ମଧ୍ୟ ଏହି ଡାଏରୀରେ ଏକାଧିକ ବ୍ୟକ୍ତିଙ୍କ ଫୋନ୍ ନମ୍ବର ଲେଖା ହୋଇ ରହିଛି । ତେଣୁ ଡାଏରୀରେ ନାମ ଥିବା ଏକାଧିକ ବ୍ୟକ୍ତିଙ୍କୁ ଚିହ୍ନଟ କରି ସେମାନଙ୍କ ତାଲିକା କରିବ ଇଡି । ତଦନ୍ତପରସରଭୁକ୍ତ ହେଉଥିବା ବ୍ୟକ୍ତିଙ୍କୁ ନୋଟିସ କରାଯାଇ ପଚରାଉଚରା କରାଯିବ ବୋଲି ଇଡି ପକ୍ଷରୁ କୁହାଯାଇଛି । ଶୁକ୍ରବାର ମଧ୍ୟ ଇଡି ଅଧିକାରୀ ନାଗ ଦମ୍ପତ୍ତିଙ୍କୁ ପଚରାଉଚରା କରିଥିଲେ ମଧ୍ୟ ସେମାନେ ଚୁପ ରହୁଥିବା ଦେଖିବାକୁ ମିଳୁଛି । । ଦେହ ଅସୁସ୍ଥ କହି ତାଙ୍କ ଓକିଲଙ୍କ ସହ କଥା ହେବାକୁ ବାହାନା ଦେଖାଉଛନ୍ତି । ଅନ୍ୟପଟେ ଶ୍ରଦ୍ଧାଞ୍ଜଳିଙ୍କୁ ଇଡି ଅଧିକାରୀ ଖୋଜୁଥିଲେ ମଧ୍ୟ ତାଙ୍କର ପତ୍ତା ପାଇନି । ଇଡି ଅଧିକାରୀ ପୁଣି ଥରେ ଶ୍ରଦ୍ଧାଙ୍କୁ ଇଡି କାର୍ଯ୍ୟାଳୟରେ ହାଜର ହେବାକୁ ସମନ କରିଥିବା ଜଣାପଡିଛି ।