29.1 C
Bhubaneswar
Wednesday, May 1, 2024
Homeଓଡିଶାଟ୍ୱିଟ ମାଷ୍ଟର ହେବାକୁ ଯାଇ ନିନ୍ଦିତ କଲେ ଅନୁଭବ

ଟ୍ୱିଟ ମାଷ୍ଟର ହେବାକୁ ଯାଇ ନିନ୍ଦିତ କଲେ ଅନୁଭବ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜ ଏଜେନ୍ସି): ପ୍ରଦ୍ୱନ୍ଦ୍ୱିତ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବାକୁ ଯାଇ ଟ୍ୱିଟ ମାଷ୍ଟର ସାଜିଥିବା ବିଜେଡି ସାଂସଦ ଅନୁଭବ ମହାନ୍ତି ଝୁଣ୍ଟିବାରେ ଲାଗିଛନ୍ତି । ବିଭିନ୍ନ ଘଟଣାରେ ଟ୍ୱିଟ କରି ସେ ସମାଲୋଚନାର ଶୀକାର ହେଉଥିବା ଦେଖାଯାଉଛି । ଏବେ ଏଭଳି ଏକ ଘଟଣା ପଦାକୁ ଆସିଛି ଯାହାକୁ ନେଇ ଗଣମାଧ୍ୟମରେ ତାଙ୍କୁ ସମାଲୋଚନା କରାଯାଇଛି । ପ୍ରଶଂସା କରିବାକୁ ଯାଇ ଜଣେ ଦିବଙ୍ଗତ ନେତାଙ୍କୁ ପରୋକ୍ଷରେ ସେ ଦଳ ବିରୋଧୀ ଓ ନୀତିହୀନ ବୋଲି ଦର୍ଶାଇଥିବା କଥା ଆଲୋଚନା ହେଉଛି ।
ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବତନମନ୍ତ୍ରୀ ସ୍ୱର୍ଗତଃ ଭାଗବତ ପ୍ରସାଦ ମହାନ୍ତିଙ୍କ ଦେହାନ୍ତ ପରେ ତାଙ୍କୁ ଶେଷ ଦର୍ଶନ କରିବାକୁ ଯାଇ ପାରି ନ ଥିବାରୁ ନିଜର ଦୁଃଖ ସହ ଶୋକ ପ୍ରକାଶ କରିବାକୁ ଯାଇ ସାଂସଦ ଅନୁଭବ ୨ଟି ଟ୍ୱିଟ କରିଛନ୍ତି । ଏହି ଟ୍ୱିଟରେ ସେ ଏଭଳି କିଛି କଥା ଉଲ୍ଲେଖ କରିଛନ୍ତି ଯାହାକୁ ନେଇ ବିବାଦ ଦେଖାଦେଇଛି । ସେ ଲେଖିଛନ୍ତି “ବରିଷ୍ଠ ନେତା ଶ୍ରୀ ଭାଗବତ ପ୍ରସାଦ ମହାନ୍ତିଙ୍କ ଦେହାନ୍ତରେ ମୁଁ ମର୍ମାହତ । ନିର୍ବାଚନର କିଛିଦିନ ପୂର୍ବରୁ ପ୍ରଥମ ସାକ୍ଷାତରେ ନିଜ ଲେଖା ବହିଟି ଦେଇ ସେ ସ୍ନେହର ସହ ମୋତେ ‘ନାତି ଟୋକା’ ଡାକି ନିଜ ସମର୍ଥକଙ୍କୁ ମୋତେ ସାହାଯ୍ୟ କରିବାକୁ କହିଥିଲେ । ଦୁଃଖର କଥା ତାଙ୍କ ଶେଷ ଦର୍ଶନ କରିବାର ସୁଯୋଗ ନାହିଁ । ଅମର ଆତ୍ମାର ସଦଗତି ପ୍ରାର୍ଥନା କରୁଛି ।
ଏହି ବିଷୟ ଉଲ୍ଲେଖ କରିବା ସହ ମୃତ୍ୟୁ ପୂର୍ବରୁ ଶ୍ରୀ ମହାନ୍ତିଙ୍କୁ ସେ ଭେଟିଥିବାର ପ୍ରମାଣ ରଖିବା ପାଇଁ ସେ ସମୟର ଫଟୋ ମଧ୍ୟ ନିଜ ଟ୍ୱିଟରେ ସେୟାର କରିଛନ୍ତି । ଏଣୁ ସେ ସ୍ୱର୍ଗତଃ ମହାନ୍ତିଙ୍କୁ ଭେଟିଥିବା କଥା ନିଶ୍ଚିତ ଏବଂ ଏକଥା ବି ସେ ଜଣାଇବାକୁ ଚାହିଁଛନ୍ତି ତାଙ୍କୁ ନିର୍ବାଚନରେ ସାହାଯ୍ୟ କରିବାକୁ ସ୍ୱର୍ଗତଃ ମହାନ୍ତି ତାଙ୍କ ସମର୍ଥକମାନଙ୍କୁ କହିଥିଲେ । ସ୍ୱର୍ଗତଃ ମହାନ୍ତି ହେଉଛନ୍ତି କଂଗ୍ରେସର ଜଣେ ବରିଷ୍ଠ ନେତା । ପୂର୍ବରୁ ସେ କେନ୍ଦ୍ରାପଡ଼ା ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀଭାବେ ଏକାଧିକବାର ନିର୍ବାଚିତ ହୋଇଥିଲେ । ରାଜ୍ୟମନ୍ତ୍ରିମଣ୍ଡଳରେ ମଧ୍ୟ ସାମିଲ ହୋଇଥିଲେ । କେନ୍ଦ୍ରାପଡ଼ା କଂଗ୍ରେସରେ ତାଙ୍କର ନିଜର ଗୁରୁତ୍ୱ ରହିଛି । ଏପରି କି ତାଙ୍କର ବହୁ ସମର୍ଥକ ମଧ୍ୟ ଅଛନ୍ତି । ସ୍ୱର୍ଗତଃ ମହାନ୍ତି କଂଗ୍ରେସ ନେତା ହୋଇ ନିଜ ଦଳର ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ତାଙ୍କ ଲୋକମାନଙ୍କୁ ନ କହି ବିଜେଡି ପ୍ରାର୍ଥୀ ଅନୁଭବଙ୍କୁ ସମର୍ଥନ କରିବାକୁ କହିବା ତାଙ୍କର ଦଳ ବିରୋଧୀ କାର୍ଯ୍ୟ ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ଏହି ବିଷୟ ଗଣମାଧ୍ୟମରେ ଏବେ ଚର୍ଚ୍ଚାର ବିଷୟ ହୋଇଛି । ସ୍ୱର୍ଗତଃ ମହାନ୍ତିଙ୍କର ମହାନତା ବିଷୟ ଦର୍ଶାଇବାକୁ ଯାଇ ଅନୁଭବ ତାଙ୍କୁ ଦଳ ବିରୋଧୀର ଆଖ୍ୟା ଦେଇଛନ୍ତି ବୋଲି ଅନେକ ବୁଦ୍ଧିଜୀବୀ ମତ ଦେଉଛନ୍ତି ।
ସାଧାରଣତଃ କୌଣସି ବ୍ୟକ୍ତି ମୃତ୍ୟୁବରଣ କଲେ ସେ ଯେତେବେ ଖରାପ କାମ କରିଥାଆନ୍ତୁ ନା କାହିଁକି ସେ ବିଷୟରେ କେହି ଆଲୋଚନା କରନ୍ତି ନାହିଁ କିମ୍ବା ଉଠାନ୍ତି ନାହିଁ । ସେ ଶତ୍ରୁ ହୋଇଥିଲେ ବି ଏଥିରୁ ନିବୃତ ରହିଥାନ୍ତି । କିନ୍ତୁ ଅନୁଭବ ଯେଉଁଭଳି ଭାବରେ ସ୍ୱର୍ଗତଃ ମହାନ୍ତିଙ୍କୁ ଚିତ୍ରଣ କରିଛନ୍ତି ସେଥିରୁ ଜଣାପଡ଼ିଯାଉଛି ସେ ଜଣେ ଦଳ ବିରୋଧୀ ଥିଲେ । ଜଣେ କର୍ତ୍ତବ୍ୟନିଷ୍ଠ ଓ ଆଦର୍ଶ ନେତା ଭାବେ ତାଙ୍କର ଯେଉଁ ଖ୍ୟାତି ଥିଲା  ସେଥିରେ ଅନୁଭବ ଦାଗ ଲଗାଇ ଦେଇଛନ୍ତି ବୋଲି କୁହାଯାଉଛି । ଅବଶ୍ୟ ସେ ଏହି ଉଦ୍ଦେଶ୍ୟରେ ଟ୍ୱିଟରେ ଉଲ୍ଲେଖ କରି ନଥିବେ । ତାଙ୍କୁ ଉଚ୍ଚ ଆସନ ଦେବା ପାଇଁ ହୁଏତ ଏହି କଥା ଉଲ୍ଲେଖ କରି ଥାଇପାରନ୍ତି । କିନ୍ତୁ ଜଣେ ରାଜନେତା ହାତକାଟି କିଛି ଲେଖିବା ପୂର୍ବରୁ ତା ଉପରେ ହଜାର ଥର ଭାବିବା ଦରକାର । ଅନୁଭବଙ୍କ ଏଭଳି ଅପରିପକ୍ୱତା କେବଳ ତାଙ୍କୁ ନୁହେଁ ଦଳକୁ ମଧ୍ୟ ଅଡୁଆରେ ପକାଉଛି ବୋଲି କିଛି ଦଳୀୟ ନେତା ମଧ୍ୟ ମତ ଦେଉଛନ୍ତି ।
ସେ ଆଉ ଏକ ଟ୍ୱିଟ ବୋହୁ ପୂର୍ବରୁ କରିଥିଲେ । ଯେଉଁଥିରେ କେନ୍ଦ୍ରାପଡ଼ା ଡାକ୍ତରଖାନାରେ କରୁଣ ଚିତ୍ର ଉଲ୍ଲେଖ କରିଥିଲେ ଏବଂ ଡାକ୍ତରମାନେ ରୋଗୀ ସେବା ପାଇଁ ଅର୍ଥ ଦାବି କରୁଥିବା କଥା ଦର୍ଶାଇଥିଲେ । ଏଥିରେ ନିଜର ମହାନତା ଦର୍ଶାଇବାକୁ ଯାଇ ସରକାରଙ୍କୁ ପରୋକ୍ଷରେ ଅଡୁଆରେ ପକାଇଥିଲେ । ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇଥିବା ଲାଂଚ କାରବାର ଚାଲିଥିବା ଖୋଦ ଦଳୀୟ ସାଂସଦ ଦର୍ଶାଇବା ଫଳରେ ସରକାରରେ ଦୁର୍ନୀତି କେତେ ସୁଦୁରବ୍ୟାପୀ ତାହାର ସୂଚନା ମିଳିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking