22.1 C
Bhubaneswar
Saturday, January 11, 2025
Homeଖେଳୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ରେ ଅନୁ ରାଣୀ

ୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍ ଫାଇନାଲ୍‌ରେ ଅନୁ ରାଣୀ

ୟୁଜିନ: ଭାରତର ମହିଳା ଜାଭେଲିନ୍ ଥ୍ରୋୟର୍ ଅନୁ ରାଣୀ କ୍ରମାଗତ ଦ୍ୱିତୀୟ ଥର ପାଇଁ ୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ର ଫାଇନାଲ୍‌ରେ ପହଞ୍ଚିଛନ୍ତି । ଆମେରିକାରେ ୟୁଜିନ୍‌ରେ ଚାଲିଥିବା ୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ଗୁରୁବାର ଅନୁ ରାଣୀ ନିଜର ଅନ୍ତିମ ପ୍ରୟାସରେ ୫୯.୬୦ ମିଟର ଦୂରକୁ ଜାଭେଲିନ୍ ଫିଙ୍ଗି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି । ତାଙ୍କର ପ୍ରଥମ ଥ୍ରୋ ଫାଉଲ୍ ହୋଇଥିଲା । ଦ୍ୱିତୀୟ ପ୍ରୟାସରେ ସେ ୫୫.୩୬ ମିଟର ପର୍ଯ୍ୟନ୍ତ ଥ୍ରୋ କରିପାରିଥିଲେ । ଶେଷ ପ୍ରୟାସରେ ସେ ୫୯.୬୦ ମିଟର ଥ୍ରୋ କରି ଫାଇନାଲ୍‌ରେ ନିଜର ସ୍ଥାନ ସୁରକ୍ଷିତ କରିଥିମଲେ । ଏହି ଥ୍ରୋ ସହ ଅନୁ ଗ୍ରୁପ୍‌-ବି’ କ୍ୱାଲିଫିକେସନ୍‌ରେ ପଞ୍ଚମ ସ୍ଥାନରେ ରହିଥିବା ବେଳେ ଦୁଇଟି ଗ୍ରୁପ୍‌ରେ ଅଷ୍ଟମ ସ୍ଥାନ ହାସଲ କରିଥିଲେ ।

ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ୬୩.୮୨ ମିଟର ହୋଇଥିଲେ ମଧ୍ୟ କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ସେ ୬୦ ମିଟର ପର୍ଯ୍ୟନ୍ତ ଥ୍ରୋ କରିପାରି ନଥିଲେ । ତେବେ ଶନିବାର ଫାଇନାଲ୍‌ରେ ନିଜ ପ୍ରଦର୍ଶନରେ ସୁଧାର କରି ପଦକ ଜିତିବା ନିମନ୍ତେ ଅନୁଙ୍କ ପାଖରେ ସୁଯୋଗ ରହିଛି । ସିଜନ୍‌ରେ ତାଙ୍କ ସର୍ବଶ୍ରେଷ୍ଠ ପ୍ରଦର୍ଶନ ୬୩.୮୨ ମିଟର ରହିଛି । ଗ୍ରୁପ୍‌-ଏ ଓ ବି’ ବଣ୍ଟାଯାଇଥିବା ମହିଳା ଜାଭେଲିନ୍ ଥ୍ରୋ ଆଥ୍‌ଲେଟ୍‌ଙ୍କ ନିମନ୍ତେ ଅଟୋମେଟିକ୍ କ୍ୱାଲିଫିକେସନ୍ ମାର୍କ ୬୨.୫୦ ମିଟର ଥିଲା । କେବଳ ତିନିଜଣ ଆଥ୍‌ଲେଟ୍ ଏହି ମାର୍କ ଅତିକ୍ରମ କରିପାରିଥିଲେ। ଉଭୟ ଗ୍ରୁପ୍‌କୁ ମିଶାଇ ୧୨ ଜଣ ଆଥ୍‌ଲେଟ୍ ଫାଇନାଲ୍ ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।

ୱାର୍ଲ୍ଡ ଆଥ୍‌ଲେଟିକ୍ସ ଚାମ୍ପିଅନ୍‌ଶିପ୍‌ରେ ତୃତୀୟ ଥର ପାଇଁ ଭାଗ ନେଇଥିବା ଅନୁଙ୍କର ଏହା କ୍ରମାଗତ ଦ୍ୱିତୀୟ ଫାଇନାଲ୍ ପ୍ରବେଶ । ଏହା ପୂର୍ବରୁ ୨୦୧୯ରେ ଦୋହାରେ ଆୟୋଜିତ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ଅନୁ କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ୬୧.୧୨ ମିଟରର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଅଷ୍ଟମ ସ୍ଥାନରେ ରହି ଫାଇନାଲ୍‌ରେ ପ୍ରବେଶ କରିଥିଲେ । ମାତ୍ର ପଦକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ । ଅନ୍ୟପକ୍ଷରେ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିବା ଭାରତର ଜାଭେଲିନ୍ ଥ୍ରୋୟର ନୀରଜ ଚୋପ୍ରା ଶୁକ୍ରବାର କ୍ୱାଲିଫିକେସନ୍ ରାଉଣ୍ଡ୍‌ରେ ଭାଗନେବେ ।

ସେ ଗ୍ରୁପ୍‌-ଏ’ରେ ସ୍ଥାନ ପାଇଥିବା ବେଳେ ତାଙ୍କ ମ୍ୟାଚ୍ ଭାରତୀୟ ସମୟାନୁସାରେ ସକାଳ ୫ଟା ୩୫ ମିନିଟ୍‌ରେ ଅନୁଷ୍ଠିତ ହେବ । ତେବେ ଭାରତର ମହିଳା ସ୍ପ୍ରିଣ୍ଟର୍ ପାରୁଲ ଚୌଧୁରୀ ଚାମ୍ପିଅନ୍‌ଶିପ୍‌ରେ ନିରାଶ କରିଛନ୍ତି । ମହିଳା ୫୦୦୦ ମିଟର ରେସ୍‌ରେ ହିଟ୍ ନଂ-୨ରେ ପାରୁଲ ୧୫ ମିନିଟ୍ ୫୪.୦୩ ସେକେଣ୍ଡ୍ ସମୟ ସହ ସପ୍ତଦଶ ସ୍ଥାନରେ ଏବଂ ମୋଟ ଉପରେ ୩୧ତମ ସ୍ଥାନରେ ରହିଥିଲେ । ଫଳରେ ସେମିଫାଇନାଲ୍ ସ୍ଥାନ ହାସଲ କରିବାରେ ବିଫଳ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking