ମୁମ୍ବାଇ: ମୁମ୍ବାଇର ଏକ ଅଦାଲତ ଗୁରୁବାର ବଲିଉଡ୍ ଆଇଟମ୍ ଗାର୍ଲ ରାକ୍ଷୀ ସାୱନ୍ତଙ୍କୁ ଆଗୁଆ ଜାମିନ ପ୍ରଦାନ କରିଛନ୍ତି । ଡିସେମ୍ବର ୭ ପର୍ଯ୍ୟନ୍ତ ତାଙ୍କୁ ଗିରଫ କରାଯାଇପାରିବନି ବୋଲି ଅଦାଲତ ପକ୍ଷରୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ୱାମୀ ଆଦିଲ ଦୁରାନି ଓ ରାକ୍ଷୀଙ୍କ ମଧ୍ୟରେ ବହୁଦିନରୁ ଦାମ୍ପତ୍ୟ ବିବାଦ ଲାଗିରହିଥିବାବେଳେ ଉଭୟ ପରସ୍ପରଠାରୁ ଅଲଗା ରହୁଛନ୍ତି ।
ତେବେ ସ୍ୱାମୀଙ୍କୁ ବଦନାମ କରିବାକୁ ରାକ୍ଷୀ କୁଆଡେ ସେମାନଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କେତେକ ଭିଡିଓ ସୋସିଆଲ ମିଡିଆରେ ଅପ୍ଲୋଡ୍ କରୁଥିବା ଅଭିଯୋଗ କରି ଆଦିଲ ଥାନାରେ ଏତଲା ଦେଇଛନ୍ତି । ଆଇଟି ଆଇନର ଧାରା ୬୭(କ) ଅନୁଯାୟୀ ରାକ୍ଷୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି । ଦୋଷୀସାବ୍ୟସ୍ତ ହେଲେ ରାକ୍ଷୀଙ୍କୁ ୫ ବର୍ଷ ପର୍ଯ୍ୟନ୍ତ ଜେଲ୍ଦଣ୍ଡ ଏବଂ ୧୦ ଲକ୍ଷ ଟଙ୍କା ଜୋରିମାନା ହୋଇପାରେ ।