ନୂଆଦିଲ୍ଲୀ: “ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ କ’ଣ ବଡ଼ ଜ୍ୟୋତିର୍ବିଦ୍ ଭାବୁଛନ୍ତି କି? ଯଦି ସେ ନିଜକୁ ଏପରି ଭାବୁଥାନ୍ତି ତେବେ ମୋ’ର କିଛି କହିବାର ନାହିଁ ।” ଏକ ସାକ୍ଷାତକାରରେ ମୋଦୀ ଦେଇଥିବା ଏକ ବିବୃତ୍ତିର ଜବାବ ଦେବାକୁ ଯାଇ ଏପ୍ରକାର ଶାଣିତ କଟାକ୍ଷ କରିଛନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ପ୍ରକାଶ, ମୋଦୀ ଆଜି ନିଜ ନାମାଙ୍କନ ପତ୍ର ଦାଖଲ କରିବାର ଠିକ୍ କିଛି ସମୟ ପୂର୍ବରୁ ନିଜ ସାକ୍ଷାତକାରରେ କହିଥିଲେ ଯେ, ‘ଉତ୍ତରପ୍ରଦେଶରେ କଂଗ୍ରେସ ଯେତେ ଚେଷ୍ଟା କଲେ ମଧ୍ୟ ଗୋଟିଏ ହେଲେ ଆସନ ମଧ୍ୟ ଜିତିପାରିବନି । ଚଳିତ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶରେ କଂଗ୍ରେସ ସମ୍ପୂର୍ଣ୍ଣ ମୂଳପୋଛ ହୋଇଯିବ । ସେହିପରି ଦେଶବ୍ୟାପୀ ସମୁଦାୟ ୪୦ ଆସନ ବି ଡେଇଁ ପାରିବନି କଂଗ୍ରେସ ।’
ମୋଦୀଙ୍କ ଏପ୍ରକାର ବିବୃତ୍ତିର ଜବାବ ଦେବାକୁ ଯାଇ ପ୍ରିୟଙ୍କା ଗାନ୍ଧୀ ଏପରି କହିଛନ୍ତି । ପ୍ରିୟଙ୍କାଙ୍କ କହିବାନୁସାରେ ‘ମୋଦୀ କ’ଣ କହୁଛନ୍ତି ସେସବୁ ଶୁଣିବା ପୂର୍ବରୁ ସର୍ବପ୍ରଥମେ ବିଜେପି ଶାସିତରାଜ୍ୟରେ କ’ଣ ସବୁ ବିକାଶ ହୋଇଛି ସେସବୁର ତର୍ଜମା କରାଯିବା ଉଚିତ୍ । ଏହାପରେ କଂଗ୍ରେସ ଶାସିତ ରାଜ୍ୟରେ ହୋଇଥିବା ବିକାଶ ଏବଂ କାର୍ଯ୍ୟକାରୀ ହୋଇଥିବା ଯୋଜନା ସମ୍ପର୍କରେ ସେସବୁର ମଧ୍ୟ ମୂଲ୍ୟାଙ୍କନ କରାଯାଉ । ଏସବୁକୁ ତୁଳନାତ୍ମକ ଭାବେ ବିଚାର କରି ଲୋକମାନେ ନିଜର ମତାଧିକାର ସାବ୍ୟସ୍ତ କରନ୍ତୁ । ସମ୍ବିଧାନ ବଦଳାଇବା କଥା କହୁଥିବା ଲୋକଙ୍କ ଠାରୁ ଦେଶର ଗଣତନ୍ତ୍ରକୁ ସୁରକ୍ଷା କରିବାର ଆବଶ୍ୟକତା ରହିଛି ବୋଲି ପ୍ରିୟଙ୍କା କହିଛନ୍ତି । ଏହି ଅବସରରେ ପ୍ରିୟଙ୍କା, ରାଏବରେଲୀ ଓ ଆମେଥି ସମ୍ପର୍କରେ ମଧ୍ୟ ନିଜର ମତ ରଖିଛନ୍ତି । ଉଭୟ ଆସନରେ କଂଗ୍ରେସ ଜିତିବ ବୋଲି ସେ ଦମ୍ଭୋକ୍ତି କରିଛନ୍ତି । ପ୍ରିୟଙ୍କା କହିଛନ୍ତି, ଆମେଥି ଓ ରାଏବରେଲୀ ଲୋକଙ୍କ ସହ କଂଗ୍ରେସର ସମ୍ପର୍କ ଅତ୍ୟନ୍ତ ଗଭୀର । ଏହା ରାଜନୀତି ଠାରୁ ଯଥେଷ୍ଟ ଊର୍ଦ୍ଧ୍ୱରେ । ଏହି ଦୁଇ ଆସନ ସତେମ ଉତ୍ତରପ୍ରଦେଶର ସର୍ବାଧିକ ଆସନରେ କଂଗ୍ରେସ ହିଁ ବିଜୟୀ ହେବ ବୋଲି ପ୍ରିୟଙ୍କା କହିଛନ୍ତି । ଏସବୁ ମଧ୍ୟରେ ପ୍ରିୟଙ୍କା, ଆମେଥି ଆସନରେ ବିଜେପି ଟିକେଟରେ ଲଢ଼ୁଥିବା ସ୍ମୃତି ଇରାନୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କେଉଁ ଉଦ୍ଦେଶ୍ୟରେ ସ୍ମୃତି ଇରାନୀ ଏଠାକୁ ଆସିଛନ୍ତି? ତାଙ୍କର ଗୋଟିଏ ଏଜେଣ୍ଡା ହେଲା ରାଜନୀତିକ ସଫଳତା ହାସଲ କରିବା । ସେ ଆମେଥିବାସୀଙ୍କ ପାଇଁ କ’ଣ କରିଛନ୍ତି ବୋଲି ମଧ୍ୟ ପ୍ରିୟଙ୍କା ପ୍ରଶ୍ନ କରିଛନ୍ତି । ଏଠାକାର ଲୋକଙ୍କ ସହ ସମ୍ପର୍କ ବାନ୍ଧିବା ପାଇଁ ସେମାନଙ୍କୁ ୪୦ ବର୍ଷରୁ ଅଧିକ ସମୟ ଲାଗିବ । ସେମାନଙ୍କୁ କଠିନ ପରିଶ୍ରମ କରିବାକୁ ହେବ ।