26.1 C
Bhubaneswar
Monday, July 14, 2025
Homeଦେଶ ବିଦେଶହତ୍ୟା ମାମଲାରେ ଆନ୍‌ସାରୀ ଭ୍ରାତା ଦୋଷୀସାବ୍ୟସ୍ତ; ମୁକ୍ତାରଙ୍କୁ ୧୦, ଅଫ୍‌ଜଲଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ

ହତ୍ୟା ମାମଲାରେ ଆନ୍‌ସାରୀ ଭ୍ରାତା ଦୋଷୀସାବ୍ୟସ୍ତ; ମୁକ୍ତାରଙ୍କୁ ୧୦, ଅଫ୍‌ଜଲଙ୍କୁ ୪ ବର୍ଷ ଜେଲ୍ ଦଣ୍ଡାଦେଶ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ଘାଜିପୁରସ୍ଥିତ ଏମ୍‌ପି-ଏମଏଲଏ କୋର୍ଟ ଶନିବାର ଏକ ଅପହରଣ ଓ ହତ୍ୟା ମାମଲାରେ ଗ୍ୟାଙ୍ଗଷ୍ଟରରୁ ରାଜନେତା ପାଲଟିଥିବା ଆନ୍‌ସାରୀ ଭ୍ରାତାଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ମୁକ୍ତାର ଆନ୍‌ସାରୀଙ୍କୁ ୧୦ ବର୍ଷ ଏବଂ ଭାଇ ଅଫ୍‌ଜଲଙ୍କୁ ୪ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରାଯାଇଛି । ଏହାବ୍ୟତୀତ ମୁକ୍ତାରଙ୍କ ଉପରେ ୫ ଲକ୍ଷ ଏବଂ ଅଫ୍‌ଜଲଙ୍କ ଉପରେ ୧ ଲକ୍ଷ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରାଯାଇଛି । ୨୦୦୫ରେ ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କୁ ଅପହରଣ ଏବଂ ହତ୍ୟା କରିଥିବା ଅଭିଯୋଗରେ କୋର୍ଟ ଏମାନଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି । ଦଣ୍ଡାଦେଶ ପ୍ରକାଶ ପାଇବାପରେ କ୍ରିଷ୍ଣାନନ୍ଦଙ୍କ ପତ୍ନୀ ଅଳକା ରାୟ କହିଛନ୍ତି ଯେ ନ୍ୟାୟର ବିଜୟ ଘଟିଛି ଏବଂ ଯୋଗୀ ସରକାରଙ୍କ ଅମଳରେ ୟୁପିରେ ମାଫିଆ ଯୁଗର ଅବସାନ ଘଟିବାକୁ ଯାଉଛି ।

ତେବେ ଦୋଷୀସାବ୍ୟସ୍ତ ହେବାପରେ ଅଫ୍‌ଜଲ ବିଧାୟକ ପଦ ହରାଇବା ଆଶଙ୍କା ସୃଷ୍ଟି ହୋଇଛି । ଅଫ୍‌ଜଲ ବର୍ତ୍ତମାନ ଘାଜିପୁର ଆସନରୁ ବିଏସ୍‌ପି ପ୍ରାର୍ଥୀଭାବେ ଲୋକସଭାକୁ ପ୍ରତିନିଧିତ୍ୱ କରୁଛନ୍ତି । ସୂଚନାଯୋଗ୍ୟ ଏକ ମାନହାନି ମୋକଦ୍ଦମାରେ ଦୋଷୀସାବ୍ୟସ୍ତ ହୋଇ ୨ ବର୍ଷ ଜେଲଦଣ୍ଡାଦେଶ ପାଇଥିବାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ନିକଟରେ ସାଂସଦ ପଦ ହରାଇଛନ୍ତି । ତେଣୁ ସେହି ନିୟମରେ ଅଫଜଲ ମଧ୍ୟ ସାଂସଦ ପଦ ହରାଇବାର ଆଶଙ୍କା ଘନୀଭୂତ ହୋଇଛି । ଉଭୟ ମୁକ୍ତାର ଓ ଅଫ୍‌ଜଲ କୁଖ୍ୟାତ ଗ୍ୟାଙ୍ଗଷ୍ଟରଭାବେ ପରିଚିତ । ୨୦୦୭ରେ ଦୁଇଭାଇ ବିଏସ୍‌ପିରେ ଯୋଗଦେଇଥିଲେ । ଉଭୟଙ୍କ ନାମରେ ଏକାଧିକ ଅପରାଧିକ ମାମଲା ବିଚାରାଧୀନ ରହିଛି । ୨୦୧୦ରେ ଏହି କାରଣରୁ ଦୁଇଭାଇ ବିଏସ୍‌ପିରୁ ତଡା ଖାଇଥିଲେ ।

ଏହାପରେ ସେମାନେ ‘କ୍ୱାମି ଏକତା ଦଳ’ ନାମରେ ରାଜନୈତିକ ଦଳ ଗଠନ କରିଥିଲେ । ତେବେ ୨୦୧୬ରେ ସେମାନେ ପୁଣି ବିଏସ୍‌ପିକୁ ପ୍ରତ୍ୟାବର୍ତ୍ତନ କରିଥିଲେ । ମୁକ୍ତାର ୧୯୯୬ରୁ ୨୦୧୭ ପର୍ଯ୍ୟନ୍ତ ପାଞ୍ଚଥର ୟୁପି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏଥିମଧ୍ୟରୁ ଦୁଇଥର ବିଏସ୍‌ପି, ଦୁଇଥର ସ୍ୱାଧୀନ ଏବଂ ଥରେ କ୍ୱାମି ଏକତା ଦଳ ବିଧାୟକ ନିର୍ବାଚିତ ହୋଇଥିଲେ । ୨୦୧୭ରେ ବିଏସ୍‌ପି ସହ କ୍ୱାମି ଏକତା ଦଳର ମୀିଶ୍ରଣ ଘଟିଥିଲା ଏବଂ ମୁକ୍ତାର ମାଓ ଆସନରୁ ବିଏସ୍‌ପି ପ୍ରାର୍ଥୀଭାବେ ନିର୍ବାଚନ ଜିତି ବିଜୟୀ ହୋଇଥିଲେ । ଅପରପକ୍ଷରେ ଅଫ୍‌ଜଲ ୨୦୧୯ରେ ଘାଜିପୁର ଆସନରୁ ବିଏସ୍‌ପି ପ୍ରାର୍ଥୀଭାବେ ଲୋକସଭାକୁ ନିର୍ବାଚିତ ହୋଇଛନ୍ତି । ଜେଲ ଅଧିକ୍ଷକଙ୍କୁ ଧମକାଇଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇ ମୁକ୍ତାର ବର୍ତ୍ତମାନ ୫ ବର୍ଷିଆ ଜେଲଦଣ୍ଡ ଭୋଗୁଛନ୍ତି । ୨୦୨୨ ସେପ୍ଟେମ୍ବର ୨୩ରେ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚ୍ ମୁକ୍ତାରଙ୍କୁ ଦୋଷୀସାବ୍ୟସ୍ତ କରିଥିବାବେଳେ ୫୦ ହଜାର ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking