ମାଲକାନଗିରି : ଓଡ଼ିଶା ଆଉ ଜଣେ ବୁଦ୍ଧିଆ ସିଂଙ୍କୁ ଦେଖିବ । ଠିକ୍ ବୁଦ୍ଧିଆ ପରି ନିଜକୁ ପ୍ରସ୍ତୁତ କରି ଚାଲିଛନ୍ତି ଜଣେ କୁନି ଆଥଲେଟ୍ । ଏହି ଆଥଲେଟ ଜଣକ ହେଉଛନ୍ତି ମାଲକାନଗିରିର ୬ ବର୍ଷୀୟ ରୁଦ୍ର ସେଠୀ । ସେ ଏବେ ମାଲକାନଗିରିର ବୁଦ୍ଧିଆ ସିଂ ଭାବେ ବେଶ୍ ପରିଚିତ ହୋଇ ସାରିଲେଣି । ଯେଉଁ ବୟସରେ ମାଟିରେ ଖେଳିବା କଥା ସେ ବୟସରେ ସେ ନନ୍ଷ୍ଟପ ଦୌଡ଼ୁଛନ୍ତି । ବିନା ବିଶ୍ରାମରେ ରୁଦ୍ର ଦୌଡ଼ି ପାରୁଛନ୍ତି ୧୭ କିମି । ୧୭ କିମି ଦୌଡ଼ିବା ପରେ ବି ସେ କୌଣସି ଥକ୍କାପଣ ଅନୁଭବ କରି ନଥିବା କହିଛନ୍ତି । ତେଣୁ ଏପରି ଅଭ୍ୟାସ ଜାରି ରଖିଲେ ଆଗାମୀ ଦିନରେ ରୁଦ୍ର ଜଣେ ବହୁତ ବଡ଼ ଆଥଲେଟ ହୋଇ ବାହାରିବେ ବୋଲି ସମସ୍ତେ ଆଶା ରଖିଛନ୍ତି । ରୁଦ୍ର ଏବେ ମାଲକାନଗିରି କେନ୍ଦ୍ରୀୟ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀରେ ପଢ଼ୁଛନ୍ତି । ପ୍ରକାଶ ଯେ ମାଲକାନଗିରିର ପ୍ରସିଦ୍ଧ ମାଲ୍ୟାବନ୍ତ ମହୋତ୍ସବ ପାଇଁ ଆଜି ସକାଳେ ମାରାଥନ ଦୌଡ଼ ଆୟୋଜିତ ହୋଇଥିଲା । ଏହି ଦୌଡ଼ ପ୍ରତିଯୋଗିତା କର୍କୁଣ୍ଡାରୁ ବୁଟିଗୁଡ଼ା ସ୍କୁଲ ମାଲକାନଗିରି ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଏଥିରେ ପ୍ରାୟ ୧୫୦ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରେ ରୁଦ୍ର ବି ସାମିଲ ଥିଲେ । ସମସ୍ତଙ୍କ ସହ ତାଳ ଦେଇ ରୁଦ୍ର ବି ବିନା କୌଣସି ବିଶ୍ରାମରେ ୧୭ କିମି ଦୌଡ଼ିଥିଲେ । ତେବେ ରୁଦ୍ର ଅଚାନକ ଏପରି ୧୭ କିମି ଦୌଡ଼ି ନାହାନ୍ତି । ୩ ବର୍ଷ ବୟସରୁ ସେ ଏଥିନିମନ୍ତେ ଅଭ୍ୟାସ କରିଛନ୍ତି । ସକାଳୁ ଉଠିବା ପରେ ରୁଦ୍ରଙ୍କ ଦିନର ପ୍ରଥମ କାମ ହେଉଛି ରନିଂ । ସେ ସକାଳେ ୩ରୁ ୪ କିମି ଓ ସନ୍ଧ୍ୟାରେ ବି ୩ରୁ ୪ କିମି ଦୌଡ଼ନ୍ତି । ରୁଦ୍ରଙ୍କ ଅଜା ଡି.ରବୀନ୍ଦ୍ର ପୁଲିସ ବିଭାଗରେ ହାବିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ସେ ନିଜ ନାତିଙ୍କୁ ପ୍ରଶିକ୍ଷଣ ଦେଉଛନ୍ତି । ରୁଦ୍ର ଅଜାଙ୍କ ସହ ପ୍ରତ୍ୟେକ ଦିନ ପଡ଼ିଆରେ ଅଭ୍ୟାସ କରନ୍ତି । ରୁଦ୍ରଙ୍କୁ ଏଭଳି ପ୍ରାକ୍ଟିସ କରାଇ ଜାତୀୟସ୍ତରକୁ ନେବାକୁ ଲକ୍ଷ୍ୟ ରଖିଛନ୍ତି ତାଙ୍କ ଅଜା । ରବୀନ୍ଦ୍ର ଜଣେ ଫୁଟବଲ ଖେଳାଳି ମଧ୍ୟ । ରୁଦ୍ର ପିଲାଟି ଦିନରୁ ଅଜାଙ୍କ ସହ ଖେଳକୁଦ କରିବା ସହ ଫୁଟବଲ ପଡ଼ିଆରେ ଦୌଡ଼ିବାକୁ ଅଭ୍ୟାସ କରୁଥିଲେ । ଆସ୍ତେ ଆସ୍ତେ ରୁଦ୍ର ସହରରେ ଦୀର୍ଘ ସମୟ ଧରି ଦୌଡୁଥିବା ଦେଖିବାକୁ ମିଳୁଥିଲା । ଏହି ପରିପ୍ରେକ୍ଷୀରେ ମାଲକାନଗିରିରୁ ଆଉ ଜଣେ ବୁଦ୍ଧିଆ ତିଆରି ହେବା ନେଇ ଆଶା ଥିବା ମାଲକାନଗିରି ଉପଜିଲ୍ଲାପାଳ ଅକ୍ଷୟ କୁମାର ଖେମୁଡୁ କହିଛନ୍ତି ।