ରାୟଗଡ଼ା : ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ଥାନା ଶିକରପାଇ ଅଞ୍ଚଳରେ ଆଜି ସକାଳେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଗଛ ବୁଦାମୂଳରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ତେବେ ଶିଶୁକନ୍ୟାକୁ ସେଠାରେ କିଏ ଓ କାହିଁକି ଛାଡ଼ିଚାଲିଯାଇଛି, ତାହା ଏଯାଏ ଜଣାପଡ଼ିନାହିଁ। ସୂଚନା ଅନୁଯାୟୀ, ଶିକରପାଇ ଝଡ଼ିଆ ସାହି ନିକଟରେ ଥିବା ବନ୍ଧ ପାଖରେ ସ୍ଥାନୀୟ ଅଞ୍ଚଳର ମହିଳାମାନେ ପ୍ରଥମେ ନବଜାତ ଶିଶୁକନ୍ୟାକୁ ଦେଖିବାକୁ ପାଇଥିଲେ। ସେମାନେ ତାକୁ ଉଦ୍ଧାର ଶିକରପାଇ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଡାକ୍ତର ସତ୍ୟଜିତ ବେହେରା ଏବଂ ନର୍ସ ପ୍ରମିଳା କାଡ୍ରାକା ନବଜାତ ଶିଶୁର ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ ଓ ଶିଶୁଟିର ସ୍ବାସ୍ଥ୍ୟ ଠିକ୍ ଥିବା ଜଣାଇଥିଲେ। ଶିଶୁକନ୍ୟାର ଓଜନ ୨ କିଲୋଗ୍ରାମ୍ ରହିଥିବା କହିଥିଲେ। ଏନେଇ ସ୍ଥାନୀୟ ପୁଲିସକୁ ସୂଚନା ଦିଆଗଲା ପରେ ଘଟଣାସ୍ଥଳରେ ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା କଲ୍ୟାଣସିଂହପୁର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।