ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଚାଲିଥିବା ଏନ୍କାଉଣ୍ଟର ସୋମବାର ସୁଦ୍ଧା ଷଷ୍ଠ ଦିନରେ ପହଞ୍ଚିଛି । ପ୍ରତିକୂଳ ପାଣିପାଗ ଯୋଗୁଁ ଆତଙ୍କବାଦୀଙ୍କୁ ନିପାତ କରିବାରେ ସଫଳ ହୋଇନଥିଲେ ସୁଦ୍ଧା ସୁରକ୍ଷାକର୍ମୀମାନେ ସେମାନଙ୍କର ନିକଟତର ହୋଇଥିବା ସେନା ପକ୍ଷରୁ କୁହାଯାଇଛି । କୋକେରନାଗ ଅଞ୍ଚଳର ଘଞ୍ଚ ଜଙ୍ଗଲ ମଧ୍ୟରେ ଲୁଚି ରହିଥିବା ଆତଙ୍କବାଦୀମାନେ ଅପେକ୍ଷାକୃତ ସୁବିଧାଜନକ ସ୍ଥାନରେ ଆଡ୍ଡା ଜମାଇଥିବାରୁ ସେମାନଙ୍କୁ ଠାବ କରିବା ସୁରକ୍ଷାକର୍ମୀଙ୍କ ପାଇଁ କଷ୍ଟସାଧ୍ୟ ହୋଇପଡିଛି । ଏହି ଅଭିଯାନରେ ଡ୍ରୋନ୍,କ୍ୱାଡ୍ରପ୍ଟଟର ଏବଂ ରକେଟ ଲଞ୍ଚର୍ସ ବ୍ୟବହାର କରାଯାଉଛି ।
ଆତଙ୍କବାଦୀଙ୍କ ସଂଖ୍ୟା ନିର୍ଦ୍ଦିଷ୍ଟଭାବେ ଜଣାପଡୁନଥିଲେ ସୁଦ୍ଧା ସେମାନେ ଦୁଇ କିମ୍ବା ତିନିଜଣ ଥାଇପାରନ୍ତି ବୋଲି ଅନୁମାନ କରାଯାଉଛି । ଲସ୍କର ଆତଙ୍କବାଦୀ ଉଜେର ଖାନ୍ ସେମାନଙ୍କର ନେତୃତ୍ୱ ନେଉଛି । ସେ କଶ୍ମୀର ବାସିନ୍ଦା ହୋଇଥିବାରୁ କୋକେରନାଗ ଜଙ୍ଗଲ ସମ୍ପର୍କରେ ଯଥେଷ୍ଟ ସୂଚନା ହାସଲ କରିଥିବା କୁହାଯାଇଛି । ଶନିବାରଠାରୁ ଏହି ଅଞ୍ଚଳରେ ପ୍ରବଳ ବର୍ଷା ଲାଗିଥିବାରୁ ଏନ୍କାଉଣ୍ଟର ଅଭିଯାନ ବାଧାପ୍ରାପ୍ତ ହେଉଥିବା ଜଣାପଡିଛି । ପୀର ପଞ୍ଜାଲ ପର୍ବତମାଳା ଘଞ୍ଚ ଜଙ୍ଗଲ ଦ୍ୱାରା ପରିବେଷ୍ଟିତ । ଆତଙ୍କବାଦୀମାନେ ପାହାଡିଆ ଗୁମ୍ଫାରେ ଲୁଚି ରହିଥିବାବେଳେ ସୁରକ୍ଷାକର୍ମୀମାନେ ଅତ୍ୟନ୍ତ ସତର୍କତାର ସହ ପାହାଡ ଚଢୁଛନ୍ତି ।
ଗୋଟିଏପଟେ ସୁଉଚ୍ଚ ପର୍ବତମାଳା ଏବଂ ଅନ୍ୟପଟରେ ଗଭୀର ଖାଇ ରହିଥିବାରୁ ଅଣଓସାରିଆ ରାସ୍ତା ଦେଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବା କଷ୍ଟକର ହୋଇପଡୁଛି । ଦୁଇଦିନ ହେଲା ଆତଙ୍କବାଦୀଙ୍କ ତରଫରୁ ଗୁଳିଚାଳନା କରାଯାଇନାହିଁ । ତେବେ ଗୁଳିଗୋଳା ଶେଷ ହେବା ଆଶଙ୍କାରେ ସେମାନେ ଏହାକୁ ବ୍ୟବହାର କରୁନଥିବା ଅନୁମାନ କରାଯାଉଛି । ଯଦି ସୁରକ୍ଷାକର୍ମୀ ନଜରକୁ ଆସିବେ, ତେବେ ଆତଙ୍କବାଦୀମାନେ ଏହା ବ୍ୟବହାର କରିବା ନିଶ୍ଚିତ ଜଣାପଡୁଛି । ଆତଙ୍କବାଦୀମାନେ ଯେଉଁ ସ୍ଥାନରେ ଲୁଚିଛନ୍ତି, ସେଠାରେ ଆଇଇଡି ବିସ୍ଫୋରକ ବିଛାଇଥିବା ଆଶଙ୍କା କରାଯାଉଛି । ସୁରକ୍ଷାକର୍ମୀ ଏହାର ନିକଟବର୍ତ୍ତୀ ହେଲେ, ଆତଙ୍କବାଦୀମାନେ ଏହାକୁ ବିସ୍ଫୋରଣ କରିପାରନ୍ତି ବୋଲି ସେନା ପକ୍ଷରୁ କୁହାଯାଇଛି ।
ତେଣୁ ସେଠାକୁ ଯିବା ରାସ୍ତାରେ ବିସ୍ଫୋରକ ବିଛା ହୋଇଛି କି ନାହିଁ, ତାହା ନିଶ୍ଚିତ କରିବାକୁ ସେନା ପକ୍ଷରୁ ସନ୍ଧାନୀ କୁକୁରଙ୍କ ସହାୟତା ନିଆଯାଉଛି । ଡ୍ରୋନ୍ ସାହାଯ୍ୟରେ ଆକ୍ରମଣ କରାଯାଉଥିବାରୁ ଗୁମ୍ଫା ମଧ୍ୟରେ ଆତଙ୍କବାଦୀ ପ୍ରାଣ ହରାଇଥାଇ ପାରନ୍ତି ବୋଲି ମଧ୍ୟ ଅନୁମାନ କରାଯାଉଛି । ଏହି ଅଭିଯାନରେ ସେନାର ରାଷ୍ଟ୍ରୀୟ ରାଇଫଲ୍ସ ଏବଂ ଜମ୍ମୁ-କଶ୍ମୀର ପୁଲିସର ମିଳିତ ବାହିନୀ ନେତୃତ୍ୱ ନେଉଛନ୍ତି । ସୂଚନାଯୋଗ୍ୟ ଆତଙ୍କବାଦୀଙ୍କ କ୍ଷତି ଘଟିନଥିବାବେଳେ ଭାରତ କିନ୍ତୁ ତିନିଜଣ ସାହସୀ ଅଫିସରଙ୍କୁ ହରାଇସାରିଛି । ଏମାନେ ହେଲେ କର୍ଣ୍ଣେଲ ମନପ୍ରୀତ ସିଂହ, ମେଜର ଆଶିଷ ଧନ୍ଚୋକ୍ ଏବଂ ଜମ୍ମୁ-କଶ୍ମୀର ପୁଲିସ ଡିଏସ୍ପି ହୁମାୟୁନ ଭଟ୍ଟ୍ । ଏମାନଙ୍କ ବ୍ୟତୀତ ଅଭିଯାନରେ ସାମିଲ ଥିବା ଅନ୍ୟ ଦୁଇ ଯବାନ ମଧ୍ୟ ସହିଦ ହୋଇଛନ୍ତି ।