ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲାରେ ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସୂଚନା ଅନୁଯାୟୀ, ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ମହାଲୁଣ୍ଡା ଗ୍ରାମ ପଞ୍ଚାୟତ ମାଗୁବେରେଣୀ ଗ୍ରାମର ସାହେବ ରାଉତ (୭୫) ଆଜି ଭୋର ୪ଟା ରେ ଶୌଚ ହେବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣର ଶିକାର ହୋଇଥିଲେ। ଅତି ନିର୍ମମ ଭାବେ ତାଙ୍କ ଛାତିରେ ହାତୀ ଦାନ୍ତରେ ଭୁସି ଦେବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଚଳିତ ବର୍ଷ ୬ମାସ ମଧ୍ୟରେ ହିନ୍ଦୋଳ ବନାଞ୍ଚଳରେ ହାତୀ ଆକ୍ରମଣରେ ଆଜି ମୃତକଙ୍କୁ ମିଶାଇ୧୯ଜଣ ବ୍ୟକ୍ତିଙ୍କ ଜୀବନ ଗଲାଣି।