କିଏଭ୍ : ରୁଷ ସହ ଯୁଦ୍ଧ ଲାଗି ରହିଥିବା ବେଳେ ୟୁକ୍ରେନକୁ କ୍ଲଷ୍ଟର ବୋମା ଦେବା ଲାଗି ଆମେରିକା ନିଷ୍ପତ୍ତି ନେଇଛି । ଏହାକୁ ହାୱିଜର ତୋପ ସହାୟତାରେ ବ୍ୟବହାର କରାଯାଇପାରିବ । ଗତ ସପ୍ତାହରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ରାଷ୍ଟ୍ରୀୟ ସୁରକ୍ଷା ଅଧିକାରୀଙ୍କ ସହ ବୈଠକ କରିଥିଲେ । ବୈଠକରେ ଉପସ୍ଥିତ ବିଦେଶ ସଚିବ ଆଣ୍ଟୋନୀ ବ୍ଲିଙ୍କେନ ୟୁକ୍ରେନକୁ କ୍ଲଷ୍ଟର ବୋମା ଦେବା ଲାଗି ପ୍ରସ୍ତାବ ଦେଇଥିଲେ । ତାଙ୍କ ପ୍ରସ୍ତାବକୁ ସ୍ୱୀକାର କରାଯାଇଥିଲା । ଆମେରିକାର ପ୍ରମୁଖ ସହଯୋଗୀ ରାଷ୍ଟ୍ର ଭାବେ ପରିଚିତ ବ୍ରିଟେନ ଓ ଫ୍ରାନ୍ସରେ କ୍ଲଷ୍ଟର ବୋମା ନିଷିଦ୍ଧ ହୋଇଛି । ୨୦୦୮ରେ ୧୦୮ଟି ଦେଶ କ୍ଲଷ୍ଟର ବୋମା ନିଷିଦ୍ଧ ସଂକ୍ରାନ୍ତ ଜାତିସଂଘ ଘୋଷଣାନାମାରେ ସ୍ୱାକ୍ଷର କରିଥିଲେ । କିନ୍ତୁ ଆମେରିକା ଏଥିରେ ସ୍ୱାକ୍ଷର କରିନଥିଲା । ଯୁଦ୍ଧରେ ଉଭୟ ରୁଷ ଓ ୟୁକ୍ରେନ ପରସ୍ପର ବିରୋଧରେ କ୍ଲଷ୍ଟର ବୋମା ବ୍ୟବହାର କରୁଛନ୍ତି ।