ତାଇପେଇ: ଆମେରିକା ଏହାର ସବୁଠାରୁ ଶକ୍ତିଶାଳୀ କ୍ଷେପଣାସ୍ତ୍ର( ଫିମ-୯୨ ଷ୍ଟିଙ୍ଗର ମିଶାଇଲ)ର ପ୍ରଥମ ୟୁନିଟ ତାଇୱାନକୁ ପଠାଇଛି । ଆଉ ଆମେରିକା ଏହି କ୍ଷେପଣାସ୍ତ୍ର ତାଇୱାନକୁ ପଠାଇବା ପରେ ଚୀନ ଚିହିଁକି ଉଠିଛି । ଏହାକୁ ନେଇ ଚୀନ୍ କହିଛି ଯେ ଏଭଳି କାର୍ଯ୍ୟ ସବୁଠାରୁ ଭୁଲ ଏବଂ ଅତ୍ୟନ୍ତ ବିପଜ୍ଜନକ । ଚୀନ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି ଯେ ଆମେରିକା ତାଇୱାନକୁ ଅସ୍ତ୍ରଶସ୍ତ୍ର ଯୋଗାଇବା ବନ୍ଦ କରୁ ଓ ତାଇୱାନରେ ଉତ୍ତେଜନା ବୃଦ୍ଧି କରିବାକୁ ଚେଷ୍ଟା ନ କରୁ । ମାଓ କହିଛନ୍ତି- ‘ତାଇୱାନକୁ ଅସ୍ତ୍ର ପଠାଇବା ଆମେରିକା-ଚୀନ୍ ଚୁକ୍ତିନାମାର ସିଧାସଳଖ ଉଲ୍ଲଂଘନ ଏବଂ ଚୀନ୍ର ସାର୍ବଭୌମତ୍ୱ ତଥା ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ।
ଏହା ସହିତ ଆମେରିକାର ଏହି କାର୍ଯ୍ୟ ତାଇୱାନ ଅଞ୍ଚଳର ଶାନ୍ତି ଏବଂ ସ୍ଥିରତା ଉପରେ ମଧ୍ୟ ଖରାପ ପ୍ରଭାବ ପକାଇବ । ଆମେ ପୁଣି ଥରେ ତାଇୱାନ (ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ପାର୍ଟି (ଡିପିପି) ଅଧିକାରୀ)କୁ ଚେତାବନୀ ଦେଇ କହୁଛୁ ଯେ ସ୍ୱାଧୀନତା ପାଇବା ପାଇଁ ବାହ୍ୟ ଶକ୍ତି ଉପରେ ନିର୍ଭର କରନାହିଁ । ଉଲ୍ଲେଖ ଥାଉ କି ୨୦୧୯ରେ ଆମେରିକା ତାଇୱାନକୁ ଫିମ-୯୨ ଷ୍ଟିଙ୍ଗର ମିଶାଇଲ ଦେବାକୁ ଘୋଷଣା କରିଥିଲା । ଏହି କ୍ଷେପଣାସ୍ତ୍ରର ଲକ୍ଷ୍ୟ ଅତ୍ୟନ୍ତ ସଠିକ୍ ଏବଂ ଏହା ହେଲିକପ୍ଟର ଓ ଅନ୍ୟ ବିମାନଗୁଡ଼ିକୁ ନଷ୍ଟ କରିବା ପାଇଁ ବ୍ୟବହୃତ ହୁଏ । ଆମେରିକା ମଧ୍ୟ ୟୁକ୍ରେନକୁ ଷ୍ଟିଙ୍ଗର କ୍ଷେପଣାସ୍ତ୍ର ପଠାଇଛି, ଯାହା ସାହାଯ୍ୟରେ ଏହା ଋଷର ସେନାକୁ କଡ଼ା ମୁକାବିଲା କରିଛି । ସୂଚନାଯୋଗ୍ୟ, ଏହା ହେଉଛି ସେହି କ୍ଷେପଣାସ୍ତ୍ର, ଯାହା ସାହାଯ୍ୟରେ ୧୯୮୦ ଦଶକରେ ଆମେରିକା ଆଫଗାନିସ୍ତାନରୁ ସୋଭିଏତ୍ ୟୁନିଅନକୁ ତଡ଼ିଥିଲା । କିଛିଦିନ ତଳେ ଆମେରିକା ମଧ୍ୟ ଏହି କ୍ଷେପଣାସ୍ତ୍ରକୁ ୟୁକ୍ରେନକୁ ପଠାଇଥିଲା, ଯାହା ସାହାଯ୍ୟରେ ୟୁକ୍ରେନ ଋଷକୁ କଡ଼ା ଟକ୍କର ଦେଇଥିଲା । ଏଥିସହ ଏହା ମଧ୍ୟ ବିଶ୍ୱାସ କରାଯାଉଥିଲା ଯେ ଏହି କ୍ଷେପଣାସ୍ତ୍ରର ଭୟ ଯୋଗୁଁ ଋଷ ମଧ୍ୟ ୟୁକ୍ରେନ ବିରୁଦ୍ଧରେ ନିଜର ସମ୍ପୂର୍ଣ୍ଣ ଶକ୍ତି ପ୍ରୟୋଗ କରୁନାହିଁ ।