34.1 C
Bhubaneswar
Thursday, March 28, 2024
Homeଓଡିଶାନବୀନଙ୍କ ସମେତ ନୀତି ଆୟୋଗ ବୈଠକରେ ଯୋଗଦେଲେ ନାହିଁ ୧୧ ମୁଖ୍ୟମନ୍ତ୍ରୀ

ନବୀନଙ୍କ ସମେତ ନୀତି ଆୟୋଗ ବୈଠକରେ ଯୋଗଦେଲେ ନାହିଁ ୧୧ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତି ମଇଦାନସ୍ଥିତ ନୂତନ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ନିତି ଆୟୋଗର ଅଷ୍ଟମ ପରିଚାଳନା ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯ ରାଜ୍ୟ ଓ ୬ କେନ୍ଦ୍ରଶାସିତ ଅଞ୍ଚଳକୁ ପ୍ରତିନିଧିତ୍ୱ କରୁଥିବା ମୁଖ୍ୟମନ୍ତ୍ରୀ/ଲେଫ୍ଟନାଣ୍ଟ ଗଭର୍ଣ୍ଣରମାନେ ଯୋଗ ଦେଇଥିଲେ । କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଟିମ୍ ଇଣ୍ଡିଆ ଭାବରେ କାର୍ଯ୍ୟ କରିବା ଉଚିତ ଏବଂ ବିକଶିତ ଭାରତ ୨୦୪୭ ପାଇଁ ଲୋକଙ୍କ ସ୍ୱପ୍ନ ଓ ଆକାଂକ୍ଷା ପୂରଣ କରିବା ଉପରେ ପ୍ରଧାନମନ୍ତ୍ରୀ ଜୋର ଦେଇଛନ୍ତି । ସେ କହିଛନ୍ତି ଯେ ପରବର୍ତ୍ତୀ ୨୫ ବର୍ଷ ପାଇଁ ଜାତୀୟ ବିକାଶ ଏଜେଣ୍ଡା ସହିତ ସମାନ୍ତରାଳ ଭାବେ ରଣନୀତି ପ୍ରସ୍ତୁତ କରିବାରେ ନିତି ଆୟୋଗ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ । ସେ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ନିତି ଆୟୋଗ ସହିତ କାର୍ଯ୍ୟ କରିବାକୁ ଅନୁରୋଧ କରିଛନ୍ତି; ଯାହାଦ୍ୱାରା ଦେଶ ଅମୃତ କାଳର ଦୃଷ୍ଟିଭଙ୍ଗୀ ହାସଲ କରିବା ଦିଗରେ ବଡ଼ ଲମ୍ଫ ଦେଇପାରିବ । ପ୍ରଧାନମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଆକାଂକ୍ଷୀ ଜିଲ୍ଲା କାର୍ଯ୍ୟକ୍ରମ (ଏଡିପି) ଏବଂ ଆକାଂକ୍ଷୀ ବ୍ଲକ୍ କାର୍ଯ୍ୟକ୍ରମ(ଏବିପି) ଭଳି ସହଯୋଗୀ ତଥା ପ୍ରତିଯୋଗୀ ସଂଘୀୟତାକୁ ଦୃଢ କରିବା ପାଇଁ ନିତି ଆୟୋଗ ଏକାଧିକ ପଦକ୍ଷେପ ନେଉଛନ୍ତି । ଏହି ଉଭୟ କାର୍ଯ୍ୟକ୍ରମ କେନ୍ଦ୍ର, ରାଜ୍ୟ ଏବଂ ଜିଲ୍ଲା ମିଳିତ ଭାବରେ କାର୍ଯ୍ୟ କରିବାର ଶକ୍ତି ଏବଂ ତୃଣମୂଳ ସ୍ତରରେ ସାଧାରଣ ନାଗରିକଙ୍କ ଜୀବନରେ ଉନ୍ନତି ଆଣିବାରେ ତଥ୍ୟ ଆଧାରିତ ଶାସନର ପ୍ରଭାବ ପ୍ରଦର୍ଶନ କରିଥାଏ ।

ଆନ୍ତର୍ଜାତୀୟ ମିଲେଟ ବର୍ଷରେ ଶ୍ରୀ ଅନ୍ନକୁ ପ୍ରୋତ୍ସାହିତ କରିବା ପାଇଁ ରାଜ୍ୟ ତଥା କେନ୍ଦ୍ରର ଆବଶ୍ୟକତା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି । ସେ ଅମୃତ ସରୋବର କାର୍ଯ୍ୟକ୍ରମ ମାଧ୍ୟମରେ ଜଳ ସଂରକ୍ଷଣ ଦିଗରେ କାର୍ଯ୍ୟ କରିବାର ଆବଶ୍ୟକତା ଉପରେ ମଧ୍ୟ ଗୁରୁତ୍ୱ ଦେଇଥିଲେ । ରାଜ୍ୟ ସ୍ତରରେ ଆର୍ôଥକ ଅନୁଶାସନକୁ ବଜାୟ ରଖିବାର ଗୁରୁତ୍ୱ ଉପରେ ପ୍ରଧାନମନ୍ତ୍ରୀ କହିଥିଲେ । କେବଳ ଭିତ୍ତିଭୂମି ଏବଂ ଲଜିଷ୍ଟିକ ପାଇଁ ନୁହେଁ ବରଂ ସ୍ଥାନୀୟ ଅଞ୍ଚଳର ବିକାଶ ଏବଂ ସାମାଜିକ ଭିତ୍ତିଭୂମି ସୃଷ୍ଟି ପାଇଁ ମଧ୍ୟ ସକ୍ରିୟ ଭାବେ ଗତି ଶକ୍ତି ପୋର୍ଟାଲକୁ ବ୍ୟବହାର କରିବାକୁ ସେ ରାଜ୍ୟମାନଙ୍କୁ ଅନୁରୋଧ କରିଥିଲେ । ଦେଶରେ ଅନୁଷ୍ଠିତ ହେଉଥିବା ଜି -୨୦ ବୈଠକ ବିଷୟରେ ସେ କହିଛନ୍ତି ଯେ ବିଶ୍ ସ୍ତରରେ ଜି -୨୦ ଭାରତ ପାଇଁ ଗୌରବ ଆଣିଥିବା ବେଳେ ଏହା ରାଜ୍ୟମାନଙ୍କୁ ବିଶ୍ୱସ୍ତରୀୟ ପ୍ରଦର୍ଶନ ପାଇଁ ସୁଯୋଗ ଦେଇଛି । ବିଶ୍ୱ ସ୍ତରୀୟ ଆବଶ୍ୟକତା ପୂରଣ କରିବା, ଏମଏସଏମଇକୁ ସମର୍ଥନ କରିବା, ଦେଶର ପର୍ଯ୍ୟଟନ ସମ୍ଭାବନାକୁ ବିକଶିତ କରିବା, ରାଜ୍ୟ ସ୍ତରରେ ନିୟମ ହ୍ରାସ କରିବା ସହିତ ଛୋଟ ଛୋଟ ଅପରାଧକୁ କମ୍ କରିବା, ଏକତା ମଲ ଗଠନ ସମେତ ପ୍ରଧାନମନ୍ତ୍ରୀ ମଧ୍ୟ ଲୋକଙ୍କୁ ଦକ୍ଷ କରିବା ଦିଗରେ ଗୁରୁତ୍ୱାରୋପ କରିଛନ୍ତି । ନାରୀ ଶକ୍ତି ଉପରେ ଆଲୋଚନା କରି ସେ ମହିଳା ନେତୃତ୍ୱାଧୀନ ବିକାଶର ମହତ୍ୱ ଉପରେ ଆଲୋକପାତ କରିଥିଲେ । ସେ ମଧ୍ୟ ୨୦୨୫ ସୁଦ୍ଧା ଯକ୍ଷ୍ମାକୁ ସମାପ୍ତ କରିବା ବିଷୟରେ କହିଥିଲେ ।

ମୁଖ୍ୟମନ୍ତ୍ରୀ/ଲେଫଲାଣ୍ଟ ଗଭର୍ଣ୍ଣରମାନେ ବିଭିନ୍ନ ନୀତି ସ୍ତରୀୟ ପରାମର୍ଶ ଦେଇଥିଲେ । ସେମାନେ ରାଜ୍ୟଗୁଡ଼ିକ ସମ୍ବନ୍ଧୀୟ ର୍ନିଦ୍ଦିଷ୍ଟ ପ୍ରସଙ୍ଗଗୁଡ଼ିକ ବିଷୟରେ ଉଲ୍ଲେଖ କରିଛନ୍ତି; ଯାହା କେନ୍ଦ୍ର-ରାଜ୍ୟ ସହଯୋଗ ଆବଶ୍ୟକ କରେ । ସବୁଜ ରଣନୀତି ବାଛିବା, ଜୋନ୍ ୱାରୀ ଯୋଜନା କରିବା, ପର୍ଯ୍ୟଟନ, ସହରୀ ଯୋଜନା, କୃଷି, କାର୍ଯ୍ୟର ଗୁଣବତ୍ତା, ଲଜିଷ୍ଟିକ୍ସ ଭଳି କ୍ଷେତ୍ରଗୁଡିକରେ ସେମାନଙ୍କ ପ୍ରମୁଖ ପରାମର୍ଶ ଏବଂ ସର୍ବୋତ୍ତମ ଅଭ୍ୟାସ ଉପରେ କହିଥିଲେ । ତେବେ ଏହି ବୈଠକକୁ ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ ଆସିନଥିବା ସେ କହିଛନ୍ତି । ବୈଠକରେ ଯୋଗ ଦେଇନଥିବା ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଅଛନ୍ତି ଦିଲ୍ଲୀର ଅରବିନ୍ଦ କେଜରିୱାଲ୍‌, ପଞ୍ଜାବର ଭଗୱନ୍ତ ମାନ୍‌, ପଶ୍ଚିମବଙ୍ଗର ମମତା ବାନାର୍ଜୀ, ବିହାରର ନୀତୀଶ କୁମାର, ରାଜସ୍ଥାନର ଅଶୋକ ଗେହଲଟ୍‌, ତାମିଲନାଡ଼ୁର ଏମ୍‌କେ ଷ୍ଟାଲିନ୍‌, କେରଳର ପିନାରାଇ ବିଜୟନ୍‌, ତେଲେଙ୍ଗାନାର କେ. ଚନ୍ଦ୍ରଶେଖର ରାଓ ଓ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜଧାନୀ ଦିଲ୍ଲୀରେ ଅଧିକାରୀଙ୍କ ବଦଳି-ନିଯୁକ୍ତିକୁ ନେଇ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ବିରୋଧ କରି ଦିଲ୍ଲୀ, ପଞ୍ଜାବ, ପଶ୍ଚିମବଙ୍ଗ, ବିହାର ଓ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ବୈଠକକୁ ବିରୋଧ କରିଥିଲେ ।

ରାଜସ୍ଥାନ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟଗତ କାରଣରୁ ଆସିପାରି ନଥିବା ବେଳେ ତାମିଲନାଡ଼ୁ ଓ କେରଳ ମୁଖ୍ୟମନ୍ତ୍ରୀ ଏହାର କୌଣସି କାରଣ ଦର୍ଶାଇ ନାହାନ୍ତି । ଅନ୍ୟପକ୍ଷରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିବାରୁ ସେ ବୈଠକକୁ ଆସିପାରି ନଥିବା ସୁବ୍ରହ୍ମଣ୍ୟମ୍ କହିଛନ୍ତି । ଅନ୍ୟପକ୍ଷରେ ବୈଠକରେ ୧୧ ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିକୁ ନେଇ ବିଜେପି ପ୍ରତିକ୍ରିୟା ପ୍ରକାଶ କରିଛି । ବିଜେପି ନେତା ରବିଶଙ୍କର ପ୍ରସାଦ କହିଛନ୍ତି, ଯେଉଁ ମୁଖ୍ୟମନ୍ତ୍ରୀମାନେ ବୈଠକକୁ ଆସିନାହାନ୍ତି ସେମାନେ ଜନତା ବିରୋଧୀ ଏବଂ ଦାୟିତ୍ୱହୀନ । ଦେଶର ବିକାଶ ଏବଂ ଯୋଜନା ପାଇଁ ନିତି ଆୟୋଗ ବହୁ ଜରୁରି ହୋଇଥିବା ବେଳେ ଏହି ବୈଠକ ପାଇଁ ୧୦୦ ପ୍ରସଙ୍ଗ ସ୍ଥିର କରାଯାଇଥିଲା । ଯେଉଁ ମୁଖ୍ୟମନ୍ତ୍ରୀମାନେ ଆସିନାହାନ୍ତି ସେମାନେ ନିଜ ରାଜ୍ୟର ଜନତାଙ୍କ ସ୍ୱରକୁ ନିତି ଆୟୋଗ ନିକଟରେ ପହଞ୍ଚାଇପାରି ନାହାନ୍ତି । ମୋଦୀ ବିରୋଧରେ ଆପଣମାନେ କେତେ ତଳକୁ ଯିବେ ବୋଲି ରବିଶଙ୍କର ପ୍ରସାଦ ବିରୋଧୀଙ୍କୁ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking