36.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶଆତଙ୍କୀ ସଂଗଠନ ଏସ୍‌ଏଫ୍‌ଜେ ଠାରୁ ଅର୍ଥଗ୍ରହଣ ଅଭିଯୋଗ; କେଜ୍ରିୱାଲଙ୍କ ବିରୋଧରେ ହେବ ଏନ୍‌ଆଇଏ ତଦନ୍ତ

ଆତଙ୍କୀ ସଂଗଠନ ଏସ୍‌ଏଫ୍‌ଜେ ଠାରୁ ଅର୍ଥଗ୍ରହଣ ଅଭିଯୋଗ; କେଜ୍ରିୱାଲଙ୍କ ବିରୋଧରେ ହେବ ଏନ୍‌ଆଇଏ ତଦନ୍ତ

ନୂଆଦିଲ୍ଲୀ: ଅବକାରୀ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହୋଇ ଏବେ ତିହାର ଜେଲ୍‌ରେ ବିଚାରାଧୀନ କଏଦୀ ଭାବେ ଦିନ କାଟୁଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ତାଙ୍କ ବିରୋଧରେ ବର୍ତ୍ତମାନ ଦେଶଦ୍ରୋହ ଭଳି ଆଉ ଏକ ବଡ଼ ଅଭିଯୋଗ ଆସିଥିବା ବେଳେ ଦିଲ୍ଲୀ ଉପରାଜ୍ୟପାଳ ଭିକେ ସକ୍‌ସେନା ଆଜି ଏହି ଘଟଣାରେ ଏନ୍‌ଆଇଏ (ନ୍ୟାସନାଲ ଇନ୍‌ଭେଷ୍ଟିଗେସନ୍ ଏଜେନ୍ସି) ତଦନ୍ତ ପାଇଁ ସୁପାରିଶ କରିଛନ୍ତି ।
ରିପୋର୍ଟ ଅନୁସାରେ ଦିଲ୍ଲୀ ଉପରାଜ୍ୟପାଳ ଶ୍ରୀ ସକ୍‌ସେନାଙ୍କ ଉଦ୍ଦେଶ୍ୟରେ ଆସିଥିବା ଏକ ଚିଠିରେ ଆମ୍ ଆଦମୀ ପାର୍ଟିକୁ ନିଷିଦ୍ଧ ଆତଙ୍କୀ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍‌ଏଫ୍‌ଜେ) ଠାରୁ ପ୍ରାୟ ୧୬ ମିଲିୟନ୍ ଡଲାର୍ ଅନୁଦାନ ଦିଆଯାଇଥିବା ଉଲ୍ଲେଖ କରାଯାଇଛି । ଖଲିସ୍ତାନୀ ସମର୍ଥକ ଦେବେନ୍ଦ୍ର ପାଲ ଭୁଲ୍ଲରଙ୍କ ମୁକ୍ତି ତଥା ଖଲିସ୍ତାନୀ ଭାବନାକୁ ପ୍ରୋତ୍ସାହିତ କରିବା ବଦଳରେ ଏହି ଅନୁଦାନ ଆପ୍‌କୁ ପ୍ରଦାନ କରାଯାଇଛି । ଉପରାଜ୍ୟପାଳ ଭିକେ ସକ୍‌ସେନାଙ୍କୁ ମିଳିଥିବା ଏହି ଚିଠି ୱାର୍ଲ୍ଡ ହିନ୍ଦୁ ଫେଡେରେସନ୍‌- ଇଣ୍ଡିଆ ନାମକ ଏକ ସଂସ୍ଥା ପକ୍ଷରୁ ଲେଖାଯାଇଥିବା ଜଣାପଡିଛି । ଏଥିରେ ଆମ୍ ଆଦମୀ ପାର୍ଟି ୨୦୧୪ରୁ ୨୦୨୨ ମଧ୍ୟରେ ଏସ୍‌ଏଫ୍‌ଜେ ଠାରୁ ଏହି ପରିମାଣର ଅନୁଦାନ ଗ୍ରହଣ କରିଥିବା ଉଲ୍ଲେଖ ରହିଛି । ତେବେ କେବଳ ଆର୍ଥିକ କାରାବାର ନୁହେଁ ବରଂ ୨୦୧୪ରେ ଗୁରୁପତୱନ୍ତ ସିଂହ ପନ୍ନୁ ଏବଂ ଅରବିନ୍ଦ କେଜ୍ରିୱାଲ ଆମେରିକାର ନ୍ୟୁୟର୍କ ସହରର ରିଚମଣ୍ଡ ହିଲ୍ସରେ ଥିବା ଏକ ଗୁରୁଦ୍ୱାରାରେ ରୁଦ୍ଧଦ୍ୱାର ବୈଠକ କରିଥିବ ଏବଂ ଏହି ସମୟରେ କେଜ୍ରିୱାଲ, ପନ୍ନୁଙ୍କୁ ୧୯୯୩ ଦିଲ୍ଲୀ ବୋମା ବିସ୍ଫୋରଣ ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଆତଙ୍କବାଦୀ ଦେବେନ୍ଦ୍ର ପାଲ ଭୁଲ୍ଲରଙ୍କୁ ଜେଲରୁ ମୁକ୍ତ କରିବାରେ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ନେଇ ମଧ୍ୟ ପ୍ରମାଣ ଥିବା ଚିଠିରେ ଉଲ୍ଲେଖ କରାଯାଇଛି । ଏହି ଆଧାରରେ ଉପରାଜ୍ୟପାଳ ଭିକେ ସକ୍‌ସେନା ଦର୍ଶାଇଛନ୍ତି ଯେ, ଯେହେତୁ ଜଣେ ପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ବ୍ୟାନ୍ ହୋଇଥିବା ଏକ ସଂଗଠନ ଠାରୁ ଟଙ୍କା ନେବାର ଅଭିଯୋଗ ଆସିଛି, ତେଣୁ ଏହାର ତଦନ୍ତ ଆବଶ୍ୟକ । ସେହିପରି ବିଦେଶ ଲିଙ୍କ ଥିବାରୁ ଏହାର ତଦନ୍ତ ଏନଆଇଏ କରିବା ଉଚିତ୍ ।
ପ୍ରକାଶ, କୁଖ୍ୟାତ ଉଗ୍ରବାଦୀ ତଥା ଖଲିସ୍ତାନୀ ନେତା ଗୁରପତ୍‌ୱନ୍ତ ପନ୍ନୁ, ଶିଖ୍ ଫର୍ ଜଷ୍ଟିସ୍ ଗ୍ରୁପ୍ (ଏସ୍‌ଏଫ୍‌ଜେ) ନାମକ ଏକ ସଂଗଠନ ପ୍ରତିଷ୍ଠା କରିଥିଲା । ଏହା ମୁଖ୍ୟତଃ ଭାରତ ବିରୋଧରେ ଖଲିସ୍ତାନୀ ସମର୍ଥକଙ୍କୁ ଭଡକାଇବା କାମ କରିବାରୁ ଭାରତ ସରକାରଙ୍କ ଦ୍ୱାରା ଏହାକୁ ନିଷିଦ୍ଧ ଆତଙ୍କବାଦୀ ସଂଗଠନ ଭାବେ ଘୋଷିତ କରାଯାଇଥିଲା । ସେହିପରି ପନ୍ନୁକୁ ମଧ୍ୟ ଭାରତ ସରକାର ମୋଷ୍ଟ ୱାଣ୍ଟେଡ୍ ଟେରରିଷ୍ଟ ବା ଆତଙ୍କବାଦୀ ତାଲିକାରେ ସାମିଲ କରିଛନ୍ତି । ତେବେ ଏପ୍ରକାର ଏକ ନିଷିଦ୍ଧ ସଂଗଠନ ଠାରୁ କେଜ୍ରିୱାଲ୍‌ଙ୍କ ଦଳ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌) ରାଜନୈତିକ ଚାନ୍ଦା ସୂତ୍ରରେ କୋଟି କୋଟି ଟଙ୍କାର ଅନୁଦାନ ଗ୍ରହଣ କରିଥିବା ନେଇଥିବା ଅଭିଯୋଗ ହୋଇଛି । ଏପ୍ରକାର ଏକ ନିଷିଦ୍ଧ ସଂଗଠନ ଠାରୁ ଆର୍ଥିକ ସହାୟତା ତଥା ଅନୁଦାନ ଗ୍ରହଣ କରିବା ‘ଦେଶଦ୍ରୋହ’ ସଦୃଶ ଆଚରଣ ବୋଲି ବିବେଚନା କରାଯାଉଛି ।
ସୂଚନାଯୋଗ୍ୟ, ଗୁରପତ୍‌ୱନ୍ତ ସିଂହ ପନ୍ନୁ, କିଛି ମାସ ପୂର୍ବେ ଏକ ଭିଡିଓ ଜାରି କରିଥିଲା । ଏହି ଭିଡିଓରେ ସେ ଦାବି କରିଥିଲା ଯେ ଆପ୍ ୨୦୧୪ରୁ ୨୦୨୨ ମଧ୍ୟରେ ତା’ ଠାରୁ ପ୍ରାୟ ୧୬ ମିଲିୟନ ଡଲାର ପାଣ୍ଠି ପାଇଛି । ସେହିପରି ଭୁଲ୍ଲରକୁ ମୁକ୍ତ କରିବା ଦାବିରେ ଇକ୍‌ବାଲ ସିଂହ ନାମକ ଜଣେ ବ୍ୟକ୍ତି ଦିଲ୍ଲୀର ଯନ୍ତରମନ୍ତର ଠାରେ ଧାରଣାରେ ବସିବା ଏବଂ ଏହି ସମୟରେ କେଜ୍ରିୱାଲ୍‌ଙ୍କ ପକ୍ଷରୁ ଇକ୍‌ବାଲ୍‌ଙ୍କୁ ଲେଖାଯାଇଥିବା ଚିଠିରେ ‘ଭୁଲ୍ଲରକୁ ମୁକ୍ତ କରିବା ପାଇଁ ରାଷ୍ଟ୍ରପତିଙ୍କୁ ଦିଲ୍ଲୀ ସରକାର ଚିଠି ଲେଖିଥିବା’ ସମ୍ପର୍କରେ ଉଲ୍ଲେଖ କରାଯାଇଥିବା ମଧ୍ୟ ଦେଖିବାକୁ ମିଳିଥିଲା । ଭୁଲ୍ଲର ମୁକ୍ତ ସମ୍ପର୍କରେ ଇକ୍‌ବାଲ୍ ସିଂହ ଲିଖିତ ପ୍ରତିଶ୍ରୁତି ଚାହୁଁଥିବା ବେଳେ କେଜ୍ରିୱାଲଙ୍କ ଚିଠି ପରେ ସେ ଅନଶନ ପ୍ରତ୍ୟାହାର କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking