ରାୟପୁର: ୨୦୦୦ ମସିହାରେ ଛତିଶଗଡ ରାଜ୍ୟ ଗଠିତ ହୋଇଥିବାବେଳେ ଏପର୍ଯ୍ୟନ୍ତ ପାଞ୍ଚଥର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇସାରିଛି । ତେବେ ଚଳିତ ନିର୍ବାଚନରେ ପ୍ରଥମ ଥର ଛତିଶଗଡରେ ବିଭିନ୍ନ ରାଜ ପରିବାରର କୌଣସି ପ୍ରାର୍ଥୀ ବିଜୟୀ ହୋଇପାରିନାହାନ୍ତି । କଂଗ୍ରେସ, ବିଜେପି ଓ ଆପ୍ ପକ୍ଷରୁ ରାଜ ପରିବାରର ମୋଟ ୭ ଜଣ ସଦସ୍ୟଙ୍କୁ ପ୍ରାର୍ଥୀ କରାଯାଇଥିଲା । ତେବେ ସମସ୍ତଙ୍କୁ ପରାଜୟର ସ୍ୱାଦ ଚାଖିବାକୁ ପଡିଛି ।
ଏମାନଙ୍କ ମଧ୍ୟରେ ରହିଛନ୍ତି ବିଦାୟୀ ଉପମୁଖ୍ୟମନ୍ତ୍ରୀ ଟି.ଏସ.ସିଂହଦେଓ , ଅମ୍ବିକା ସିଂହଦେଓ ଓ ଦେବେନ୍ଦ୍ର ବାହାଦୂର ସିଂହ (ସମସ୍ତେ କଂଗ୍ରେସ), ସଂଯୋଗିତା ସିଂହ ଜୁଦେବ୍, ପ୍ରବଳ ପ୍ରତାପ ସିଂହ ଜୁଦେବ୍ ଓ ସଞ୍ଜୀବ ଶାହ (ସମସ୍ତେ ବିଜେପି) ଏବଂ ଖଡ୍ଗରାଜ ସିଂହ (ଆପ୍) । ସିଂହଦେଓ ସରଗୁଜା ରାଜପରିବାର ସଦସ୍ୟ ହୋଇଥିବାବେଳେ ଅମ୍ବିକା ଓ ଦେବେନ୍ଦ୍ର ଯଥାକ୍ରମେ କୋରିୟା ଓ ଗୋଣ୍ଡ୍ ରାଜପରିବାରରୁ ଆସିଛନ୍ତି ।