ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଆଜି

ମୁଖ୍ୟମନ୍ତ୍ରୀଙ୍କୁ ଚିଠି, ବିରୋଧୀଙ୍କ ୨୦ ସୂତ୍ରୀ ଫର୍ମୁଲା
ଭୁବନେଶ୍ୱର : ମହାମାରୀ କୋଭିଡ୍‌ର ତୃତୀୟ ଲହରର ମୁକାବିଲା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀଙ୍କ ଆଜି ମତ ନେବେ । ଏଥିପାଇଁ ବିଧାନସଭା ପରିସରରେ ଆଜି ସନ୍ଧ୍ୟାରେ ବସିବ ସର୍ବଦଳୀୟ ବୈଠକ । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏଥିରେ ଅଧ୍ୟକ୍ଷତା କରିବେ । ହେଲେ ବୈଠକ ପୂର୍ବରୁ ସବୁ ବିରୋଧୀ ଦଳର ମୁଖିଆମାନେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ୨୦ ସୂତ୍ରୀ ଫର୍ମୁଲା ଦେଇଛନ୍ତି ।

ଭର୍ଚୁଆଲ ମାଧ୍ୟମରେ ଅନୁଷ୍ଠିତ ଉକ୍ତ ବୈଠକରେ ଶାସକ ବିଜେଡି ବ୍ୟତୀତ କଂଗ୍ରେସ, ବିଜେପି, ସିପିଆଇ, ସିପିଏମ୍ ଭଳି ଅନ୍ୟ ବିରୋଧୀ ରାଜନୈତିକ ଦଳର ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୈଠକରେ କୋଭିଡ୍ ମୁକାବିଲା ଉପରେ ବିସ୍ତୃତ ଆଲୋଚନା ହେବ । ବିଶେଷକରି ଲକ୍‌ଡାଉନ, ସପ୍ତାହନ୍ତ ସଟ୍‌ଡାଉନ, ହସ୍ପିଟାଲରେ ଅକ୍ସିଜେନ ଯୋଗାଣ, ରୋଗୀଙ୍କ ପାଇଁ ଅଧିକ ଶଯ୍ୟା ସଂଖ୍ୟା ବଢ଼ାଇବା, ଆଣ୍ଟିଜେନ୍ ଟେଷ୍ଟିଂ ଓ ଆର୍‌ଟି ପିସିଆର୍ ପରୀକ୍ଷା ଏବଂ ସଂକ୍ରମଣ ରୋକିବା ଦିଗରେ କେଉଁ ଜରୁରୀ ପଦକ୍ଷେପ ନେବା ଦରକାର ତା’ଉପରେ ସର୍ବଦଳୀୟ ବୈଠକରେ ଆଲୋଚନା ହେବ ବୋଲି ଜଣାପଡ଼ିଛି ।

ବୈଠକ ପୂର୍ବରୁ ବିରୋଧୀ ଦଳର ନେତାମାନେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ଚିଠିରେ ପିସିସି ସଭାପତି  ନିରଞ୍ଜନ ପଟ୍ଟନାୟକ ସହ ସମତେ ସିପିଆଇ ସମ୍ପାଦକ ଆଶୀଷ କାନୁନଗୋ, ସିପିଏମ ସମ୍ପାଦକ ଅଳି କିଶୋର ପଟ୍ଟନାୟକ, ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ରବି ବେହେରା, ଆମ୍ ଆଦମୀ ପାର୍ଟିର ରାଜ୍ୟ ସଭାପତି  ନିଶିକାନ୍ତ ମହାପାତ୍ର, ରାଷ୍ଟ୍ରୀୟ ଜନତା ଦଳର ରାଜ୍ୟ ସଭାପତି ହରିଶ ମହାପାତ୍ରଙ୍କ ଦସ୍ତଖତ ରହିଛି । ଏହିଭଳି ୯ଟି ଦଳର ନେତା ଚିଠିରେ ଦସ୍ତଖତ କରିଥିଲେ ହେଁ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେପିର କୌଣସି ନେତାଙ୍କର ଦସ୍ତଖତ ନଥିଲା ।

କୋଭିଡ୍ ପରିଚଳନା ପାଇଁ ଚିଠିରେ ୨୦ ସୂତ୍ରୀ ଫର୍ମୁଲା ଦିଆଯାଇଛି । ଜିଲ୍ଲା ସ୍ତରରେ ସମସ୍ତ ରାଜନୈତିକ ଦଳ ପ୍ରତିନିଧି, ସାମାଜିକ କର୍ମୀଙ୍କୁ ନେଇ ମନିଟରିଂ କମିଟି ଗଠନ କରାଯାଉ, କୋଭିଡ୍ ଚିକିତ୍ସା ଘରୋଇ ହସପିଟାଲରେ ମଧ୍ୟ ମାଗଣା କରଯାଉ । ଗାଁର କୋଠାବାଡି, ବାତ୍ୟା ଆଶ୍ରୟ ସ୍ଥଳ, କଲ୍ୟାଣ ମଣ୍ଡପ ଆଦିକୁ ଅସ୍ଥାୟୀ ହସ୍ପିଟାଲ ଘୋଷଣା ହେଉ । ଅଫ୍‌ଲାଇନ୍‌ରେ ମଧ୍ୟ ଟିକା ପଞ୍ଜିକରଣ ବ୍ୟବସ୍ଥା କରାଯାଉ । କେନ୍ଦ୍ର ମୁଣ୍ଡରେ ଦାୟିତ୍ୱ ଲଦି ନଲଦି ମାଗଣା ଓ ସାର୍ବଜନୀନ ଟିକା ବ୍ୟବସ୍ଥା କରାଯାଉ । ବ୍ୟାପକ ଟିକାଦାନ କେନ୍ଦ୍ର ଖୋଲାଯାଉ । ରାଜ୍ୟରେ ସମସ୍ତ ହସ୍ପିଟାଲରେ ଆଇସିୟୁ ବେଡ୍ ସଂଖ୍ୟା ବୃଦ୍ଧି କରାଯାଉ । ସମସ୍ତ ହସ୍ପିଟାଲରେ ଅକ୍ସିଜେନ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉ । ଗରିବ, ଅସହାୟଙ୍କୁ ମାଗଣା ରାସନ କିଟ୍ ମିଳୁ ଓ ଏଥିପାଇଁ କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଉ । ଅସାଧୁ  ବ୍ୟବସାୟୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ।

ଭ୍ରାମ୍ୟମାଣ ବିକ୍ରୟ କେନ୍ଦ୍ର ଜରିଆରେ ରାଜ୍ୟବାସୀଙ୍କୁ ନିତ୍ୟ ବ୍ୟବହାର୍ଯ୍ୟ ଖାଦ୍ୟ ସାମଗ୍ରୀ ଯୋଗାଇ ଦିଆଯାଉ । କେନ୍ଦ୍ର ସରକାର ଆୟକର ଦେଉନଥିବା ପ୍ରତି ପରିବାରର ଜମା ଖାତାରେ ମାସିକ ୬୦୦୦/- ଟଙ୍କା ଓ ରାଜ୍ୟ ସରକାର ୨୦୦୦ଟଙ୍କା ଜମା କରାଯାଉ । ପେଟ୍ରୋଲ୍‌, ଡିଜେଲ ଦରବୃଦ୍ଧି ବନ୍ଦ ହେଉ ଏବଂ ରାଜ୍ୟ ସରକାର ଭାଟ୍ ପରିମାଣ କମ୍ କରନ୍ତୁ । କୋଭିଡ୍ ସମୟରେ ରାଜ୍ୟରେ ଶ୍ରମିକ ଛଟେଇ ବନ୍ଦ ହେଉ । ବୁଣାକାର ଓ ଗ୍ରାମ୍ୟ କାରିଗରଙ୍କୁ ଆର୍ôଥକ ସହାୟତା ମିଳୁ ।  ଲକ୍ ଡାଉନ୍ ସମୟରେ ବିଦ୍ୟୁତ୍ ବିଲ, ଜଳ କର ଛାଡ  କରାଯାଉ । ଓମଫେଡ୍ ନିଜ ପୂର୍ଣ୍ଣ କ୍ଷମତା ଉପଯୋଗ କରି ଦୈନିକ ୧୦ ଲକ୍ଷ ଲିଟର ଚାଷୀଙ୍କ ଠାରୁ ଦୁଗ୍ଧ ସଂଗ୍ରହ କରନ୍ତୁ । କୃଷକଙ୍କ ସ୍ୱାର୍ଥ ରକ୍ଷା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ କୃଷି ଆଇନ ବାତିଲ କରନ୍ତୁ । ବସ୍ତି,ଦୋକାନ ଉଚ୍ଛେଦ ବନ୍ଦ ହେଉ ବୋଲି ବିରୋଧୀ ନେତାମାନେ ପ୍ରସ୍ତାବ ଦେଇଛନ୍ତି । ହେଲେ ମୁଖ୍ୟମନ୍ତ୍ରୀ ସର୍ବଦଳୀୟ ବୈଠକ ପରେ କେତେ ଗ୍ରହଣ କରିବେ ତାହା ଦେଖିବାକୁ ବାକି ରହିଲା ।

LEAVE A REPLY

Please enter your comment!
Please enter your name here